ଜମ୍ମୁ ଓ କଶ୍ମୀର: ବାରମୂଳାରେ ବନବିଭାଗ କର୍ମଚାରୀଙ୍କୁ ହତ୍ୟା କଲେ ଲସ୍କର୍‌ ଆତଙ୍କବାଦୀ: ଅନନ୍ତନାଗରେ ଏନ୍‌କାଉଣ୍ଟର୍‌

ଶ୍ରୀନଗର: ବାରମୂଳା ଠାରେ ସନ୍ଦିଗ୍ଧ ଲସ୍କର୍‌-ଏ-ତୈବାର ଆତଙ୍କବାଦୀମାନେ ବନ ବିଭାଗର ଜଣେ କର୍ମଚାରୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ କହିଛି। ଗୁରବାର ସନ୍ଧ୍ୟାରେ ଘଟଣା ଘଟିଥିବା ପ୍ରକାଶ।

ସନ୍ଧ୍ୟାବେଳେ ଆତଙ୍କବାଦୀମାନେ ତଙ୍ଗମାର୍ଗ ଅନ୍ତର୍ଗତ ଜନ୍ଦପାଲ ଅଞ୍ଚଳରେ ଥିବା ତାରିକ୍‌ ଅହମଦ୍‌ ମାଲିକଙ୍କ ଘରେ ଜବରଦସ୍ତି ପଶି ତାଙ୍କ ଉପରୁକୁ ଗୁଳି ଚଳାଇଥିଲେ ବୋଲି ଜଣେ ପୁଲିସ ମୁଖପାତ୍ର କହିଛନ୍ତି। ସାଙ୍ଘାତିକ ଆହତ ହୋଇ ମାଲିକ ମୃତ୍ୟୁ ବରଣ କରିଥିଲେ।

ପୁଲିସ ଏ ଘଟଣାରେ ଏକ ମାମଲା ରୁଜୁ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏଥିରେ ଲସ୍କର୍‌-ଏ-ତୈବାର ଆତଙ୍କବାଦୀ ୟୁସୁଫ୍‌ ଦାର୍‌ ଓରଫ୍‌ କାନ୍ତ୍ରୁ ସମ୍ପୃକ୍ତ ଅଛି। ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି।

ସମ୍ପ୍ରତି ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ତିନି ଜଣ ଆତଙ୍କବାଦୀ ଫସି ରହିଥିବା ଖବର ମିଳୁଛି।

ଆତଙ୍କବାଦୀ ଅଛନ୍ତି ବୋଲି ସୂଚନା ମିଳିବା ପରେ ଜିଲ୍ଲାର କୋକେର୍‌ନାଗ ଅଞ୍ଚଳରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର