ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର ଜମୁଛି

ୟୁପି, ବିହାର, ଚଣ୍ଡିଗଡ଼ରେ ମୋଦୀ ପଶ୍ଚିମବଙ୍ଗରେ ଅମିତ ଶାହ ମଧ୍ୟପ୍ରଦେଶରେ ରାହୁଲ୍

ନୂଆଦିଲ୍ଲୀ: ଦେଶରେ ସପ୍ତମ ଏବଂ ଶେଷ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୯ ତାରିଖରେ ହେବ। ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ୫୯ଟି ଆସନ ପାଇଁ ଶେଷ ପର୍ଯ୍ୟାୟରେ ମତଦାନ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ବିଭିନ୍ନ ଦଳର ନେତାମାନେ ଭିନ୍ନ ଭିନ୍ନ ରାଜ୍ୟରେ ରୋଡ୍‌ସୋ ଏବଂ ରୢାଲିମାନ ଆୟୋଜନ କରି ଭୋଟରମାନଙ୍କୁ ନିଜ ନିଜ ସପକ୍ଷରେ ଆକୃଷ୍ଟ କରିବା ଲାଗି ଯଥାସମ୍ଭବ ପ୍ରୟାସ ଚଳାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାଲିଆଠାରେ ଏକ ରାଲିରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ଏନଡିଏ ସରକାର ଗରିବ ଏବଂ ଦୁର୍ବଳ ‌ବର୍ଗର ଲୋକଙ୍କ ଉନ୍ନତି ନିମନ୍ତେ ଅଙ୍ଗୀକାରବଦ୍ଧ ରହିଛି। ଉତ୍ତର ପ୍ରଦେଶ ସମେତ ପ୍ରଧାନମନ୍ତ୍ରୀ ମୋଦୀ ବିହାର ଏବଂ ଚଣ୍ଡିଗଡ଼ଠାରେ ନିର୍ବାଚନ ପ୍ରଚାର କରିଛନ୍ତି।
ସେହିଭଳି ବିଜେପି ସଭାପତି ଅମିତ ଶାହ ଆଜି ପଶ୍ଚିମବଙ୍ଗର କୋଲକାତାଠାରେ ଏକ ରୋଡ୍‌ସୋ କରିଛନ୍ତି।
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶରରେ ଆୟୋଜିତ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି। ନିମଚ୍‌ଠାରେ ଆୟୋଜିତ ଏକ ରୢାଲିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବେକାର ଯୁବକଯୁବତୀଙ୍କ ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏଥିସହିତ ରାହୁଲ ଉଜ୍ଜୟନୀ ଏବଂ ଖଣ୍ଡୱାଠାରେ ନିର୍ବାଚନୀ ସଭାରେ ଭାଷଣ ଦେଇଛନ୍ତି।
ଲକ୍ଷ୍ନୌଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ବିଏସପି ମୁଖ୍ୟ ମାୟାବାଦୀ ବିଜେପିକୁ ଏକ ବୁଡ଼ିଯାଉଥିବା ଡଙ୍ଗା ବୋଲି କହିଛନ୍ତି।
ଶେଷ ପର୍ଯ୍ୟାୟରେ ଯେଉଁ ୫୯ଟି ଆସନରେ ମତଦାନ ହେବ ସେଥିରୁ ଉତ୍ତର ପ୍ରଦେଶ ଓ ପଞ୍ଜାବର ୧୩ଟି ଲେଖାଏଁ ଆସନ, ପଶ୍ଚିମବଙ୍ଗର ୯ଟି ଆସନ, ବିହାର ଏବଂ ମଧ୍ୟ ପ୍ରଦେଶର ୮ଟି ଲେଖାଏଁ ଆସନ, ହିମାଚଳ ପ୍ରଦେଶର ସମସ୍ତ ୪ଟି ଆସନ, ଝାଡ଼ଖଣ୍ଡର ୩ଟି ଆସନ ଏବଂ ଚଣ୍ଡିଗଡ଼ର ଗୋଟିଏ ଆସନରେ ମତଦାନ ହେବ। ଶେଷ ପର୍ଯ୍ୟାୟ ନିର୍ବାଚନ ୧୯ରେ ଶେଷ ହେବା ପରେ ଭ‌ୋଟ ଗଣତି ଆସନ୍ତା ୨୩ ତାରିଖରେ ହେବ।
ତେବେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୨୦୧୪ ନିର୍ବାଚନ ତୁଳନାରେ ଅଧିକ ଆସନରେ ବିଜୟୀ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଶ୍ରୀ ସିଂହ ଏହା କହିଛନ୍ତି, ‌ସ୍ବାଧୀନତା ପରେ ଯେତେ ନିର୍ବାଚନ ହୋଇଛି ସେସବୁରେ ମୁଦ୍ରାସ୍ଫୀତି ଏକ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ହୋଇ ରହିଥାଏ। କିନ୍ତୁ ସରକାରଙ୍କ ଉତ୍ତମ ଅର୍ଥନୀତି ପରିଚାଳନା ଯୋଗୁ ୨୦୧୯ ନିର୍ବାଚନରେ ମୁଦ୍ରାସ୍ଫୀତି ଏକ ପ୍ରସଙ୍ଗ ହୋଇ ରହିନାହିଁ।

ସମ୍ବନ୍ଧିତ ଖବର