ଓକିଲାତି କରିପାରିବେ ଆଇନପ୍ରଣେତା

ନୂଆଦିଲ୍ଲୀ: କୌଣସି ଓକିଲ ନିର୍ବାଚିତ ହୋଇ ଆଇନପ୍ରଣେତା ହେବା ପରେ ମଧ୍ୟ ଓକିଲାତି କରି ମାମଲା ଲଢ଼ିପାରିବେ। ଏଥିପାଇଁ ସେମାନଙ୍କ ଉପରେ କୌଣସି ପ୍ରତିବନ୍ଧକ ଲାଗୁହେବ ନାହିଁ। ଏ ସଂପର୍କିତ ଏକ ପିଟିସନ୍‌କୁ ଖାରଜ କରି ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।
ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି, ଭାରତୀୟ ବାର୍‌ କାଉନ୍‌ସିଲ୍‌ ନିୟମରେ ଆଇନ ପ୍ରଣେତା (ସାଂସଦ, ବିଧାୟକ ଏବଂ ଏମ୍‌ଏଲ୍‌ସି)ଙ୍କୁ ଓକିଲ ଭାବେ ମାମଲା ଲଢ଼ିବା ପାଇଁ ବାରଣ କରାଯାଇ ନାହିଁ। ତା’ଛଡ଼ା ଆଇନ ପ୍ରଣେତାମାନେ ସରକାରୀ କର୍ମଚାରୀ ନୁହନ୍ତି। ସେମାନେ ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ସରକାରଙ୍କ ଠାରୁ ଦରମା ନେଇଥାନ୍ତି। ତେଣୁ ସେମାନଙ୍କୁ ସରକାରୀ କର୍ମଚାରୀଙ୍କ ସହିତ ତୁଳନା କରି ସେମାନଙ୍କୁ କୋର୍ଟରେ ମାମଲା ଲଢ଼ିବା ଲାଗି ବାରଣ କରାଯାଇ ପାରିବ ନାହିଁ କିମ୍ବା ଭାରତୀୟ ବାର୍‌ କାଉନ୍‌ସିଲ୍‌ ଏମାନଙ୍କୁ ନିଷେଧ କରିପାରିବ ନାହିଁ। ଖଣ୍ଡପୀଠରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ରଙ୍କ ବ୍ୟତୀତ ଜଷ୍ଟିସ୍‌ ଏ ଏମ୍‌ ଖାନ୍‌ଓ୍ଵିଲ୍‌କର ଏବଂ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ମଧ୍ୟ ରହିଛନ୍ତି।
ଆବେଦନକାରୀ ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ଶେଖର ନାଫେଡ୍‌ ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ସାଂସଦ ଏବଂ ବିଧାୟକମାନଙ୍କୁ ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି କୋର୍ଟରେ ମାମଲା ପରିଚାଳନା ପାଇଁ ଅନୁମତି ଦିଆଯିବା ଉଚିତ ନୁହେଁ। ଜଣେ ବେତନଭୋଗୀ ସରକାରୀ କର୍ମଚାରୀ ଭାରତୀୟ ବାର୍‌ କାଉନ୍‌ସିଲ୍‌ ଦ୍ୱାରା ନିଷେଧ ହେଉଛନ୍ତି ଏବଂ ସେମାନେ ମାମଲା ପରିଚାଳନା କରିପାରୁ ନାହାନ୍ତି। ସେହିଭଳି ଜଣେ ନେତା ମଧ୍ୟ ସରକାରୀ ତହବିଲରୁ ଦରମା ପାଉଛନ୍ତି। ତେଣୁ ଅନ୍ତତଃ ସେମାନଙ୍କ କାର୍ଯ୍ୟକାଳ ଅବଧିରେ ସେମାନଙ୍କୁ ମାମଲା ଲଢ଼ିବାକୁ ବାରଣ କରାଯିବା ଦରକାର।
କେନ୍ଦ୍ରର ଯୁକ୍ତି ଥିଲା ଯେ ସାଂସଦ ଏବଂ ବିଧାୟକମାନେ ହେଉଛନ୍ତି ନିର୍ବାଚିତ ପ୍ରତିନିଧି। ସେମାନେ ସଂପୂର୍ଣ୍ଣ ସରକାରୀ କର୍ମଚାରୀ ନୁହନ୍ତି କି ସରକାରଙ୍କ ଅଧୀନରେ କାମ କରୁନାହାନ୍ତି। ତେଣୁ ସରକାରୀ କର୍ମଚାରୀଙ୍କ ସହିତ ତୁଳନା କରାଯାଇ ସେମାନଙ୍କୁ ମାମଲା ଲଢ଼ିବାରୁ ବଂଚିତ କରାଯାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର