ଚାଞ୍ଚଲ୍ୟ: ପ୍ରଧାନ ବିଚାରପତିଙ୍କ ବିରୋଧରେ ଆଗତ ଯୌନ ନିର୍ଯାତନା ଅଭିଯୋଗ ପଛରେ ରହିଛି ଗଭୀର ଷଡଯନ୍ତ୍ର; ମୁଖ୍ୟ ଷଡ୍‌ଯନ୍ତ୍ରକାରୀ ଶିଳ୍ପପତି ଅନୀଲ ଅମ୍ବାନୀ!

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ବିରୋଧରେ ସୁପ୍ରିମ୍‌ କୋର୍ଟର ଜନୈକା ପୂର୍ବତନ ମହିଳା କର୍ମଚାରୀ ଆଣିଥିବା ଯୌନ ନିର୍ଯାତନା ମାମଲା ଆଜି ଏକ ନୂଆମୋଡ଼ ନେଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇଙ୍କ ବିରୋଧରେ ସୁପ୍ରିମ୍‌ କୋର୍ଟର ଜନୈକା ପୂର୍ବତନ ମହିଳା କର୍ମଚାରୀଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ଆଣି ତାଙ୍କୁ ସାଧାରଣରେ ନିନ୍ଦିତ ଓ ଅପମାନିତ କରାଇବା ପାଇଁ ଏକ ଗଭୀର ଷଡ୍‌ଯନ୍ତ୍ର ରଚା ଯାଇଥିଲା। ଆଉ ଏଇ ଷଡ୍‌ଯନ୍ତ୍ରରେ ଦୁଇଜଣ ବହିଷ୍କୃତ କୋର୍ଟ ମାଷ୍ଟରଙ୍କ ସମେତ ଦେଶର ଅନ୍ୟତମ ପ୍ରମୁଖ ଶିଳ୍ପପତି ଅନୀଲ ଅମ୍ବାନୀ ସାମିଲ ଥିବା ସୁପ୍ରିମ୍‌ କୋର୍ଟର ଅନ୍ୟତମ ବରିଷ୍ଠ ଆଇନ୍‌ଜୀବୀ ଉତ୍ସବ ସିଂ ବୈନସ୍‌ ଅଭିଯୋଗ କଲାପରେ ଏହି ଘଟଣା ନୂଆ ମୋଡ଼ ନେଇଛି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇଙ୍କ ବିରୋଧରେ ଆଗତ ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ କରିବା ପାଇଁ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଟିସ୍‌ ଆର୍‌ଏଫ୍‌ ନରିମାନ୍‌ ଓ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଖଣ୍ଡପୀଠଙ୍କ ସମ୍ମୁଖରେ ଆଜି (ବୁଧବାର) ବରିଷ୍ଠ ଆଇନ୍‌ଜୀବୀ ଉତ୍ସବ ସିଂ ବୈନସ୍‌ କହିଥିଲେ ଯେ ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ବିରୋଧରେ ଦେଇଥିବା ଏକ ନିର୍ଦ୍ଦେଶକୁ ବଦଳାଇ ଓଲଟପାଲଟ କରି ଦେଇଥିବା ଅଭିଯୋଗରେ ଦୁଇଜଣ କୋର୍ଟ ମାଷ୍ଟର ବହିଷ୍କୃତ ହୋଇଥିଲେ।

News18

ପରେ ଶିଳ୍ପପତି ଅନୀଲ ଅମ୍ବାନୀ ଏହି ବହିଷ୍କୃତ ଦୁଇ କୋର୍ଟ ମାଷ୍ଟରଙ୍କୁ ହାତ କରି ପ୍ରଧାନ ବିଚାରପତିଙ୍କ ବିରୋଧରେ ଏହି ଷଡଯନ୍ତ୍ର ରଚନା କରିଥିଲେ ଏବଂ ସୁପ୍ରିମ୍‌ କୋର୍ଟର ଜନୈକା ପୂର୍ବତନ ମହିଳା କର୍ମଚାରୀଙ୍କ ଦ୍ୱାରା ପ୍ରଧାନ ବିଚାରପତିଙ୍କ ବିରୋଧରେ ଏହି ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଆଉ ଏହି ଘଟଣା ସଂପର୍କିତ ସମସ୍ତ ପ୍ରମାଣ ତାଙ୍କ ନିକଟରେ ମହଜୁଦ୍‌ ରହିଛି ବୋଲି ବରିଷ୍ଠ ଆଇନ୍‌ଜୀବୀ ଉତ୍ସବ ସିଂ ବୈନସ୍‌ ସ୍ୱତନ୍ତ୍ର ଖଣ୍ଡପୀଠଙ୍କୁ କହିଥିଲେ। ଏହା ଶୁଣିବା ପରେ ସ୍ୱତନ୍ତ୍ର ଖଣ୍ଡପୀଠ ତାଙ୍କ ନିକଟରେ ଥିବା ସମସ୍ତ ପ୍ରମାଣକୁ ସତ୍ୟପାଠ ଆକାରରେ ଖଣ୍ଠପୀଠଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସ୍ୱତନ୍ତ୍ର ଖଣ୍ଡପୀଠ କହିଥିଲେ ଯେ ଆମେ ଏହି ଘଟଣାର ମୂଳପର୍ଯ୍ୟନ୍ତ ଯିବୁ ଓ ଘଟଣା ପଛରେ ଥିବା ଷଡ୍‌ଯନ୍ତ୍ର ମୂଳୋତ୍ପାଟନ କରିବୁ।

ସମ୍ବନ୍ଧିତ ଖବର