ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ଦାବି କରି ଆଇନଜୀବୀ ଆନ୍ଦୋଳନ ମାମଲା : ତୁରନ୍ତ କାର୍ଯ୍ୟରେ ଯୋଗ ଦିଅ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ଦାବି କରି ଦୀର୍ଘ ଦିନରୁ ଆଇନଜୀବୀ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ କହିଛନ୍ତି। ପ୍ରଥମେ କାର୍ଯ୍ୟରେ ଯୋଗ ଦିଅ, ପରେ ଅନ୍ୟାନ୍ୟ ବିଷୟ ଆଲୋଚନା କରାଯିବ ବୋଲି କୋର୍ଟ କହିଛନ୍ତି। ଆଜି ଓଡ଼ିଶାରେ ଆଇନଜୀବୀ ମାନଙ୍କର ଆନ୍ଦୋଳନ ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୟ କୁମାର କୌଲ ଓ ବିଚାରପତି ଜଷ୍ଟିସ୍ କେ ଏମ ଯୋଶେଫ୍‌ଙ୍କ ଖଣ୍ଡପୀଠରେ ହୋଇଥିଲା। ସୁପ୍ରିମକୋର୍ଟଙ୍କ ନଭେମ୍ବର ୮ ଆଦେଶ ଅନ୍ତର୍ଗତ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାରଙ୍କ ଦ୍ବାରା ଅକ୍ଟୋବର ୧, ୨୦୧୯ରୁ ନଭେମ୍ବର ୩୦, ୨୦୧୯ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲାମାନଙ୍କର ନ୍ୟାୟାଳୟମାନଙ୍କରେ କେତେ ଦିନ କାର୍ଯ୍ୟ ହୋଇନଥିଲା ସେ ସମ୍ପର୍କରେ ସତ୍ୟପାଠ ଦାଖଲ କରାଯାଇଥିଲା। ସତ୍ୟପାଠରେ ଓଡ଼ିଶାରୁ ୩୦ ଜିଲ୍ଲାରେ ଥିବା ଅଦାଲତ ମାନଙ୍କରେ ଆଇନଜୀବୀ ମାନଙ୍କ ଆନ୍ଦୋଳନ ଯୋଗୁଁ ସମୁଦାୟ ୧୭୧୮ ଦିନ କାର୍ଯ୍ୟ ଦିବସ ନଷ୍ଟ ହୋଇଥିବାର ଉଲ୍ଲେଖ କରାଯାଇଛି। ସେଥିମଧ୍ୟରୁ ପଶ୍ଚିମ ଓଡ଼ିଶାର ଜିଲ୍ଲା ଅଦାଲତ ମାନଙ୍କରେ ୯୭୪ ଦିନ ଆନ୍ଦୋଳନ ଯୋଗୁଁ ଆଇନଜୀବୀମାନେ କାର୍ଯ୍ୟ ଦିବସରେ ଯୋଗ ଦେଇ ନଥିଲେ।

ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ତଥ୍ୟଗୁଡ଼ିକ ଉପରେ ସୁପ୍ରିମକୋର୍ଟର ବିଚାରପତି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବିଶେଷକରି ପଶ୍ଚିମ ଓଡ଼ିଶାରେ ଯେଉଁଭଳି କିଛି ଜିଲ୍ଲା ଅଦାଲତମାନଙ୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ କୋର୍ଟ କାର୍ଯ୍ୟ ସ୍ବାଭାବିକ ହୋଇନାହିଁ, ସେନେଇ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଥିଲେ। ହାଇକୋର୍ଟର ରେଜିଷ୍ଟ୍ରାରଙ୍କ ଦ୍ବାରା ଦାଖଲ କରାଯାଇଥିବା ସତ୍ୟପାଠରେ ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ଜିଲ୍ଲା ଅଦାଲତରେ ୪୨ ଦିନ, ପାଟଣାଗଡ଼ ଅଦାଲତରେ ୨୬ ଦିନ, କଣ୍ଟାବାଞ୍ଜି ଅଦାଲତରେ ୩ ଦିନ, ଲୋଇସିଙ୍ଗା ଅଦାଲତରେ ୪୨ ଦିନ, ସଇନ୍ତଲା ଅଦାଲତରେ ୨ ଦିନ, ମୋରିବାହାଲ ଅଦାଲତ ୨ ଦିନ କାର୍ଯ୍ୟ ହୋଇନଥିବାର ଦର୍ଶାଯାଇଥିଲା। ସେହିଭଳି ବୌଦ୍ଧ ଜିଲ୍ଲାର ବୌଦ୍ଧ ଜିଲ୍ଲା ଅଦାଲତରେ ୪୦ ଦିନ, କଣ୍ଟାମାଳ ଅଦାଲତରେ ୩୯ ଦିନ କାର୍ଯ୍ୟ ବନ୍ଦ ରହିଥିଲା। ସତ୍ୟପାଠରେ ଦେବଗଡ଼ ଜିଲ୍ଲାର ଦେବଗଡ଼ ଅଦାଲତରେ ୪୧ ଦିନ, ରେମାଳ ଅଦାଲତରେ ୪୧, ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା ଅଦାଲତରେ ୪୧ ଦିନ, ଲଖନପୁର ଅଦାଲତରେ ୪୧ ଦିନ, କଳାହାଣ୍ଡି ଜିଲ୍ଲାର ଭବାନୀ ପାଟଣା, ଧର୍ମଗଡ଼, ଜୟ ପାଟଣା, ଜୁନାଗଡ଼, କକସରା, କେସିଙ୍ଗା ଓ ମଦନପୁର-ରାମପୁର ନ୍ୟାୟଳୟ ମାନଙ୍କରେ ୧୭ ଦିନ କାର୍ଯ୍ୟ ବନ୍ଦଥିଲା। ସମ୍ବଲପୁର ଜିଲ୍ଲାର ସମ୍ବଲପୁର ଅଦାଲତ ୪୧, କୁଚିଣ୍ଡା ଅଦାଲତରେ ୪୨ ଦିନ ଓ ରାଇରାଖୋଲ ଅଦାଲତରେ ୪୨ ଦିନ, ସୋନପୁର ଜିଲ୍ଲାର ସୋନପୁର ଅଦାଲତରେ ୪୧ ଦିନ, ବୀରମହାରାଜପୁର ଅଦାଲତରେ ୪୧ ଦିନ, ରାମପୁର ଅଦାଲତରେ ୪୧ ଦିନ, ବିନିକା ଅଦାଲତରେ ୪୧ ଦିନ, ତରାଭା ଅଦାଲତରେ ୪୧ ଦିନ, ଡୁଙ୍ଗୁରିପାଲି ଅଦାଲତରେ ୪୧ ଦିନ କାର୍ଯ୍ୟବନ୍ଦ ଥିଲା। ସତ୍ୟପାଠରେ ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ ଅଦାଲତରେ ୪୩ ଦିନ, ରାଜଗାଙ୍ଗପୁର ଅଦାଲତରେ ୪୩ ଦିନ, ରାଉରକେଲା ଅଦାଲତରେ ୧୯ ଦିନ ଓ ବଣେଇ ଅଦାଲତରେ ୪୩ ଦିନ କାର୍ଯ୍ୟ ବନ୍ଦ ଥିବାର ଉଲ୍ଲେଖ କରାଯାଇଥିବା ବେଳେ ବରଗଡ଼ ଜିଲ୍ଲାର ବରଗଡ଼ ଅଦାଲତରେ ୧୩ ଦିନ, ପଦ୍ମପୁର ଅଦାଲତରେ ୪୨ ଦିନ, ବରପାଲ୍ଲି ଅଦାଲତରେ ୪୨ ଦିନ, ସୋହେଲା ଅଦାଲତରେ ୪୨ ଦିନ, ଅତାବିରା ଅଦାଲତରେ ୪୨ ଓ ଭିଡେନ୍ ଅଦାଲତରେ ୧୯ ଦିନ ଆନ୍ଦୋଳନ ଯୋଗୁଁ କାର୍ଯ୍ୟ ଦିବସ ନଷ୍ଟ ହୋଇଥିଲା।

ଖଣ୍ଡପୀଠ ନ୍ୟାୟଳୟ ମାନଙ୍କରେ କାର୍ଯ୍ୟବନ୍ଦକୁ ନେଇ କାରଣ ଜାଣିବା ପାଇଁ ମଧ୍ୟ ଚାହିଁଥିଲେ। ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପଣ୍ଡା କୋର୍ଟରେ ଉପସ୍ଥିତ ରହି ଖଣ୍ଠପୀଠଙ୍କୁ କହିଥିଲେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଜ ଦାବି କରି ଆଇନଜୀବୀ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଛନ୍ତି। ୧୯୮୯ରୁ ଏହି ଦାବି ଆଇନଜୀବୀ ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ କରିଆସୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କର ଦାବି ପୂରଣ ହୋଇପାରୁନାହଁ।‌ ତେଣୁ, ସେମାନେ ଆନ୍ଦୋଳନ କରୁଛନ୍ତି ବୋଲି ମତ ଦେଇଥିଲେ। ଆଜିର ଶୁଣାଣିରେ ଆଟର୍ଣ୍ଣି ଜେନେରାଲ କେ କେ ଭେଣୁ ଗୋପାଳ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୧୩ ଟି ବିଚାରପତି ପଦ ଖାଲି ରହିଥିବାର ଅବଗତ କରାଇଥିଲେ।

ସମ୍ବନ୍ଧିତ ଖବର