ମାଆ ଭାବିଲେ ଦୁଇ କୁନି ପିଲାଙ୍କ ମଝିରେ ଶୋଇଛି ପୋଷା ବିରାଡ଼ି, କିନ୍ତୁ ଦେଖିଲା ବେଳକୁ କଲରାପତ୍ରିଆ ଛୁଆ

ନାସିକ: ମଙ୍ଗଳବାର ସିନ୍ଦୂରା ଫାଟିଲାବେଳକୁ ନିଦ ମଳ ମଳ ଆଖିରେ ମନୀଷା ବାର୍ଡେ ପରିସ୍ରା କରିସାରି କୁଡ଼ିଆକୁ ଫେରିଲେ। ତାଙ୍କର ମନେହେଲା ମଶାରି ଭିତରେ ତାଙ୍କ ଦୁଇ କୁନି ପିଲାଙ୍କ ସନ୍ଧିରେ ଜାକିଜୁକି ହୋଇ ଶୋଇଛି ତାଙ୍କ ପୋଷା ବିରାଡ଼ି।

କିଛି ସମୟ ପରେ ବିରାଡ଼ିଟା ନିଦରେ ମୋଡ଼ିମାଡ଼ି ହେବାରୁ ମନୀଷା ଢିମା ଢିମା ଆଖିରେ ପରିସ୍ଥିତିର ଭୟାଭୟତା ବୁଝି ପାରିଲେ। ସେ ପରିସ୍ରା ଉଠିଥିବା ବେଳେ ସବୁ ଥର ପରି କବାଟ ମେଲା ଥିଲା। ଏଥିଯୋଗୁଁ ଗୋଟାଏ କଲରାପତ୍ରିଆ ଛୁଆ ଘରକୁ ପଶି ଯାଇଥିଲା।

ଘଟଣାଟି ଘଟିଛି ଇଗତପୁରୀ ତାଲୁକ ଅନ୍ତର୍ଗତ ଅରଣ୍ୟ ଘେରା ପାହାଡ଼ ପାଦଦେଶରେ ଥିବା ହାତଗଣତି କେତୋଟି କୁଡ଼ିଆ ଥିବା ଆଦିବାସୀ ଗାଁ ଧାମନଗାଁରେ।

ସମ୍ଭବତଃ କଲରାପତ୍ରିଆ ଛୁଆଟି ମଶାରି ଭିତରେ ପଶି ଉଷୁମ ବିଛଣାରେ ଶୋଇପଡ଼ିଥିଲା। ମନୀଷା କୌଣସି ମତେ ନିଜକୁ ସମ୍ଭାଳି ରହିଲେ। ଚୁପ୍‌କିନି ସେ ନିଜର ଦୁଇ ପିଲାଙ୍କୁ କଲରାପତ୍ରିଆ ଛୁଆ ପାଖରୁ ଉଠାଇ ଆଣିଲେ। ତା’ପରେ ମନୀଷା କୁଡ଼ିଆରୁ ବାହାରି ଯାଇ ଗାଁବାଲାଙ୍କୁ ଡାକ ପକାଇଲେ।

ଭାଗ୍ୟକୁ ୩ ମାସର କଲରାପତ୍ରିଆ ଛୁଆଟି ସେମାନଙ୍କ ଦେହରେ ନଖ ବି ମାରି ନ ଥିଲା।

ତୁରନ୍ତ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା। ସେମାନେ ଗୋଟାଏ ପରିବା ଝୁଡ଼ି ସାହାଯ୍ୟରେ ବାଘଛୁଆଟିକୁ ମାଡ଼ି ବସିଥିଲେ। ପରେ ଫରେଷ୍ଟ୍‍ ସର୍କଲ୍‌ ଅଫିସର୍‌ ଗୋରଖନାଥ ଯାଦବ ତାକୁ ସ୍ଥାନୀୟ ବନ ବିଭାଗ କାର୍ଯ୍ୟାଳୟକୁ ନେଇ ଯାଇଥିଲେ।

ଇଗାତପୁରୀର ରେଞ୍ଜ୍‌ ଅଫିସର୍‌ ରମେଶ ଧୋମ୍‌ସେ କହନ୍ତି: କଲରାପତ୍ରିଆ ଛୁଆ କୁଡ଼ିଆରେ ପଶିଲା ବେଳେ ପିଲାମାନେ ଶୋଇଥିଲେ। ପ୍ରଥମେ ମନୀଷା ତାକୁ ବିରାଡ଼ି ବୋଲି ଭାବିଥିଲେ। ଆମକୁ ଭୋର୍‌ ୫ଟା ବେଳେ ଘଟଣା ବିଷୟରେ ଖବର ମିଳିଲା ଓ ଆମେ ଭୋର୍‌ ୬ଟା ସୁଦ୍ଧା ତାକୁ ଉଦ୍ଧାର କରିଥିଲୁ। ଏହା କାହାର କିଛି ଅନିଷ୍ଟ କରି ନାହିଁ।

ସମ୍ବନ୍ଧିତ ଖବର