ଜୁଲାଇରୁ ଆରମ୍ଭ ହେବ ପାଠପଢ଼ା!

୩୦% ଉପସ୍ଥାନରେ ଖୋଲିବ ସ୍କୁଲ, ପ୍ରଥମେ ଗ୍ରିନ୍, ଅରେଞ୍ଜ୍ ଜୋନ୍‌

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପାଇଁ ଏବେ ସ୍କୁଲ, କଲେଜ୍ ଛୁଟି ଅଛି। ଆସନ୍ତା ଜୁଲାଇ ମାସରୁ ବିଦ୍ୟାଳୟ ଗୁଡ଼ିକ ଖୋଲିବା ପାଇଁ ଯୋଜନା ହେଉଛି। ସାମାଜିକ ଦୂରତା ନିୟମ ବଜାର ରଖିବା ପାଇଁ ୩୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଥମେ ବିଦ୍ୟାଳୟ ଖୋଲିବ। ବୟସ୍କ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଥମେ ବିଦ୍ୟାଳୟକୁ ଆସିବାକୁ ଅନୁମତି ଦିଆଯିବ। ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଆସିବାକୁ ପ୍ରଥମେ ଅନୁମତି ଦିଆଯିବ ନାହିଁ। ସେମାନଙ୍କୁ ଆଉ କିଛିଦିନ ଅପେକ୍ଷା କରିବାକୁ ‌ପଡ଼ିବ। ପ୍ରଥମେ ଗ୍ରିନ୍ ଓ ଅରେଞ୍ଜ୍ ଜୋନ ଘୋଷିତ ଜିଲ୍ଲାରୁ ଏହା ଆରମ୍ଭ ହେବ। କେନ୍ଦ୍ର ସରକାର ଏଭଳି ଯୋଜନା କରୁଛନ୍ତି ବୋଲି ଜଣାଯାଇଛି। ଛୋଟ ପିଲାମା‌ନେ ସାମାଜିକ ଦୂରତା ନିୟମ ପାଳନ କରିପାରିବେ ନାହିଁ। ସେମାନେ ପରସ୍ପର ସହିତ ମିଶିଯିବେ। ତେଣୁ ଏଥିପାଇଁ ସେମାନଙ୍କୁ ପ୍ରଥମେ ବିଦ୍ୟାଳୟକୁ ଆସିବାକୁ ଦିଆଯିବ ନାହିଁ।

୩୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ପାଠପଢ଼ା ଆରମ୍ଭ ହେବ ବୋଲି ଗତ ମେ ମାସରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ‌ଇଙ୍ଗିତ କରିଥିଲେ। ସେହିସମୟରେ ମନ୍ତ୍ରୀ କହିଥିଲେ, ୟୁଜିସି ଓ ଏନ୍‌ସିଇଆରଟି ଟାସ୍କଫୋନ୍ ସ୍କୁଲ, କଲେଜ୍ ଖୋଲିବା ପାଇଁ ନୂଆ ନିୟମାବଳୀ ଜାରି କରିବା କାର୍ଯ୍ୟରେ ଲାଗିଛନ୍ତି। ୟୁଜିସି ପକ୍ଷରୁ କଲେଜ ଓ ବିଶ୍ବବିଦ୍ୟାଳୟ ପାଇଁ ଓ ଏନସିଇଆରଟି ପକ୍ଷରୁ ସ୍କୁଲ ପାଇଁ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ତେଣୁ ସ୍କୁଲ ଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ନିୟମାବଳୀ ଅଲଗା ଅଲଗା ରହିବ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଯୋଗୁଁ ଦେଶରେ ମାର୍ଚ୍ଚ ୧୬ରୁ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା। ଦୁଇମାସରୁ ଅଧିକ ସମୟ ହେଲା ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଲାଣି।

ସମ୍ବନ୍ଧିତ ଖବର