ହରିୟାଣା: ଭାରତୀୟ ଜନତା ପାର୍ଟିର ନେତା ଯଦି ଦୁଷ୍କର୍ମର ସରବ୍ୟ ହେବେ ସେ ସମ୍ପୃକ୍ତ ନେତାଙ୍କୁ ୨୦ ଲକ୍ଷ ଟଙ୍କା ଦେବେ ବୋଲି ହରିୟାଣା ଆମ୍ ଆଦ୍ମୀ ପାର୍ଟିର ମୁଖ୍ୟ ନବୀନ ଜୟହିନ୍ଦ୍ କହି ବିବାଦ ସୃଷ୍ଟି କରିଛନ୍ତି। ରେଓ୍ଵାଡ଼ି ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ହରିୟାଣା ସରକାର ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିବା ପରିପ୍ରେକ୍ଷୀରେ ସେ ଏ ଭଳି ମନ୍ତବ୍ୟ ଦେଇଛନ୍ତି।
ହରିୟାଣା ସରକାରଙ୍କୁ ତୀବ୍ର ସମାଲୋଚନା କରି ଆପ୍ ନେତା ପ୍ରଶ୍ନ ପଚାରିଛନ୍ତି ଜଣେ ଝିଅର ଇଜ୍ଜତ୍ର ମୂଲ୍ୟ କ’ଣ ୨ ଲକ୍ଷ ଟଙ୍କା। ସେ ଆହୁରି କହିଛନ୍ତି ଯେ ଜଣକର ଇଜ୍ଜତ୍ ନିମନ୍ତେ କୌଣସି ଧାର୍ଯ୍ୟ ମୂଲ୍ୟ ନ ଥାଏ।
ସେ କହିଛନ୍ତି: ଗୋଟେ ଝିଅର ଇଜ୍ଜତ୍ ମୂଲ୍ୟ କ’ଣ ୨ ଲକ୍ଷ ଟଙ୍କା? ମୁଖ୍ୟମନ୍ତ୍ରୀଙ୍କୁ ଲାଜମାଡ଼ିବା କଥା। ବିଜେପିର କୌଣସି ନେତା ୧୦ ଲୋକଙ୍କ ଦ୍ୱାରା ଦୁଷ୍କର୍ମର ସରବ୍ୟ ହୁଅନ୍ତୁ, ତାଙ୍କୁ ମୁଁ ୨୦ ଲକ୍ଷ ଟଙ୍କା ଦେବି। ଇଜ୍ଜତ୍ର କ’ଣ କୌଣସି ମୂଲ୍ୟ ଅଛି?
ଦଳୀୟ ନେତାଙ୍କ ବିବୃତିକୁ ଆମ୍ ଆଦ୍ମୀ ପାର୍ଟି ନାପସନ୍ଦ କରିଛି କିନ୍ତୁ, ତାଙ୍କ ଦ୍ୱାରା ମାମଲାଟି ଉପରେ ହୋଇଥିବା ଆଲୋକପାତକୁ ଠିକ୍ ବୋଲି କହିଛି। ଆପ୍ ନେତା ଆତିଶି କହନ୍ତି: ସେ ଯାହା ଉପରେ ଆଲୋକପାତ କଲେ ସେଇଟା ଠିକ୍, କିନ୍ତୁ ଯାହା କହିଲେ ତାହା ଭୁଲ୍।
୧୯ ବର୍ଷୀୟ ରେଓ୍ଵାଡ଼ି ଗଣଦୁଷ୍କର୍ମ ପୀଡ଼ିତାଙ୍କ ମାଆ ସରକାର ଦେଇଥିବା ଅନୁକମ୍ପା ରାଶି ଚେକ୍ ଫେରାଇ ଦେଇଛନ୍ତି। ସେ କହିଛନ୍ତି, ଅନୁକମ୍ପା ଚେକ୍ ଦେବାକୁ କେତେକ କର୍ମଚାରୀ ଆସିଥିଲେ। ଟଙ୍କା ନୁହେଁ ନ୍ୟାୟ ଚାହୁଁଥିବାରୁ, ମୁଁ ଆଜି ତାକୁ ଫେରାଇ ଦେଉଛି। ପାଞ୍ଚ ଦିନ ହେଇଗଲାଣି କୌଣସି ଅଭିଯୁକ୍ତଙ୍କୁ ଏ ଯାଏଁ ଗିରଫ କରାଯାଇ ନାହିଁ।