ଦିଲ୍ଳୀ ନୁହେଁ ପିଓକେରେ ଲ୍ୟାଣ୍ଡ୍‌ କରିବା ପାଇଁ ବିମାନ ମଧ୍ୟରୁ ମିଳିଲା ଧମକପୂର୍ଣ୍ଣ ଚିଠି, ଅହମ୍ମଦାବାଦରେ ଲ୍ୟାଣ୍ଡ୍‌ ହେଲା ବିମାନ

ମୁମ୍ବାଇ: ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଜେଟ ଏୟାରୱେଜ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣରୁ ବର୍ତ୍ତିଯାଇଛି। ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଜେଟ ଏୟାରୱେଜର ୯ଡବ୍ଲ୍ୟୁ୩୩ ବିମାନଟି ଅପହରଣ ହେବା ପୂର୍ବରୁ ଅହମ୍ମଦାବାଦରେ ଅବତରଣ କରିଛି। ଏହି ଘଟଣା ଏକ ଚିଠି ମାଧ୍ୟମରୁ ଜଣାପଡିଛି। ବିମାନର ବାଥରୁମରୁ ଅପହରଣ ପାଇଁ ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା। ତେବେ ବିମାନରେ ଯେଉଁ ବ୍ୟକ୍ତି ଏହି ଚିଠି ରଖିଥିଲେ ତାଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି।

ଗତକାଲି ରାତି ପ୍ରାୟ ୨ଟା ୫୫ ମିନିଟରେ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଜେଟ ଏୟାରୱେଜର ୯ଡବ୍ଲ୍ୟୁ୩୩ ବିମାନ ଉଡ଼ାଣ ଭରିଥିଲା। କିନ୍ତୁ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପୂର୍ବରୁ ବିମାନ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଏହି ଭୟର କାରଣ ଥିଲା ଉର୍ଦ୍ଦୁ ଭାଷାରେ ଲେଖାଥିବା ଏକ ଚିଠି। ବିମାନର ବାଥରୁମରୁ ମିଳିଥିବା ଚିଠିରେ ବିମାନକୁ ଅପହରଣ କରିବା ପାଇଁ ଧମକ ଦିଆଯାଇଥିଲା। ବିମାନକୁ ଅପହରଣକାରୀ ହାଇଜାକ କରିସାରିଛନ୍ତି। ତେଣୁ ଦିଲ୍ଲୀ ପରିବର୍ତ୍ତେ ସିଧାସଳଖ ଏହାକୁ ପିଓକେ ନେବା ପାଇଁ ଚିଠିରେ ଉଲ୍ଲେଖ ଥିଲା।

ଏହାଛଡା ବିମାନଟି ତାଙ୍କର ୧୨ ଜଣ ବ୍ୟକ୍ତିଙ୍କ ନିୟନ୍ତ୍ରଣରେ ରହିଛି। ତେଣୁ କୌଣସି ଚାଲାଖି ନ କରି ବିମାନକୁ ସିଧାସଳଖ ପିଓକେରେ ଅବତରଣ କରିବାକୁ କୁହାଯାଇଥିଲା। ଯଦି ବିମାନକୁ ଅବତରଣ କରିବାକୁ ପାଇଲଟ ଚେଷ୍ଟା କରନ୍ତି ତେବେ ଯାତ୍ରୀଙ୍କ ମରିବାର ଶବ୍ଦ ଶୁଣିବାକୁ ମିଳିବ। ତେବେ ଏହି କଥାକୁ ମଜାରେ ନ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା। ବିମାନର କାରଗୋ କିକପଟରେ ବମ ରଖାଯାଇଛି। ତେଣୁ ଯଦି ବିମାନଟି ଦିଲ୍ଲୀରେ ଅବତରଣ କରେ ତେବେ ବଡ ଧରଣର ବିସ୍ଫୋରଣ ହେବ ବୋଲି ଚିଠିରେ ଉଲ୍ଲେଖ ଥିଲା।

ଏଭଳି ଚିଠି ବିମାନରୁ ମିଳିବା ପରେ ତୁରନ୍ତ ବିମାନକୁ ୩ଟା ୪୫ମିନିଟରେ ଅହମ୍ମଦାବାଦ ବିମାନବନ୍ଦରରେ ଅବତରଣ କରାଯାଇଥିଲା। ବିମାନବନ୍ଦର ସୁରକ୍ଷାକର୍ମୀଙ୍କ କହିବା ଅନୁଯାୟୀ, ବିମାନକୁ ଅପହରଣ କରିବା ପାଇଁ ଧମକପୂର୍ଣ୍ଣ ଫୋନକଲ ଆସିବା ପରେ ବିମାନର ରୁଟରେ ପରିବର୍ତ୍ତନ କରି ଏହାକୁ ଅହମ୍ମଦାବାଦରେ ଅବତରଣ କରାଯାଇଛି। ବିମାନର ଯାଉଥିବା ଏକ ଯାତ୍ରୀଙ୍କ କହିବା ଅନୁଯାୟୀ, ସୁରକ୍ଷା ସମ୍ବନ୍ଧୀୟ କାରଣ ପାଇଁ ବିମାନକୁ ଅହମ୍ମଦାବାଦରେ ଅବତରଣ କରି ସମସ୍ତ ଯାତ୍ରୀଙ୍କର ପୁର୍ନବାର ଯାଞ୍ଚ କରାଯାଇଥିଲା। ତେବେ ବିମାନରେ କେତେ ଯାତ୍ରୀ ଥିଲେ ତାହା ଏବେ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର