ଏଲଜି ପଲିମର୍ସ ଗ୍ୟାସ ଦୁର୍ଘଟଣା ମାମଲା : ବିନା ପରିବେଶ ମଂଜୁରୀରେ ବେଆଇନ ଭାବେ ପ୍ଲାଣ୍ଟ ଚାଲିିଥିଲା

ବିଶାଖାପାଟଣା : ଚଳିତ ମାସରେ ବିଶାଖାପାଟଣାସ୍ଥିତ ଏଲଜି ପଲିମର୍ସ ଗ୍ୟାସ ଦୁର୍ଘଟଣା ପଛରେ କମ୍ପାନିର ଅବହେଳା ଦାୟୀ ବୋଲି ଜଣାପଡ଼ିଛି ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ କମ୍ପାନି ଏକ ଜନବହୁଳ ସ୍ଥାନରେ ପ୍ଲାଣ୍ଟ ଚଳାଉଥିଲେ ମଧ୍ୟ ଏହାର ପରିବେଶ ମଂଜୁରୀ ନଥିଲା । ବିନା ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ରରେ ପ୍ଲାଣ୍ଟ ଚାଲିଥିଲା । ୨୦୧୮ରେ କମ୍ପାନି ନିଜର ପ୍ଲାଣ୍ଟ ସଂପ୍ରସାରଣ କରିଥିଲେ ତାହାର ଏକବର୍ଷ ପରେ ପରିବେଶ ମଂଜୁରୀ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲା । କିନ୍ତୁ କମ୍ପାନି ପରିବେଶ ପ୍ରମାଣପତ୍ର ଏପର୍ଯ୍ୟନ୍ତ ହାସଲ କରିନାହିଁ । ସେହିପରି ଆବଶ୍ୟକ ପ୍ରୋଟୋକଲକୁ ପାଳନ ନକରି କମ୍ପାନି ବିଭିନ୍ନ ବିଷାକ୍ତ ରାସାୟନିକ ବର୍ଜ୍ୟବସ୍ତୁ ଗଚ୍ଛିତ କରିରଖିଥିଲା ।

ଆହୁରି ମଧ୍ୟ ଜାଣିବାକୁ ମିଳିଛି ଯେ ପ୍ଲାଣ୍ଟରେ ଆବଶ୍ୟକ ସଂଖ୍ୟକ ମେଣ୍ଟେନାନ୍ସ କର୍ମଚାରୀ ନଥିଲେ । ପ୍ଲାଣ୍ଟର କୁଲିଂ ସିଷ୍ଟମ ମଧ୍ୟ ଠିକ ଭାବେ କାମ କରୁନଥିଲା । କେବଳ କମ୍ପାନି ନୁହେଁ, ସରକାରୀ ବିଭାଗଗୁଡ଼ିକର ଅପାରଗତା ମଧ୍ୟ ଏହି ଦୁର୍ଘଟଣା ପାଇଁ ଦାୟୀ ବୋଲି ତଦନ୍ତରୁ ଜଣାପଡ଼ିଛି ।
ମେ ୭ ତାରିଖରେ ଏଲଜି ପଲିମର୍ସ ପ୍ଲାଣ୍ଟରୁ ବିଷାକ୍ତ ସେରିନ ଗ୍ୟାସ ନିର୍ଗତ ହେବା ଫଳରେ ୧୨ ଜଣ ବ୍ୟକ୍ତି ପ୍ରାଣହରାଇଥିଲେ ଓ ଶତାଧିକ ଲୋକ ହସପିଟାଲରେ ଭର୍ତ୍ତି ହୋଇଥିଲେ । ବିଷାକ୍ତ ଷ୍ଟିରେନ ଗ୍ୟାସ ରଖାଯାଇଥିବା ଟାଙ୍କିର ଭଲବ ଖରାପ ହୋଇଯାଇଥିବାରୁ ଗ୍ୟାସ ନିର୍ଗତ ହୋଇ ଏହି ଦୁର୍ଘଟଣା ଘଟିଲା ବୋଲି ସେତେବେଳେ କୁହାଯାଇଥିଲା ।

ସମ୍ବନ୍ଧିତ ଖବର