ଏନ୍‌ସିଆର୍‌ବିର ଦୁର୍ଘଟଣାଜନିତ ମୃତ୍ୟୁ ଓ ଆତ୍ମହତ୍ୟା ରିପୋର୍ଟ : ଓଡ଼ିଶାରେ ବଜ୍ରପାତରେ ମରିଛନ୍ତି ସର୍ବାଧିକ

ନୂଆଦିଲ୍ଲୀ : ୨୦୧୬ ମସିହାରେ ଓଡ଼ିଶାରେ ପ୍ରାକୃତିକ ବିଭୀଷିକା ଜନିତ କାରଣରୁ ସମୁଦାୟ ୪୬୭ ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ବଜ୍ରପାତରେ ସର୍ବାଧିକ ୩୭୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨୯୦ ଜଣ ପୁୁରୁଷ ଓ ୮୬ ଜଣ ମହିଳା। ଆଶ୍ବାସନାର ବିଷୟ ହେଉଛି, ୨୦୧୫ ମସିହାରେ ୯୫୪ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୨୦୧୬ ମସିହାରେ ଏହା ୫୧ ପ୍ରତିଶତ ହ୍ରାସ ପାଇଛି। ବଜ୍ରପାତଜନିତ ମୃତ୍ୟୁ ଘଟଣାରେ ବି ଓଡ଼ିଶା ଦେଶର ପ୍ରଥମ ସ୍ଥାନରେ ରହିଛି। ତା’ ତଳକୁ ରହିଛି କର୍ଣ୍ଣାଟକ ଓ ତାମିଲନାଡ଼ୁ।

ଏନ୍‌ସିଆର୍‌ବି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦୁର୍ଘଟଣାଜନିତ ମୃତ୍ୟୁ ଓ ଆତ୍ମହତ୍ୟା ସମ୍ପର୍କରେ ଏକ ଚିତ୍ର ଦିଆଯାଇଛି। ଏଥିରେ ଦର୍ଶାଯାଇଛି ଯେ, ୨୦୧୬ ମସିହାରେ ଦୁର୍ଘଟଣାଜନିତ କାରଣରୁ ସମୁଦାୟ ୧୨,୨୮୮ ଜଣଙ୍କର ପ୍ରାଣହାନି ଘଟିଛି। ସେମାନଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୯,୩୫୪ ଓ ମହିଳାଙ୍କ ସଂଖ୍ୟା ୨,୯୩୫।

ରିପୋର୍ଟ ଅନୁସାରେ, ୨୦୧୬ ମସିହାରେ ଓଡ଼ିଶାରେ ଡଙ୍ଗା ବୁଡ଼ିବା ଯୋଗୁ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଣିରେ ବୁଡ଼ି ୩୭୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି, ବିଦ୍ୟୁତ୍‌ ଆଘାତରେ ୩୨୯ ଜଣ, ଆକସ୍ମିକ ବି‌େସ୍ଫାରଣରେ ୧୦ ଜଣ, ଉଚ୍ଚସ୍ଥାନରୁ ଖସି ପଡ଼ି ୭୦୫ ଜଣ, ଆକସ୍ମିକ ଅଗ୍ନିକାଣ୍ଡରେ ୪୨୫ ଜଣ, ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ୮୯ ଜଣଙ୍କର ମୃତ୍ୟୁ ହୋଇଛି। ବ୍ୟାବସାୟିକ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଯୋଗୁଁ ୩୮ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି। ୨୦୧୬ ବ୍ୟାବସାୟିକ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଜନିତ ମୃତ୍ୟୁରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ, ଦଳାଚକଟାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକସ୍ମିକ ଭାବେ ୫୦୦ ଜଣ ଓ ହୃଦ୍‌ଘାତଜନିତ କାରଣରୁ ୩୨୮ ଜଣଙ୍କର ମୃତ୍ୟୁ ହୋଇଛି। ଶ୍ବାସରୁଦ୍ଧରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବନ୍ୟପ୍ରାଣୀ କାମୁଡ଼ାରେ ୧୦୧ ଜଣ, ସାପ କାମୁଡ଼ାରେ ୬୩୦ ଜଣଙ୍କର ମୃତ୍ୟୁ ହୋଇଛି।

ରିପୋର୍ଟରେ ୨୦୧୬ରେ ଟ୍ରାଫିକ୍ ଦୁର୍ଘଟଣାରେ ୪୭୦୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧୩୧୨ ଜଣ ଆହତ ହୋଇଥିବାର ରିପୋର୍ଟରେ କୁହାଯାଇଛି। ରେଳ ଦୁର୍ଘଟଣାରୁ ସମୁଦାୟ ୧୧୭ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ ଆତ୍ମହତ୍ୟା ସମ୍ପର୍କରେ ମଧ୍ୟ ତଥ୍ୟ ଦର୍ଶାଯାଇଛି। ୨୦୧୬ରେ ଓଡ଼ିଶାରେ ୩୯୦୪ ଜଣ ଆତ୍ମହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ରହିଛି ୨୩୭୪ ଓ ମହିଳାଙ୍କ ସଂଖ୍ୟା ୧୫୩୪ ଜଣ। ସେମାନଙ୍କ ମଧ୍ୟରୁ ୧୧୮ ସରକାରୀ କର୍ମଚାରୀ ଆତ୍ମହତ୍ୟା କରିଥିଲାବେଳେ ବେକାରୀ କାରଣରୁ ୩୭୦ ଜଣ, ଘରୋଇ ସମସ୍ୟାରୁ ୬୧୭ ଜଣ, ମାନସିକ ରୋଗରୁ ୧୦୧ ଜଣ, ପ୍ରେମ ସମ୍ପର୍କରୁ ୩୪୧ ଜଣ, ପରୀକ୍ଷାରୁ ଅକୃତକାର୍ଯ୍ୟ ହେବା ଯୋଗୁଁ ୭୨ ଜଣ ଆତ୍ମହତ୍ୟା କରିଥିବାର ରିପୋର୍ଟରେ ଦର୍ଶାଯାଇଛି।

ଏନସିଆରବି ରିପୋର୍ଟରେ କୃଷି କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିଙ୍କ ଆତ୍ମହତ୍ୟା ସମ୍ପର୍କରେ ମଧ୍ୟ ତଥ୍ୟା ପ୍ରଦାନ କରାଯାଇଛି। ଓଡ଼ିଶାରେ ୨୦୧୬ରେ ୧୪ ଜଣ ଚାଷୀ ଆତ୍ମହତ୍ୟା କରିଥିବାର ରିପୋର୍ଟରୁ ଜଣାପଡ଼ିଛି। ସେହିଭଳି ରିପୋର୍ଟରେ ୨୦୧୬ରେ ଓଡ଼ିଶାରେ ୬ ଜଣ ଭାଗଚାଷୀ ଆତ୍ମହତ୍ୟା କରିଥିବାର ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର