ଓ୍ଵାସିଂଟନ୍‌ ଓ ମସ୍କୋ ଭଳି ଦିଲ୍ଲୀ ଚାରିପଟେ ମଧ୍ୟ ଲାଗିବ କ୍ଷେପଣାସ୍ତ୍ର ନିରୋଧୀ ବଳୟ

ନୂଆଦିଲ୍ଲୀ: ଓ୍ଵାସିଂଟନ୍‌ ଓ ମସ୍କୋ ଭଳି ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀକୁ ମଧ୍ୟ କ୍ଷେପଣାସ୍ତ୍ର ନିରୋଧୀ ବଳୟ ମଧ୍ୟରେ ରଖାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ପୁରୁଣା ଏୟାର୍‌ ଡିଫେନ୍‌ସ୍‌ ସିଷ୍ଟମ୍‌ସ୍‌ର ଉଚ୍ଛେଦ କରାଯାଉଛି। ଭିଆଇପି ନୋ-ଫ୍ଲାଇଙ୍ଗ୍‌ ଜୋନ୍‌ ପୁନର୍ବିନ୍ୟାସ କରାଯିବା ସହ ମନ୍ଦ ଉଦେଶ୍ୟ ନିହିତ ଥିବା ବିମାନକୁ ଗୁଳି ମାରି ଖସାଇବା ନିମନ୍ତେ ପ୍ରୋଟକଲ୍‌କୁ ଉନ୍ନତ କରାଯାଉଛି।

ଏଥିପାଇଁ ୧ ବିଲିୟନ୍‌ ଡଲାର ବିନିମୟରେ ଯୁକ୍ତରାଷ୍ଟ୍ର ଆମେରିକାରୁ ‘ନେସ୍‌ନାଲ୍‌ ଆଡ୍‌ଭାନ୍‌ସ୍‌ଡ୍‌ ସର୍ଫେସ୍‌ ଟୁ ଏୟାର୍‌ ମିସାଇଲ୍‌ ସିଷ୍ଟମ୍‌-ଟୁ’ ଅଣାଯିବା ନିମନ୍ତେ ଆବଶ୍ୟକ ‘ଆକ୍‌ସେପ୍‌ଟାନ୍‌ସ୍‌ ଅଫ୍‌ ନେସେସିଟି’କୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ଡିଫେନ୍‌ସ୍‌ ଆକ୍ୱିଜିସନ୍‌ କାଉନ୍‌ସିଲ୍‌’ ଅନୁମୋଦନ କରିଛି।

‘ନେସ୍‌ନାଲ୍‌ ଆଡ୍‌ଭାନ୍‌ସ୍‌ଡ୍‌ ସର୍ଫେସ୍‌ ଟୁ ଏୟାର୍‌ ମିସାଇଲ୍‌ ସିଷ୍ଟମ୍‌-ଟୁ’ ରହିଛି ଥ୍ରି-ଡାଇମେନ୍‌ସ୍‌ନାଲ୍‌ ସେଣ୍ଟିନେଲ୍‌ ରାଡାର, ସର୍ଟ ଆଣ୍ଡ୍‌ ମିଡିୟମ୍‌-ରେଞ୍ଜ୍‌ ମିସାଇଲ୍‌, ଲଞ୍ଚର୍‌, ଫାୟାର୍‌ ଡିଷ୍ଟ୍ରିବ୍ୟୁସନ୍‌ ସେଣ୍ଟର୍‌ ଓ କମାଣ୍ଡ୍‌ ଓ କଣ୍ଟ୍ରୋଲ୍‌ ୟୁନିଟ୍‌। ଫଳରେ ଆକାଶ ମାର୍ଗରୁ ଆସୁଥିବା ଏକାଧିକ ବିପଦକୁ ତୁରନ୍ତ ଚିହ୍ନଟ କରିବା ସହ ସେଗୁଡ଼ିକୁ ଅନୁସରଣ କରି ତଳକୁ ଖସାଇ ପାରିବ ଓ୍ଵାସିଂଟନ୍‌ରେ କାର୍ଯ୍ୟ କରୁଥିବା ଏହି ସିଷ୍ଟମ୍‌। କେତେକ ନାଟୋ ଦେଶରେ ମଧ୍ୟ ଏହା ମୁତୟନ କରାଯାଇଛି।

ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ରାଜଧାନୀ, ଇସ୍ରାଏଲ୍‌ ସହର ଏବଂ ମସ୍କୋର ମଧ୍ୟ ନିଜ ନିଜର କ୍ଷେପଣାସ୍ତ୍ର ପ୍ରତିରୋଧ ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର