ଝାନସୀ ଦେଇ ଭାରତକୁ ପଶିଥିବା ପଙ୍ଗପାଳ ଦଙ୍ଗଲ ମଧ୍ୟପ୍ରଦେଶ-ବିହାର ସୀମା ପର୍ଯ୍ୟନ୍ତ ମାଡ଼ି ଆସିଲେଣି; ବେଶୀ ଦୂର ନୁହେଁ ଓଡ଼ିଶାର ‘ଭାତହାଣ୍ଡି’!

ଚିନ୍ତା ବଢ଼ାଇଲେ ‘ସବୁ ଖାଇ ଦେଉଥିବା’ ପଙ୍ଗପାଳ

ନୂଆଦିଲ୍ଲୀ/ ଭୋପାଳ : ସଂପ୍ରତି ସମଗ୍ର ଦେଶ ନୋଭେଲ କରୋନା ଭାଇରସ୍‌ ସହ ଯୁଝୁ ଥିବାବେଳେ ଏବେ ଦେଶ ସମ୍ମୁଖରେ ନୂଆ ସମସ୍ୟା ଓ ଆତଙ୍କ ହୋଇ ଦେଖାଦେଇଛି ପଙ୍ଗପାଳ ଦଙ୍ଗଲ। ଗତ ଦୁଇଦିନ ତଳେ ପାକିସ୍ତାନ ସୀମାପଟୁ ରାଜସ୍ଥାନର ଝାନସୀ ବାଟ ଦେଇ ଏହି ପଙ୍ଗପାଳ ଦଙ୍ଗଲ ଦେଶ ମଧ୍ୟକୁ ପ୍ରବେଶ କରିବା ପରେ ଆଜି ସୁଦ୍ଧା ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ହରିଆଣାକୁ ନିଜ କବ୍‌ଜାକୁ ନେଇଯିବା ପରେ ଆଜି ସକାଳୁ ଏହି ଦଙ୍ଗଲକୁ ଠାବ କରାଯାଇଛି ମଧ୍ୟପ୍ରଦେଶର ପାନ୍ନା ବ୍ୟାଘ୍ର ସଂରକ୍ଷିତ ପ୍ରକଳ୍ପ ଅଞ୍ଚଳରେ।
ଆଉ ଏମାନଙ୍କର ଗତି ଯଦି ଏହିପରି ବିନା କୌଣସି ବାଧାବିଘ୍ନରେ ଅବ୍ୟାହତ ରହେ ତେବେ, ଓଡ଼ିଶା ମଧ୍ୟକୁ ପ୍ରବେଶ କରିବା ପାଇଁ ସେମାନଙ୍କୁ ବେଶୀଦିନ ଲାଗିବ ନାହିଁ। କାରଣ, ଏବେ ଏହି ପଙ୍ଗପାଳ ଦଳ ମଧ୍ୟପ୍ରଦେଶ- ବିହାର ସୀମାନ୍ତ ପର୍ଯ୍ୟନ୍ତ ସମଗ୍ର ଆକାଶକୁ ଆଚ୍ଛାଦନ କରି ମାଡ଼ି ଆସୁଛନ୍ତି।

ତେଣୁ, ସେମାନଙ୍କ ପାଇଁ ଓଡ଼ିଶା ଆଉ ବେଶୀ ଦୂର ନୁହେଁ ବୋଲି କହିଛନ୍ତି ପ୍ରାଣୀ ବିଶେଷଜ୍ଞମାନେ। ସେମାନଙ୍କ ମତରେ ଭାରତରେ ଦେଖା ଦେଇଥିବା ଏହି ମରୁଭୂମି ପଙ୍ଗପାଳ ପୃଥିବୀର ସବୁଠାରୁ ବିନାଶକାରୀ କୀଟ ଭାବରେ ପରିଗଣିତ ହୋଇଥାଏ। ଅନ୍ୟପକ୍ଷରେ ଜଳବାୟୁ ପରିବର୍ତ୍ତନ ଏବେ ପଙ୍ଗପାଳମାନଙ୍କ ଲାଗି ଏଭଳି ଆକ୍ରମଣର ତୀବ୍ରତାକୁ ଆହୁରି ଅଧିକ କରିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ସେମାନଙ୍କର ଆକ୍ରମଣ ବାରମ୍ବାର ଏବଂ ତୀବ୍ର ହେବାରେ ଲାଗିଛି।

ତେବେ, ସବୁଠାରୁ ଉଦ୍‌ବେଗଜନକ ହେଲା, ମରୁଭୂମିର ଭୟାନକ କୀଟ ଭାବେ ବିବେଚିତ ହେଉଥିବା ପଙ୍ଗପାଳ ଉଷ୍ମ ବାତାବରଣକୁ ଅଧିକ ମାତ୍ରାରେ ଆକୃଷ୍ଟ ହୋଇ ଥାଆନ୍ତି। ଏବେ ସହଜରେ ସମଗ୍ର ପଶ୍ଚିମ ଓଡ଼ିଶାକୁ ଗ୍ରୀଷ୍ମପ୍ରବାହ କବଳିତ କରିରଖିଛି। ବର୍ତ୍ତମାନ ଏହି ପଙ୍ଗପାଳ ଦଳ ମଧ୍ୟପ୍ରଦେଶ- ବିହାର ସୀମାରେ ପହଞ୍ଚି ଯାଇଥିବା ବେଳେ ସେଠାରୁ ଗ୍ରୀଷ୍ମ ପ୍ରବାହରେ ଆକୃଷ୍ଟ ହୋଇ ଝାଡ଼ଖଣ୍ଡ ଓ ଛତିଶଗଡ଼ ଦେଇ ପଶ୍ଚିମ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ। ଆଉ ଥରେ ଯଦି ଏମାନେ ପ୍ରବେଶ କରିଗଲେ ତେବେ ରାଜ୍ୟର ‘ଭାତହାଣ୍ଡି’ ରୂପେ ବିବେଚିତ ପଶ୍ଚିମ ଓଡ଼ିଶାର ସବୁଜିମା ଭରା ଶସ୍ୟ ଓ ପରିବା କ୍ଷେତ ସବୁକୁ ନିଜର ସର୍ବଗ୍ରସୀ କ୍ଷୁଧାରେ ଚଳୁ କରିଦେବା ପାଇଁ ଏମାନଙ୍କୁ ବେଶୀ ସମୟ ଲାଗିବ ନାହିଁ। ତେଣୁ, ରାଜ୍ୟ ସରକାର ଏଥିପ୍ରତି ଯଥେଷ୍ଟ ସତର୍କ ଓ ସାବଧାନ ରହିବାକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ଉପସ୍ଥାପନା : ପୁଷ୍ପମିତ୍ର ମହାନ୍ତି

ସମ୍ବନ୍ଧିତ ଖବର