ମେ’ରେ ନିର୍ବାଚନ ନେଇ କଳ୍ପନାଜଳ୍ପନା

ନୂଆଦିଲ୍ଲୀ : ୨୦୧୯ ନିର୍ବାଚନ ପୂର୍ବରୁ ପୂର୍ବାଞ୍ଚଳରେ ମୋଦି ମ୍ୟାଜିକ୍‌ ବିଜେପି ପାଇଁ ବିପୁଳ ଉତ୍ସାହ ଆଣିଦେଇଛି। ଗୋଟିଏ ପଟେ ଦଳ ତ୍ରିପୁରାରେ ଜୋର୍‌ଦାର ବିଜୟ ହାସଲ କରିଥିବା ବେଳେ ଅନ୍ୟପଟେ ନାଗାଲାଣ୍ଡ୍‌ରେ ମଧ୍ୟ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି । ଗୁଜରାଟ ନିର୍ବାଚନରେ କଂଗ୍ରେସଠାରୁ ଅତ୍ୟନ୍ତ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଥିବା ବିଜେପି ପରବର୍ତ୍ତୀ ସମୟରେ ଉପ ନିର୍ବାଚନଗୁଡ଼ିକରେ ହାରିବା ସରକାରଙ୍କ ଲୋକପ୍ରିୟତା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଥିଲା। ଏଭଳି ସମୟରେ ପୂର୍ବାଞ୍ଚଳର ନିର୍ବାଚନ ପରିଣାମ ବିଜେପିକୁ ଅନେକ ଦିଗରୁ ଆଶ୍ୱସ୍ତ କରିଛି ଏବଂ ଏଭଳି ସୁଯୋଗକୁ ଅଧିକ ବିସ୍ତାରିତ କରିବା ପାଇଁ ମୋଦି ସରକାର ଯୋଜନା କରୁଛନ୍ତି। ଆବଶ୍ୟକ ସ୍ଥଳେ ବର୍ଷକ ପୂର୍ବରୁ ସରକାର ଆଗାମୀ ମେ’ରେ ଲୋକସଭା ନିର୍ବାଚନ କରାଇପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ୨୦୧୪ ସାଧାରଣ ନିର୍ବାଚନରେ ୨୮୨ ଆସନ ହାସଲ କରିଥିବା ବିଜେପି ଯଦି ବର୍ଷକ ଆଗରୁ ଚଳିତ ବର୍ଷ ମେ’ରେ ନିର୍ବାଚନ କରାଇବ ତା’ହେଲେ ଦଳ ମାତ୍ର ୫୦ରୁ ୭୫ ଆସନ ହରାଇ ପୁନଃ କ୍ଷମତାକୁ ଫେରିପାରିବ। କିନ୍ତୁ ମୋଦି ସରକାର ଯଦି ଆଗୁଆ ନିର୍ବାଚନ ନ କରାଇ ଯଥାରୀତି ନିର୍ଦ୍ଧାରିତ ସମୟରେ ତାହା କରାଇବେ ତା’ହେଲେ ଏକ ମିଳିତ ବିରୋଧୀ ଦଳକୁ ସାମ୍ନା କରିବାକୁ ପଡ଼ିବ ଏବଂ ଦଳ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହେବା ଆଶଙ୍କା ମଧ୍ୟ ରହିଛି।

ଏଭଳି ସ୍ଥିତିରେ ବିରୋଧୀ ଦଳଙ୍କୁ ବଡ଼ ଝଟ୍‌୍‌କା ଦେଇ ମୋଦି ସରକାର ମେ’ ୧୮ରେ ହିଁ ସାଧାରଣ ନିର୍ବାଚନ କରାଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଆଗୁଆ ନିର୍ବାଚନ ହେଲେ ବିରୋଧୀ ଦଳଗୁଡ଼ିକ ଏକଜୁଟ ହେବାକୁ ସମୟ ପାଇବେ ନାହିଁ ଏବଂ ସରକାରଙ୍କ ବିରୋଧରେ ପରିବର୍ତ୍ତନର ହାଓ୍ଵା ସୃଷ୍ଟି କରିବାକୁ ମଧ୍ୟ ସମର୍ଥ ହୋଇପାରିବେ ନାହିଁ। ୨୦୧୪ରେ ୟୁପିଏ ସରକାର ବିରୋଧୀ ଦଳ ପାଇଁ ପର୍ଯ୍ୟାପ୍ତ ସମୟ ଛାଡ଼ିଦେବାରୁ ସରକାରଙ୍କୁ ଘେରିି ଏହାର ପତନ ଘଟାଇବାକୁ କ୍ଷେତ୍ର ପ୍ରସ୍ତୁତ କରିବା ନିମନ୍ତେ ମୋଦିଙ୍କୁ ପର୍ଯ୍ୟାପ୍ତ ସମୟ ମିଳିଥିଲା। ତେଣୁ ସ୍ୱାଭାବିକ ପ୍ରକ୍ରିୟାରେ ୨୦୧୯ରେ ନିର୍ବାଚନ କରାଇବା ବଦଳରେ ପ୍ରାୟ ବର୍ଷକ ଆଗରୁ ନିର୍ବାଚନ କରାଇବାକୁ ମୋଦି ଯୋଜନା କରୁଥିବା ଆଲୋଚନା ହେଉଛି। ଲୋକଙ୍କୁ ୨୦୧୪ରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବା ବେଳେ ଆଗକୁ ଆର୍ଥିକ ସ୍ଥିତିରେ ଅଧିକ ସୁଧାର ହେବାର ଆଶା ମଧ୍ୟ ଦିଶୁନାହିଁ। ଏହା ସହିତ ଯଦି ଖରାପ ମୌସୁମିକୁ ସମ୍ମୁଖୀନ ହେବାକୁ ପଡ଼ିବ ତା’ହେଲେ ସରକାର ବିରୋଧରେ ଅସନ୍ତୋଷ ବୃଦ୍ଧି ପାଇବ। ଏଭଳି ସ୍ଥିତିରେ ବିଜେପି ୧୨୦ରୁ ୧୪୦ ଆସନ ହରାଇବା ସମ୍ଭାବନା ମଧ୍ୟ ରହିଛି ।

୨୦୧୪ରେ ଉତ୍ତର ପ୍ରଦେଶରେ ଯେଭଳି ୭୧ ଆସନ ଅକ୍ତିଆର କରି ବିଜେପି ସମସ୍ତଙ୍କୁ ଚମକାଇ ଦେଇଥିଲା ତାହାର ପୁନରାବୃତ୍ତି ସମ୍ଭାବନା ବହୁତ କମ୍‌ ରହିଛି । ତେଣୁ ଆଗାମୀ ନଭେମ୍ବରରୁ ୨୦୧୯ ମେ’ ମଧ୍ୟରେ ନିର୍ବାଚନ କରାଇବା ବଦଳରେ ଚଳିତ ବର୍ଷ ମେ’ରେ ନିର୍ବାଚନ ପାଇଁ ଘୋଷଣା ହୋଇପାରେ ବୋଲି କୁହାଯାଉଛି। ଆଗୁଆ ନିର୍ବାଚନ ପାଇଁ ନିର୍ବାଚନ କମିସନ ପ୍ରସ୍ତୁତ ଥିବା ପୂର୍ବରୁ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର