ଲୋକସଭା ନିର୍ବାଚନ : ମାର୍ଚ୍ଚ ପ୍ରଥମ ସପ୍ତାହରେ ତାରିଖ ଘୋଷଣା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ପ୍ରଥମ ସପ୍ତାହରେ ତାରିଖ ଘୋଷଣା ହୋଇପାରେ। ବର୍ତ୍ତମାନର ଲୋକସଭା କାର୍ଯ୍ୟକାଳ ୩ ଜୁନ୍‌ରେ ସମାପ୍ତ ହେବାକୁ ଥିବାରୁ ଆଗାମୀ ସାଧାରଣ ନିର୍ବାଚନ କେତେ ପର୍ଯ୍ୟାୟରେ ଏବଂ କେଉଁ ମାସରେ କରାଯିବ ସେ ସେଇ ନିର୍ବାଚନ କମିସନଙ୍କ ପ୍ରକ୍ରିୟା ଜାରି ରହିଛି। ବିଶ୍ବର ସବୁଠାରୁ ବଡ଼ ନିର୍ବାଚନ କାର୍ଯ୍ୟକ୍ରମ ତାରିଖ ଘୋଷଣା ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି।

ପୂର୍ବଥର ଭଳି ଏଥର ମଧ୍ୟ ନିର୍ବାଚନ କମିସନ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲୋକସଭା ସହ କରାଇବା ସମ୍ଭାବନା ରହିଛି। ଏହିସବୁ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ବିଧାନସଭା ନିର୍ବାଚନ ସମୟରେ ଶେଷ ହେଉଛି। ଏଥିସହିତ, ଜମ୍ମୁ-କଶ୍ମୀରରେ ମଧ୍ୟ ନିର୍ବାଚନ ହେବାର ସମ୍ଭାବନା ରହିଛି। ଜମ୍ମୁ-କଶ୍ମୀର ବିଧାନସଭା ଭାଙ୍ଗି ଯାଇଥିବାରୁ ସେଠାରେ ମଧ୍ୟ ୬ ମାସ ଭିତରେ ନିର୍ବାଚନ କରାଇବାକୁ ହେବ। ଏହି ରାଜ୍ୟରେ ନଭେମ୍ବର ୨୦୧୮ରେ ବିଧାନସଭା ଭଙ୍ଗ ହୋଇଥିଲା ଏବଂ ମେ ୨୦୧୯ ମଧ୍ୟରେ ନିର୍ବାଚନ କରାଇବାକୁ ପଡ଼ିବ। ତେବେ, ସୁରକ୍ଷା କର୍ମଚାରୀ ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ସ୍ଥିତିକୁ ଦେଖି ତାରିଖ ଚୂଡ଼ାନ୍ତ କରାଯିବ ବୋଲି ଜଣାପଡ଼ିଛି।

ପ୍ରକାଶଥାଉକି, ୨୦୦୪ରେ ନିର୍ବାଚନ କମିସନ ୨୯ ଫେବ୍ରୁଆରିରେ ଲୋକସଭା ନିର୍ବାଚନ ୪ଟି ପର୍ଯ୍ୟାୟରେ କରିବାକୁ ଘୋଷଣା କରିଥିଲେ। ପ୍ରଥମ ପର୍ଯ୍ୟାୟ ମତଦାନ ୨୦ ଏପ୍ରିଲ ଏବଂ ଶେଷ ପର୍ଯ୍ୟାୟ ମତଦାନ ୧୦ ମେ’ରେ ହୋଇଥିଲା। ୨୦୦୯ରେ ନିର୍ବାଚନ ଆୟୋଗ ୨ ମାର୍ଚ୍ଚରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିଥିଲେ। ୫ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିବାବେଳେ ଏହା ୧୬ ଏପ୍ରିଲ୍‌ରୁ ଆରମ୍ଭ ହୋଇ ୧୩ ମେ’ରେ ସମାପ୍ତ ହୋଇଥିଲା। ୨୦୧୪ରେ ନିର୍ବାଚନ କମିସନ ୫ ମାର୍ଚ୍ଚରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିଥିଲେ। ଏପ୍ରିଲ ଏବଂ ମେ’ରେ ୯ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ମତଦାନ ୭ ଏପ୍ରିଲ ଏବଂ ଶେଷ ପର୍ଯ୍ୟୟ ୧୨ ମେ’ରେ ହୋଇଥିଲା।

ସମ୍ବନ୍ଧିତ ଖବର