୧୦% ସଂରକ୍ଷଣ ବିଲ୍‌ ଲୋକସଭାରେ ଗୃହୀତ

ସପକ୍ଷରେ ୩୨୩, ବିରୋଧରେ ୩ ଭୋଟ୍‌, ରାଜ୍ୟସଭାରେ ଆଜି

ନୂଆଦିଲ୍ଲୀ : ସାଧାରଣ ବର୍ଗର ଗରିବଙ୍କ ପାଇଁ ଶିକ୍ଷା ଏବଂ ସରକାରୀ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ଆସନ ସଂରକ୍ଷଣ ନିମନ୍ତେ ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍‌ ଆଜି ଲୋକସଭାରେ ଗୃହୀତ ହୋଇଛି। ଭୋଟ୍‌ ଗ୍ରହଣ ବେଳେ ଗୃହରେ ୩୨୬ ସାଂସଦ ଉପସ୍ଥିତ ଥିଲେ। ବିଲ୍‌ ସପକ୍ଷରେ ୩୨୩ ଏବଂ ବିରୋଧରେ ୩ ଜଣ ଭୋଟ୍‌ ଦେଇଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ଥାୱର ଚନ୍ଦ୍ ଗେହଲଟ ଏହି ବିଲ ଆଗତ କରିଥିଲେ। ଆସନ୍ତାକାଲି ଏହି ବିଲକୁ ରାଜ୍ୟସଭାରେ ଆଗତ କରାଯିବ। ଗୃହରେ ସରକାରୀ ଦଳର ସଂଖ୍ୟାଗରିଷ୍ଠତା ନଥି‌େଲ ମଧ୍ୟ ଅନେକ ବିରୋଧୀ ଦଳ ଏହାକୁ ସମର୍ଥନ କରୁଥିବାରୁ ବିଲ ଅନୁମୋଦନ ଲାଭ କରିବାର
ସମ୍ଭାବନା ରହିଛି।

ଏହି ବିଲ ଉପରେ ଆଜି ଲୋକସଭାରେ ଦୀର୍ଘ ସାଢ଼େ ଚାରି ଘଣ୍ଟା ଧରି ଆଲୋଚନା ହୋଇଥିଲା। ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ ଗେହଲଟ୍ କହିଥିଲେ, ସାଧାରଣ ବର୍ଗର ଜନତା ଯେଉଁମାନେ ଦାରିଦ୍ରୢ ରେଖାର ନିକଟରେ ଜୀବନଯାପନ କରୁଛନ୍ତି ସେମାନଙ୍କ ପାଇଁ ଏହି ନୂତନ ସଂରକ୍ଷଣ ଆଇନ ନୂଆ ସୁଯୋଗ ସୃଷ୍ଟି କରିବ। ଆଲୋଚନାରେ ଭାଗନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଥିଲେ ଏହି ସଂରକ୍ଷଣ ପ୍ରତ୍ୟେକ ନାଗରିକଙ୍କୁ ସମାନ ସୁଯୋଗ ଦେବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି। ତେବେ ଏଆଇଏଡିଏମ୍‌କେ ସାଂସଦମାନେ ଏହାକୁ ବିରୋଧ କରି କହିଥିଲେ ଯେ ଦେଶରେ ଗରିବଙ୍କ ବିକାଶ ପାଇଁ ଚାଲିଥିବା ଯୋଜନାଗୁଡ଼ିକ ସଫଳ ହୋଇଛି କି ବିଫଳ ହୋଇଛି ତାହା ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ।

ବିଲ୍‌କୁ ବିରୋଧ କରି ଏଆଇଏମ୍‌ଆଇଏମ୍‌ ନେତା ଅସଉଦ୍ଦିନ ଅୱେସି କହିଥିଲେ ଯେ ସମ୍ବିଧାନ ପ୍ରଣେତା ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତି ଏହା ଏକ ଅପମାନ। ବିଲ୍‌ ସପକ୍ଷରେ ଯୁକ୍ତି କରି ରାମଦାସ ଅଠାୱଲେ ଏହାକୁ ମୋଦୀ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ବୋଲି କହିଥିଲେ। ବିଲ୍‌କୁ ବିରୋଧ କରି ଟିଏମ୍‌ସି ସାଂସଦ ସୁଦୀପ ବନ୍ଦୋପଧ୍ୟାୟ କହିଥିଲେ ଯେ ଏହା ଦେଶର ଯୁବକଙ୍କୁ ବିଭ୍ରାନ୍ତ କରିବ ଏବଂ ବଡ଼ ଧରଣର ଅନିଶ୍ଚିତତା ଦେଖାଦେବ।

ସମ୍ବନ୍ଧିତ ଖବର