ଲୋକସଭାରେ ନାଗରିକତା ବିଲ୍ ପାସ୍

ବିଲ୍ ସଂଖ୍ୟାଲଘୁ ବିରୋଧୀ ନୁହେଁ: ଅମିତ ଶାହ, ବିଲ୍‌ର କପି ଚିରିଲେ ଅୱେସି, ବିଲ୍‌କୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ବିରୋଧ

ନୂଆଦିଲ୍ଲୀ :‌ ଲୋକସଭାରେ ଆଜି ବହୁଚର୍ଚିତ ନାଗରିକତା ସଂଶୋଧନ ବିଲ୍ ଗ୍ୃହୀତ ହୋଇଯାଇଛି। ଆଜି ଦିନରେ ଆଗତ ହୋଇଥିବ‌‌ା ଏହି ବିଲ୍ ଉପରେ ୧୨ ଘଣ୍ଟା ଧରି ଆଲୋଚନା ପରେ ମଧ୍ୟରାତିରେ ଅନୁମୋଦନ ଲାଭ କରିଛି। ବିଲ୍ ସପକ୍ଷରେ ୩୧୧ ଜଣ ମତଦାନ କରିଥିବା ବେଳେ ୮୦ ଜଣ ଏହାର ବିରୋଧ କରିଥିଲେ।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଲୋଚନାର ଉତ୍ତର ଦେବାପରେ ବିଲ୍ ପାସ୍ ହୋଇଛି। ଏହି ବିଲରେ ରହିଥିବା ବ୍ୟବସ୍ଥା ନେଇ ବିରୋଧୀ ଦଳଙ୍କ ଆପତ୍ତିକୁ ଅଗ୍ରାହ୍ୟ କରିଦେଇ ଅମିତ ଶାହ ସ୍ପଷ୍ଟ କରିଦେଇଥିଲେ ଯେ ଏଥିରେ ଧର୍ମ ଆଧାରରେ କାହାରି ପ୍ରତି ଭେଦଭାବ କରାଯାଇ ନାହିଁ। ଭାରତରେ ରହୁଥିବା ମୁସଲମାନ ନାଗରିକ ଏହାଦ୍ବାରା ପ୍ରଭାବିତ ହେବେ ନାହିଁ। ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଏହା ୦.୦୦୦୧ ପ୍ରତିଶତ ବି ସଂଖ୍ୟାଲଘୁ ବିରୋଧୀ ନୁହେଁ। କିନ୍ତୁ ଏହା ଅନୁପ୍ରବେଶକାରୀ ବିରୋଧୀ। ବିଲ୍ ଅନ୍ୟ କାହାରି ବିରୋଧରେ ଭେଦଭାବ କରୁଛି ବୋଲି ପ୍ରମାଣ ଦେଲେ ମୁଁ ଏହାକୁ ପ୍ରତ୍ୟାହାର କରିନେବି। ଧାର୍ମିକ ନିର୍ଯାତନାର ଶିକାର ହୋଇ ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ଥାନରୁ ଆସିଥିବା ଅଣମୁସଲମାନମାନଙ୍କୁ ନାଗରିକତ୍ବ ପ୍ରଦାନ କରିବା ହେଉଛି ଏହି ବିଲର ମୂଳ ଲକ୍ଷ୍ୟ। ତେବେ ସମ୍ବିଧାନରେ ଥିବା ଧର୍ମନି‌ରପେକ୍ଷତା ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି। କୌଣସି ବ୍ୟକ୍ତି ଧାର୍ମିକ କାରଣରୁ ଭେଦଭାବର ଶିକାର ହେବା ଉଚିତ ନୁହେଁ। କିନ୍ତୁ ସୀମାକୁ ସୁରକ୍ଷା ଦେବା ଏବଂ ଶରଣାର୍ଥୀ ଓ ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରିବା ମଧ୍ୟ ରାଷ୍ଟ୍ରର ଦାୟିତ୍ବ ବୋଲି ଶାହ କହିଥିଲେ।

ତେବେ ଆଲୋଚନା ବେଳେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ବିଲକୁ ବିରୋଧ କରି ଏହାର କପିକୁ ଚିରିଦେଇଥିଲେ ଏଆଇଏମଏମ୍ ନେତା ଅସଦୁଦ୍ଦିନ ଅୱେସି। ସେ କହିଥିଲେ ଯେ ଧର୍ମ ନାମରେ ଦେଶକୁ ବିଭାଜନ କରିବା ଲାଗି ଏହା ଆଉ ଏକ ଷଡ଼ଯନ୍ତ୍ର। ଏହା ସଂପୂର୍ଣ୍ଣ ରୂପେ ସମ୍ବିଧାନ ବିରୋଧୀ। ଦେଶରେ ମୁସଲମାନ ସଂପ୍ରଦାୟକୁ ରାଜ୍ୟ-ବିହୀନ କରିବା ଲାଗି ଉଦ୍ୟମ ଚାଲିଛି ବୋଲି ସେ କହିଥିଲେ। ତେବେ ତାଙ୍କର ଏଭଳି ଆଚରଣକୁ ବାଚସ୍ପତି ନାପସନ୍ଦ କରିବା ସହିତ ଏହାକୁ ଗୃହର ବିବରଣୀରୁ ବାଦ ଦେବାଲାଗି କହିଥିଲେ। ଅନ୍ୟପକ୍ଷରେ ବିଜେପି ସଭ୍ୟମାନେ ଏହାକୁ ଗୃହର ଅବମାନନା ଦର୍ଶାଇ ଅୱେସିଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲେ।

କଂଗ୍ରେସକୁ କଡ଼ା ସମାଲୋଚନା କରି ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ସ୍ବାଧୀନତା ପରେ କଂଗ୍ରେସ ଯଦି ଦେଶକୁ ଧର୍ମ ଆଧାରରେ ଭାଗ ଭାଗ କରି ନଥାନ୍ତା ତାହେଲେ ଆଜି ଏହି ବିଲ୍‌ର ଆବଶ୍ୟକତା ପଡ଼ି ନଥାନ୍ତା। ଆଫଗାନିସ୍ଥାନ, ପାକିସ୍ତାନ ଏବଂ ବାଂଲାଦେଶର କୌଣସି ମୁସଲମାନ ଯଦି ଆଇନ ଅନୁସାରେ ନାଗରିକତା ଆବେଦନ କରନ୍ତି ତାହେଲେ ଆମେ ତାହାକୁ ବିଚାର କରିବୁ। କିନ୍ତୁ ଧାର୍ମିକ ଅତ୍ୟାଚାରର ଶିକାର ହୋଇ ନଥିଲେ ସଂପୃକ୍ତ ବ୍ୟକ୍ତି ଏହି ବିଲ୍ ସଂଶୋଧନର ଲାଭ ପାଇପାରିବେ ନାହିଁ। ଏହି ବିଲ୍ ମାଧ୍ୟମରେ ଉପରୋକ୍ତ ୩ଟି ଦେଶର ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ବ୍ୟକ୍ତି, ଯେଉଁମାନେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତକୁ ପଳାଇ ଆସିଛନ୍ତି ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବ।

୨୦୧୪ ଏବଂ ୨୦୧୯ ନିର୍ବାଚନ ବେଳେ ବିଜେପି ଏହାର ନିର୍ବାଚନ ଇସ୍ତାହାରରେ ଏ ନେଇ ପ୍ରତିଶ୍ରୁତି ଦେଇଥିବାରୁ ଏହାକୁ କାର୍ଯ୍ୟକାରୀ କରୁଛି। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ଉକ୍ତ ବିଲ୍‌ ଲୋକସଭାରେ ଗୃହୀତ ହୋଇଥିଲା। କିନ୍ତୁ ଲୋକସଭାର କାର୍ଯ୍ୟକାଳ ଶେଷ ହୋଇଯିବାରୁ ଉକ୍ତ ବିଲ୍‌କୁ ପୁଣି ଥରେ ଆଗତ କରାଯାଇଥିଲା। ଏହି ବିଲକୁ ବିଜେଡି ସମେତ ୱାଇଏସଆର କଂଗ୍ରେସ, ଶିବ ସେନା ଏବଂ ନୀତୀଶ କୁମାରଙ୍କ ଜେଡିୟୁ ସମର୍ଥନ ଜଣାଇଛନ୍ତି। ତେବେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ଏହାର ବିରୋଧ କରିଥିଲା।

ଇତିମଧ୍ୟରେ ଏହି ବିଲ୍‌କୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ତୀବ୍ର ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ଆସନ୍ତାକାଲି ଏହି ଅଞ୍ଚଳରେ ବିଭିନ୍ନ ରାଜନୈତିକ ସଂଗଠନ ବନ୍ଦ ପାଳନ ପାଇଁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର