ସୂଚନା ଅଧିକାର ସଂଶୋଧନ ବିଲ୍-୨୦୧୯‌ ଲୋକସଭାରେ ଗୃହୀତ: ବିରୋଧ କଲା ବିଜେଡି

ନୂଆଦିଲ୍ଲୀ : ସୂଚନା ଅଧିକାର (ଆରଟିଆଇ) ସଂଶୋଧନ ବିଲ୍-୨୦୧୯ ଆଜି ଲୋକସଭାରେ ଗୃହୀତ ହୋଇଛି। ଲୋକସଭାରେ ବିଜେଡି ଏହି ସଂଶୋଧନ ବିଲ୍‌କୁ ପ୍ରବଳ ବିରୋଧ କରିଥିଲା। ସଂଶୋଧନ ବିଲ୍ ଆଲୋଚନାରେ ଭାଗନେଇ ବିଜେଡି ସାଂସଦ ଭର୍ତୃହରି ମହତାବ କହିଛନ୍ତି, ସୂଚନା ଅଧିକାର ଆଇନ ଦେଶର ଏକ ଗୁରୁତ୍ବପୂର୍ଣ୍ଣ ଆଇନ ହୋଇଥିବା ବେଳେ ୨୦୦୬ରୁ ଏଥିରେ ସଂଶୋଧନ ପ୍ରସ୍ତାବ ରହିଛି । ବିଗତ ବର୍ଷର ସରକାର ଏବଂ ବର୍ତ୍ତମାନର ସରକାରଙ୍କ ଦ୍ବାରା ସୂଚନା ଅଧିକାର ଆଇନରେ ସଂଶୋଧନ ପାଇଁ ପ୍ରୟାସ କରାଯାଉଛି । ମୁଲ୍ ବିଲ୍‌ର ଦୃଢ଼ତାକୁ ହ୍ରାସ କରିବା ପାଇଁ ପ୍ରୟାସ କରାଯାଉଛି। ସୂଚନା ଅଧିକାର ଆଇନ ବ୍ୟବହାର କରିଥିବା ଲୋକଙ୍କ ମଧ୍ୟରୁ ୮୦ ଜଣଙ୍କୁ ହତ୍ୟା କରାଯାଇଛି। ଦୁର୍ନୀତିର ପର୍ଦ୍ଦାଫାସ କରୁଥିବା ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଆଇନ ଗୃହରେ ବିଚାରାଧୀନ ଥିବା ବେଳେ ଆଇନରେ ଏଭଳି ସଂଶୋଧନ ଏହାକୁ ଦୁର୍ବଳ କରିବ ବୋଲି ମହତାବ କହିଥିଲେ। ସୂଚନା ଅଧିକାର ସଂଶୋଧନ ବିଲ୍ ପାରିତ ହେଲେ ଏହା ସରକାରଙ୍କ ଆଉ ଏକ ବିଭାଗର ରୂପ ନେବ। ସୂଚନା କମିସନରଙ୍କ ୫ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତିର ବ୍ୟବସ୍ଥା ଥିବା ବେଳେ ସଂଶୋଧନ ଦ୍ବାରା ସୂଚନା ଅଧିକାର ଆଇନ ଦୁର୍ବଳ ହୋଇପଡ଼ିବ ବୋଲି ସେ କହିଥିଲେ। ସୂଚନା ଅଧିକାର ଆଇନ ସଂଶୋଧନ ଯୋଗୁଁ ସାମ୍ବିଧାନିକ ନୀତିର ମଧ୍ୟ ଉଲ୍ଲଂଘନ ହେଉଛି ଏବଂ ଏହି ଆଇନ ଏବେ ଅମଲାତନ୍ତ୍ର ହାତକୁ ଚାଲିଯିବ ବୋଲି ମହତାବ ଆଶଙ୍କା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର