୧୭ତମ ଲୋକସଭା, ଆରମ୍ଭ ହେଲା ପ୍ରଥମ ଅଧିବେଶନ

ନୂଆଦିଲ୍ଲୀ: ୧୭ତମ ଲୋକସଭାର ପ୍ରଥମ ତଥା ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ କାମଚଳା ବାଚସ୍ପତି ଭାବେ ବୀରେନ୍ଦ୍ର କୁମାରଙ୍କୁ ଚୟନ କରାଯାଇଛି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଥମ ଅଧିବେଶନର ଆରମ୍ଭ ଭଳି ପବିତ୍ର ଉତ୍ସବ ଉପଲକ୍ଷେ ପରମ୍ପରା ଅନୁଯାୟୀ ସଦସ୍ୟମାନେ କିଛି ମିନିଟ ପାଇଁ ନିରବରେ ଛିଡ଼ା ହୋଇଥିଲେ। ଏହାପରେ ଲୋକସଭାର ସେକ୍ରେଟାରି ଜେନେରାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଶପଥ ଗ୍ରହଣ ପାଇଁ ଡାକିଲେ। ମୋଦୀଙ୍କ ନାମ ‌ଡକାହେବା ମାତ୍ରେ ଏନଡିଏର ସାଂସଦମାନେ ‌‘ମୋଦୀ ମୋଦୀ’ ଏବଂ ‘ଭାରତ ମାତା କି ଜୟ’ ଧ୍ବନିରେ ଗୃହ ପ୍ରକମ୍ପିତ କରିଥିଲେ। ମୋଦୀ ଶପଥ ନେବା ପରେ ପ୍ରିଜାଇଡିଂ ଅଫିସର ପ୍ୟାନେଲ ଭାବେ କେ. ସୁରେଶ, ବ୍ରିଜଭୂଷଣ ଶରଣ ସିଂହ, ଭର୍ତ୍ତୃହରି ମହତାବ ଶପଥ ନେଇଥିଲେ। ଭର୍ତ୍ତୃହରି ଓଡ଼ିଆରେ ଶପଥ ନେଇଥିଲେ। ପ୍ରଥମେ ସଂସଦ ବାହାରେ ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚିବା ମାତ୍ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସମେତ ଅଧିକାଂଶ ମନ୍ତ୍ରୀ ହିନ୍ଦୀରେ ଶପଥ ନେଇଥିବାବେଳେ ଆଉ କେତେଜଣ ଇଂରାଜୀ, ସଂସ୍କୃତ ଏବଂ ଅନ୍ୟ ଆଞ୍ଚଳିକ ଭାଷାରେ ଶପଥ ନେଇଥିଲେ।

ଓଡ଼ିଶାରୁ ପ୍ରଥମ ସାଂସଦଭାବେ ଜୁଏଲ ଓରାମ୍ ଶପଥ ନେଇଥିଲେ। ସେ ଓଡ଼ିଶାରେ ଶପଥ ନେଇଥିଲେ। ଦେଶର ସର୍ବକନିଷ୍ଠ ଏମପି କେନ୍ଦୁଝରର ଚନ୍ଦ୍ରାଣୀ ମୁର୍ମୁ ମଧ୍ୟ ଆଜି ଶପଥ ନେଇଛନ୍ତି। ସେ ଶପଥ ନେବା ସମୟରେ ଗୃହରେ ସଦସ୍ୟମାନେ ଦୀର୍ଘ ସମୟ ଧରି ଡେସ୍କ ବାଡେଇ ତାଙ୍କୁ ବାହାବା ଦେଉଥିବା ଦେଖିବାକୁ ମିଳିଥିଲା।

ସଂସ୍କୃତରେ ଶପଥ ନେଲେ ପ୍ରତାପଙ୍କ ସମେତ ୪ ମନ୍ତ୍ରୀ
ସାଂସଦଭାବେ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ହର୍ଷ ବର୍ଦ୍ଧନ, ଶ୍ରୀପଦ ନାଏକ, ଅଶ୍ବିନୀ ଚୌବେ ସଂସ୍କୃତରେ ଶପଥ ନେଇଛନ୍ତି। ସାଂସଦମାନେ ରାଜ୍ୟ ଅନୁସାରେ ଶପଥ ନେଇଥିଲେ। ରାମଙ୍କ ନାମରେ ଶପଥ ନେଲେ ବସନ୍ତ ଏମପି ବସନ୍ତ ପଣ୍ଡା ପ୍ରଭୂ ରାମଙ୍କ ନାମ ନେଇ ଆଜି ଶପଥ ନେଇଛନ୍ତି। ଓଡ଼ିଶା ଏମପିଙ୍କ ଶପଥ ଗ୍ରହଣ କାର୍ଯ୍ୟ ଶେଷ ହେବା ପର୍ଯନ୍ତ ଆଜି ଗୃହର କାର୍ଯ୍ୟସମୟକୁ ବୃଦ୍ଧି କରାଯାଇଥିଲା। ଶେଷରେ କଂଗ୍ରେସର କୋରାପୁଟ ‌ଏମପି ସପ୍ତଗିରି ଉଲ୍ଲାକା ଶପଥ ନେବା ପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରଖାଯାାଇଥିଲା।

ସ୍ମୃତି ଶପଥ ନେବାବେଳେ ବାହାବା
୧୭ ତମ ଲୋକସଭାର ପ୍ରଥମ ଅଧିବେଶନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ସାଂସଦମାନେ ଶପଥ ଗ୍ରହଣ କରିଛନ୍ତି।‌ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଆଜି ସାଂସଦ ଭାବେ ଶପଥ ଗ୍ରହଣ କରିଥିଲେ। ତେବେ ସ୍ମୃତି ଶପଥ ନେବା ସମୟରେ ସବୁଠୁ ଅଧିକ ସମୟ ତାଳି ବାଜିଥିବା ଦେଖିବାକୁ ମିଳିଥିଲା। ସ୍ମୃତିଙ୍କୁ ଶପଥ ଗ୍ରହଣ ପାଇଁ ଡକାଯିବା ପରେପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ସହ ବିଜେପି ସଦସ୍ୟମାନେ ଅନେକ ସମୟ ପର୍ଯ୍ୟନ୍ତ ଟେବୁଲ୍‌ରେ ହାତ ବାଡ଼େଇଥିବା ଦେଖିବାକୁ ମିଳିଛି। ତେବେ ଏହି ସମୟରେ ରାହୁଲ ଗାନ୍ଧୀ ଗୃହରେ ଉପସ୍ଥିତ ନଥିଲେ।

ସାଧ୍ବୀଙ୍କ ନାଁକୁ ନେଇ ବିବାଦ
ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ଆଜି ଶପଥ ନେବା ସମୟରେ ବିବାଦ ସୃଷ୍ଟି କରିଛନ୍ତି। ସାଧ୍ବୀ ଶପଥ ନେବା ସମୟ‌ରେ ତାଙ୍କ ନାଁ ସହ ତାଙ୍କ ଆଧ୍ୟାତ୍ମିକ ଗୁରୁଙ୍କ ନାଁ ସ୍ବାମୀ ପୂର୍ନ ଚେତନାନନ୍ଦ ଅବଧେଶାନନ୍ଦ ଗିରି ଯୋଡ଼ିଥିବାରୁ ଏହାକୁ ବିରୋଧୀ ଦଳମାନେ ପ୍ରବଳ ବିରୋଧ କରିଥିଲେ। ଏହା ଗ୍ରହଣ ଯୋଗ୍ୟ ନୁହେଁ ବୋଲି ବିରୋଧୀ ଦଳ ସଦସ୍ୟମ‌ାନେ କହିଥିଲେ। କିନ୍ତୁ ସାଧ୍ବୀ କହିଛନ୍ତି ତାଙ୍କ ନାଁ ପଛରେ ସେ ଯେଉଁ ନାଁ ଯୋଡ଼ିଛନ୍ତି ତାହା ତାଙ୍କ ନାଁର ଅଂଶବିଶେଷ। ଶପଥ ଗ୍ରହଣ ପାଇଁ ସେ ପୂରଣ କରିଥିବା ଫର୍ମରେ ମଧ୍ୟ ‌ସେ ଏହି ନାଁ ରଖିଛନ୍ତି ବୋଲି କହିଛନ୍ତି। ଏହି ସମୟରେ କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାର ଲୋକସଭା ସାଧାରଣ ସଚିବଙ୍କଠାରୁ ସାଧ୍ବୀଙ୍କ ପୂରାନାମ ବୁଝିଥିଲେ ଏବଂ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ନିର୍ବାଚନ ସାର୍ଟିଫିକେଟ୍‌ରେ ଯେଉଁ ନାଁ ରହିଛି ତାହା ହିଁ ରେକର୍ଡରେ ରହିବ ବୋଲି କହିଥିଲେ।

ବିଳମ୍ବରେ ସଂସଦ ପହଞ୍ଚିଲେ ରାହୁଲ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ବିଳମ୍ବରେ ସଂସଦରେ ପହଞ୍ଚିଥିଲେ। ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠିବାପରେ ରାହୁଲ ପ୍ରଥମେ ଟ୍ବିଟ୍‌ ମାଧ୍ୟମରେ ସ୍ପ‌ଷ୍ଟୀକରଣ ଦେଇଥିଲେ ଏବଂ ପରେ ଗୃହରେ ହାଜର ହୋଇ ଶପଥ ଗ୍ରହଣ କରିଥିଲେ। ଶପଥ ନେବାପରେ ରାହୁଲ ସଂସଦର ରେଜିଷ୍ଟର୍‌ରେ ସ୍ବାକ୍ଷର କରିବାକୁ ଭୁଲିଯାଇଥି‌ଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନ୍ୟାମାନେ ରାହୁଲଙ୍କୁ ଏନେଇ ମନେ ପକାଇବାପରେ ସେ ପୁଣିଥରେ ଯାଇ ‌ରେଜିଷ୍ଟରରେ ସ୍ବାକ୍ଷର କରିଥିଲେ। ରାହୁଲ ଅଧିବେଶନର ଆରମ୍ଭରେ ଗୃହରେ ଉପସ୍ଥିତ ନଥିଲେ। ରାହୁଲଙ୍କ ଅନୁପସ୍ଥିତିକୁ ନେଇ ଗୃହରେ ଚର୍ଚ୍ଚା ହୋଇଥିଲା। ପ୍ରଧାନମନ୍ତ୍ରୀ ଶପଥ ନେବାବେଳେ ଗୃହରେ ସଦସ୍ୟମାନେ ମୋଦୀ ମୋଦୀ ସ୍ଲୋଗାନ ଦେଇଥିଲେ। ଏହି ସମୟରେ ମନ୍ତ୍ରୀ ରାମଦାସ ଅଠାୱାଲେ ନିଜ ସିଟ୍‌ରୁ ଉଠିଯାଇ ରାହୁଲ କାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାପାରେ ବିରୋଧୀ ଦଳ ପକ୍ଷରୁ ଉତ୍ତର ଆସିଥିଲା ଯେ ରାହୁଲ ଏଠି ଅଛନ୍ତି ଏବଂ ସେ ଖୁବ୍‌ ଶୀଘ୍ର ଆସିବେ।

ସମ୍ବନ୍ଧିତ ଖବର