ଲୋକସଭା ବାଚସ୍ପତି ନିର୍ବାଚନ, ବିଜେପିକୁ ସମର୍ଥନ କରିବ ବିଜେଡି

ଉପବାଚସ୍ପତି ପଦକୁ ସସପେନ୍ସ ଜାରି , ଚର୍ଚ୍ଚାରେ ଭର୍ତ୍ତୃହରିଙ୍କ ନାଁ

ନୂଆଦିଲ୍ଲୀ: ମଙ୍ଗଳବାର ବିଧିବଦ୍ଧ ଭାବେ ସପ୍ତଦଶ ଲୋକସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ରାଜସ୍ଥାନ କୋଟାରୁ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିବା ଓମ୍ ବିର୍ଲାଙ୍କୁ ଏନଡିଏ ପକ୍ଷରୁ ପ୍ରାର୍ଥୀ କରାଯାଇଛି। ଲୋକସଭାରେ ଏନ୍‌ଡିଏର ବହୁମତ ଥିବାରୁ ବାଚସ୍ପତି ରୂପେ ଓମ୍ ବିର୍ଲାଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ରହିଛି। ତେବେ ଓମ୍ ବିର୍ଲାଙ୍କ ପ୍ରାର୍ଥୀତ୍ବକୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ କରିବ ବୋଲି ଘୋଷଣା କରିଛି। ଆଜି ସକାଳେ ସଂସଦ ଭବନରେ ଥିବା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଜେଡି ସଂସଦୀୟ ଦଳର ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ରଙ୍କ ସୂଚନା ଅନୁସାରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ବିଜେପିର କିଛି ବରିଷ୍ଠ ନେତୃବୃନ୍ଦ ବାଚସ୍ପତି ନିର୍ବାଚନରେ ସହମତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାର ନାହିଁ। କାରଣ ଏନ୍‌ଡିଏର ସଂଖ୍ୟା ଅଧିକ ରହିଛି। ଏହା ନିର୍ବାଚନ ନୁହେଁ ବରଂ ଚୟନ ପ୍ରକ୍ରିୟା। ଆମେ କେନ୍ଦ୍ର ସହ ଗଠନମୂଳକ ସହଯୋଗ ନୀତିରେ ତାଙ୍କ ଦଳ ଦ୍ବାରା ଚୟନ କରାଯାଇଥିବା ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ସମର୍ଥନ କରୁଛୁ ବୋଲି ପିନାକୀ କହିଥିଲେ। ସେ ପୁଣି ସୂଚନା ଦେଇ କହିଥିଲେ ଆଜି ବିଜେଡି ସଂସଦୀୟ ଦଳର ବୈଠକରେ ବାଚସ୍ପତି ପ୍ରାର୍ଥୀ ପାଇଁ ଓମ୍ ବିର୍ଲାଙ୍କ ପ୍ରାର୍ଥୀତ୍ବକୁ ପ୍ରସ୍ତାବକ ରୂପେ ସେ ସ୍ବାକ୍ଷର କରିଥିବା ବେଳେ ଲୋକସଭା‌େର ବିଜେଡିର ମୁଖ୍ୟ ସଚେତକ ଅଚ୍ୟୁତ ସାମନ୍ତ ପ୍ରସ୍ତାବକୁ ସମର୍ଥକ ରୂପେ ସ୍ବାକ୍ଷର କରିଥିଲେ।ସଂସଦର ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ପଦ ପାଇଁ ଅନେକ ବରିଷ୍ଠ ବିଜେପି ନେତାମାନଙ୍କ ନାମ ଚର୍ଚ୍ଚାର ପରିସରକୁ ଆସିଥିଲା। ବାଚସ୍ପତି ଦୌଡ଼ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ମେନେକା ଗାନ୍ଧୀ, ରାଧାମୋହନ ସିଂହ, ଏସ୍‌ଏସ୍‌ ଆଲୁଵାଲିୟାଙ୍କ ସମେତ ରାମାପତିରାମ ତ୍ରିପାଠୀ, ଡକ୍ତର ବୀରେନ୍ଦ୍ର କୁମାରଙ୍କ ନାମକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିଲା। ହେଲେ ଆଦୌ ଚର୍ଚ୍ଚାରେ ନ ଥିବା ରାଜସ୍ଥାନର ବିଜେପି ସାଂସଦ ଓମ୍ ବିର୍ଲାଙ୍କ ନାମ ଘୋଷଣା ସମସ୍ତଙ୍କୁ ଚକିତ କରି ଦେଇଛି। ଅପରପକ୍ଷେ ରାଷ୍ଟ୍ରପତି ଓ ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନ ଭଳି ଏଥର ବାଚସ୍ପତି ନିର୍ବାଚନରେ ବିଜେପି ସପକ୍ଷରେ ବିଜେଡି ନିଜର ଆଭିମୁଖ୍ୟକୁ ପୁଣି ଦୋହରାଇଛି।

ତେବେ ଲୋକସଭାରେ ଉପବାଚସ୍ପତି କିଏ ହେବେ ସେନେଇ ସସ୍‌ପେନ୍ସ ଜାରି ରହିଛି। ପ୍ରଥମେ ବିଜେଡିକୁ ଏହି ପଦ ଏନ୍‌ଡିଏ ଦେବାକୁ ଯୋଜନା କରୁଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଏନ୍‌ଡିଏର ସହଯୋଗୀ ଶିବସେନା ଏହି ପଦ ପାଇଁ ପ୍ରକୃତ ଦାବିଦାର ବୋଲି ଗଣମାଧ୍ୟମରେ ନିଜର ସ୍ବର ଶାଣିତ କରିଥିଲା। ଏହାପରେ ଵାଇଏସ୍‌ଆର୍‌ କଂଗ୍ରେସ ଦଳକୁ ଏହି ପଦ ପାଇଁ ବିଜେପି ସୁଯୋଗ ଦେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଶାସକ ଦଳ ଉପବାଚସ୍ପତି ପଦ ପାଇଁ କାର୍ଡ ଖୋଲିନାହିଁ। ଗତକାଲି ବିଜେଡି ସାଂସଦ ଭର୍ତୃହରି ମହତାବ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଆସନରୁ ଠିଆହୋଇ ତାଙ୍କ ସହ ହାତ ମିଳାଇବା ରାଜନୈତିକ ମହଲରେ ଚର୍ଚ୍ଚା ପାଇଁ ବେଶ୍ ଖୋରାକ ଯୋଗାଇଛି। ରାଜନୈତିକ ସମୀକ୍ଷକମାନଙ୍କ ମତରେ ଉପବାଚସ୍ପତି ପଦ ପାଇଁ ସମ୍ଭବତଃ ବିଜେଡିକୁ ଏନଡିଏ ଅଫର ଦେଇପାରେ। ଏହି ପ୍ରସଙ୍ଗରେ ଲୋକସଭାର ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର କହିଛନ୍ତି ଲୋକସଭାର ଉପବାଚସ୍ପତି ପଦ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ସଂକେତ କି ସୂଚନା ଆସିନାହିଁ। ବାଚସ୍ପତି ନିର୍ବାଚନ ପରେ ଉପବାଚସ୍ପତି ନିର୍ବାଚନ ପ୍ରସଙ୍ଗ ଉଠିବ। ଲୋକସଭାରେ ଶାସକ ଦଳ ଯଦି କିଛି ପ୍ରସ୍ତାବ ଦିଅନ୍ତି ତାହା ଉପରେ ମୁଖ୍ୟମନ୍ତ୍ରୀ ବିଚାର କରିବେ ବୋଲି ପିନାକୀ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର