ଶୁକ୍ରବାର ଶକ୍ତି ପରୀକ୍ଷା : ଏନ୍‌ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଗୃହୀତ, ଶୁକ୍ରବାର ଆଲୋଚନା ଏବଂ ମତଦାନ

୧୫ ବର୍ଷରେ ପ୍ରଥମ ଅନାସ୍ଥା ପ୍ରସ୍ତାବ, ବିଜେଡି ଉପରେ ନଜର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଗୃହୀତ ହୋଇଛି। ଆଜି ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିବସରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏହି ଘୋଷଣା କରିଛନ୍ତି। ତେଲୁଗୁ ଦେଶମ ପକ୍ଷରୁ ଆଗତ ଏହି ପ୍ରସ୍ତାବ ଉପରେ ଆସନ୍ତା ଶୁକ୍ରବାର ଦିନସାରା ଆଲୋଚନା ହେବ ଏବଂ ଶେଷରେ ମତଦାନ କରାଯିବ। ଗତ ୧୫ ବର୍ଷରେ ପ୍ରଥମ ଥର ଲାଗି ଏଭଳି ପ୍ରସ୍ତାବ ଆଲୋଚନା ପାଇଁ ଗୃହୀତ ହୋଇଛି। ତେବେ ମୋଦୀ ସରକାର ପାଇଁ ଏହା ଚିନ୍ତାର କାରଣ ନୁହେଁ। କାରଣ ସରକାର ସପକ୍ଷରେ ଆବଶ୍ୟକତା ଠାରୁ ଅଧିକ ସମର୍ଥନ ରହିଛି। ଶକ୍ତି ପରୀକ୍ଷା ପାଇଁ ୨୬୮ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ କେବଳ ବିଜେପିର ୨୭୩ ସଭ୍ୟ ଅଛନ୍ତି।

ଅନାସ୍ଥା ପ୍ରସ୍ତାବ ପାଇଁ ଆସିଥିବା ନୋଟିସକୁ ଗ୍ରହଣ କରି ବାଚସ୍ପତି ମହାଜନ କହିଲେ ଯେ ଲୋକସଭାର ୫୦ରୁ ଅଧିକ ସଭ୍ୟ ଏହି ନୋଟିସକୁ ସମର୍ଥନ କରିଥିବାରୁ ଏହାକୁ ଆଲୋଚନା ଏବଂ ମତଦାନ ପାଇଁ ଗ୍ରହଣ କରାଯାଇଛି। ଏହି ନୋଟିସକୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି ଏବଂ ସିପିଏମ୍‌ ସମର୍ଥନ କରିଛନ୍ତି।

ବାଚସ୍ପତି କହିଲେ ଯେ ଶୁକ୍ରବାର ଦିନସାରା ଏହି ପ୍ରସ୍ତାବ ଉପରେ ଆଲୋଚନା ହେବ ଏବଂ ଶେଷରେ ମତଦାନ କରାଯିବ। ସେଦିନ ଅନ୍ୟ କୌଣସି ଆଲୋଚନା ହେବନାହିଁ। ଏପରିକି ପ୍ରଶ୍ନକାଳ ମଧ୍ୟ ହେବନାହିଁ। ଟିଡିପିର କେ. ଶ୍ରୀନିବାସ ଆଲୋଚନାର ଆରମ୍ଭ କରିବେ। ତାଙ୍କ ଦଳ ପ୍ରଥମେ ଏହି ନୋଟିସ ଦେଇଥିବାରୁ ତାଙ୍କୁ ସୁଯୋଗ ମିଳିବ। କିନ୍ତୁ ଏହାକୁ ବିରୋଧ କରିଥିଲେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ। ସେ କହିଥିଲେ ଯେ କଂଗ୍ରେସ ବୃହତ୍‌ ବିରୋଧୀ ଦଳ ହୋଇଥିବାରୁ ଆଲୋଚନା ଆରମ୍ଭ ହେବା ପାଇଁ ତାଙ୍କୁ ପ୍ରଥମେ ସୁଯୋଗ ମିଳିବା ଉଚିତ। କିନ୍ତୁ ତାଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରି ବାଚସ୍ପତି କହିଥିଲେ ଯେ ନିୟମ ଅନୁଯାୟୀ ପ୍ରଥମେ ନୋଟିସ ଦେଇଥିବା ଦଳକୁ ଏହି ସୁଯୋଗ ମିଳିବ।

ସୂଚନାଯୋଗ୍ୟ, ଗତ ବଜେଟ ଅଧିବେଶନରେ ଏଭଳି ନୋଟିସ ଆସିଥିଲେ ମଧ୍ୟ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ। ଅନ୍ୟପକ୍ଷରେ ଏହି ଅଧିବେଶନ ଆନ୍ନାଡିଏମ୍‌କେ, ଟିଡିପି ଓ ଟିଆରଏସ୍‌ ସଭ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅଚଳ ହୋଇପଡ଼ିଥିଲା। ଗତ ୧୮ ବର୍ଷରେ ଏଭଳି ଅଚଳାବସ୍ଥା କେବେ ଦେଖିବାକୁ ମିଳି ନଥିଲା।

ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଉପରେ ହୁଏତ ବିରୋଧୀ ଦଳଗୁଡ଼ିକର ଆସ୍ଥା ନାହିଁ, କିନ୍ତୁ ଦେଶର ଜନତାଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି। ବିଜେପି ହିଁ ଶେଷରେ ଆସ୍ଥା ଜିଣିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିରୋଧୀଙ୍କୁ ଦୃଢ଼ ଜବାବ ଦିଆଯିବ ବୋଲି ସେ କହିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକସଭାରେ ନିଜ ସପକ୍ଷରେ ଥିବା ସଦସ୍ୟଙ୍କୁ ନେଇ ଆଜି ଭିନ୍ନ ମତ ପୋଷଣ କରିଛନ୍ତି। ସେ କହିଛନ୍ତି, ‘କିଏ କହିଲା ଆମ ନିକଟରେ ସଂଖ୍ୟା ନାହିଁ’। ଏଥିରୁ ଜଣାପଡୁଛି ଆସନ୍ତା ଶୁକ୍ରବାର ଲୋକସଭାରେ ହେବାକୁ ଥିବା ଭୋଟିଂରେ କିଛି ନା କିଛି ପରିବର୍ତ୍ତନ ଘଟିପାରେ। ଉଲ୍ଲେଖଯୋଗ୍ୟ, ୨୦୦୩ରେ ସୋନିଆ ଗାନ୍ଧୀ ତତ୍‌କାଳୀନ ଏନ୍‌ଡିଏ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ସେତେବେଳେ ବିରୋଧୀ ଦଳଗୁଡ଼ିକ ନିକଟରେ ଆବଶ୍ୟକ ସଂଖ୍ୟା ନ ଥାଇ ବି ସେମାନେ ଏଥିପାଇଁ ଉଦ୍ୟମ କରି କିଛି ଫାଇଦା ପାଇବାକୁ ଉଦ୍ୟମ କରିଥିଲେ।

୫୩୫ ସଭ୍ୟ ବିଶିଷ୍ଟ ଲୋକସଭାରେ ବିଜେପିର ୨୭୩ ସଭ୍ୟଙ୍କୁ ମିଶାଇ ଏନଡିଏର ୩୧୩ ସଭ୍ୟ ଅଛନ୍ତି। ଏମାନେ ସମସ୍ତେ ଅନାସ୍ଥାକୁ ବିରୋଧ କରିବେ ବୋଲି ଅନନ୍ତ କୁମାର କହିଛନ୍ତି। ବିରୋଧୀ ଦଳରେ ୟୁପିଏର ୬୩ ସଭ୍ୟ ଥିବା ବେଳେ ତୃଣମୂଳ କଂଗ୍ରେସର ୩୪, ଟିଡିପିର ୧୬ ଏବଂ ଟିଆରଏସର ୧୧ ସଭ୍ୟ ଅଛନ୍ତି।

ବିଜେଡି ଉପରେ ନଜର

ନୂଆଦିଲ୍ଲୀ : ଏନ୍‌ଡିଏ ସରକାରକୁ ସମର୍ଥନ ଦେବେ ନା ବିରୋଧ କରିବେ। ବର୍ତମାନ ଭଳି ଉଭୟ କଂଗ୍ରେସ ଓ ବିଜେପି ନେତୃୃତ୍ୱାଧୀନ ମେଣ୍ଟ ଠାରୁ ଦୂରେଇ ରହିବା ନିଷ୍ପତ୍ତିରେ ଅଟଳ ରହି ଭୋଟଦାନରୁ ବିରତ ରହିବେନି ତ?

ସଂସଦରେ ଏନ୍‌ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବା ପରେ ବିଜେଡିର ରାଜନୈତିକ ଗୋଟିଚାଳନା ନେଇ ଏମିତି ପ୍ରଶ୍ନରେ ଛନ୍ଦି ହୋଇପଡିଛନ୍ତି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଓ କଂଗ୍ରେସ ନେତୃତ୍ୱାଧୀନ ମିଳିତ ବିରୋଧୀ ଦଳ। ଯେହେତୁ ଆଉ କେଇ ମାସ ପରେ ସାଧାରଣ ନିର୍ବାଚନ ରହିଛି ଓ ଦେଶରେ ନୂଆ ସମୀକରଣ ନେଇ ଚର୍ଚ୍ଚା ଚାଲିଛି, ଏଣୁ ସ୍ୱାଭାବିକ ଭାବେ ବିଜେଡିର ଏହି ଗୋଟିଚାଳନା ରାଜନୈତିକ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱ ରଖୁଛି।

ଅନ୍ୟପକ୍ଷରେ ଯଦିଓ ବିଭିନ୍ନ ରାଜନୈତିକ ଦଳ ନିଜର ଭୂମିକା ନିର୍ଣ୍ଣୟ କରି ଇତିମଧ୍ୟରେ ଦଳର ସାଂସଦଙ୍କ ଉପରେ ହ୍ଵିପ୍‌ ଜାରି କରିସାରିଲେଣି। କିନ୍ତୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବିଜେଡି ଠୋସ୍‌ କୌଣସି ନିଷ୍ପତ୍ତି ନେଇନାହିଁ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ବିଜେଡିର ଶୀର୍ଷସ୍ତରରେ ଏ ନେଇ ବିଚାର ବିମର୍ଶ ଜାରି ରହିଛି। ସେପଟେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃୃହରି ମହତାବଙ୍କର ମତାମତ ମିଳିଛି। ଶ୍ରୀ ମହତାବ କହିଛନ୍ତି, ଆସନ୍ତାକାଲି ସକାଳ ସାଢେ ୯ଟା ବେଳେ ବିଜେଡି ସଂସଦୀୟ ଦଳର ବୈଠକ ଡକାଯାଇଛି। ଏଥିରେ ଉଭୟ ଲୋକସଭା ଓ ରାଜ୍ୟସଭାର ସମସ୍ତ ସଭ୍ୟ ଉପସ୍ଥିତ ରହିବେ। ଏହି ବୈଠକରେ ଦଳୀୟ ଆଭିମୁଖ୍ୟ କଣ ହେବ, ସେ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇପାରେ। ସେହିଭଳି ବିଜେଡି ସଂସଦୀୟ ଦଳ ମୁଖପାତ୍ର କଳିକେଶ ନାରାୟଣ ସିଂହଦେଓ କହିଛନ୍ତି, ଏହି ବୈଠକରେ ବିଜେଡିର ମୌସୁମୀ ଅଧିବେଶନର ରଣନୀତି ସଂପର୍କରେ ମଧ୍ୟ ଆଲୋଚନା ହେବ।

ଉଲ୍ଲେଖଯୋଗ୍ୟ, ବିଜେଡି ଏବେ ଉଭୟ ବିଜେପି ଓ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ଠାରୁ ସମଦୂରତ୍ୱ ଅବଲମ୍ବନ କରୁଛି। ଏପରିକି ଜାତୀୟ ସ୍ତରରେ ବିଭିନ୍ନ ଦଳ ମିଶି ନୂଆ ସମୀକରଣ ସୃଷ୍ଟି ଲାଗି କସରତ ଚଳାଇଥିବା ବେଳେ ବିଜେଡି ଏଥିରେ ସାମିଲ ହେଉନାହିଁ। ଫଳରେ ବିଜେଡିର ଆଭିମୁଖ୍ୟ ସବୁ ରାଜନୈତିକ ଦଳକୁ ଦ୍ୱିିଧାରେ ପକାଇଛି।

ସ୍ଥିତି ଅଧିକ ରୋଚକ ହୋଇପ଼ଡିଛି ଏଇଥିପାଇଁ ଯେ ଗତ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଖୋଲା ସମର୍ଥନ ଦେଇଥିଲା। ମାତ୍ର ଉପରାଷ୍ଟ୍ରପତି ନିର୍ବାଚନ ବେଳେ ବିନା ଦ୍ୱିଧାରେ ଦଳ ଏନ୍‌ଡିଏ ପ୍ରାର୍ଥୀଙ୍କ ବିରୋଧରେ ମତଦାନ କରିଥିଲା। ସେହିଭଳି ଜିଏସ୍‌ଟି ଆଦି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଅନୁମୋଦନ ବେଳେ ବିଜେଡି ଚାଲ୍‌ ରାଜନୈତିକ ଦଳ ପାଇଁ ଆଜିଯାଏ ଅବୁଝା ରହିଛି।

ଏଠାରେ ପ୍ରକାଶଥାଉକି, ଲୋକସଭାରେ ବିଜେଡିର ୨୦ ଜଣ ସଦସ୍ୟ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆଜି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାକୁ ବାଚସ୍ପତି ଗ୍ରହଣ କରିଛନ୍ତି। ଆସନ୍ତାକାଲି ଏ ସଂକ୍ରାନ୍ତରେ ସଂସଦରେ ଘୋଷଣା ହୋଇପାରେ। ଏପରେ ହେଲେ ବିଜେଡି ସଦସ୍ୟ ସଂଖ୍ୟା ୧୯କୁ ଖସିବ। ସେହିଭଳି ରାଜ୍ୟସଭାରେ ବିଜେଡିର ୯ ଜଣ ସଦସ୍ୟ ଅଛନ୍ତି ଓ ଜଣେ ସଭ୍ୟ କଂଗ୍ରେସର। ଉଭୟ ଏନ୍‌ଡିଏ ଓ ବିରୋଧୀ ମେଣ୍ଟ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୈତିକ ମହଲ ବିଚାର କରୁଛନ୍ତି।

ତେବେ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଏ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର