ସୁପ୍ରିମକୋର୍ଟରେ ଲୋକାୟୁକ୍ତ ଶୁଣାଣି ଆଜି

ନୂଆଦିଲ୍ଳୀ : ଓଡ଼ିଶାରେ ଲୋକା‌ୟୁକ୍ତ ନିଯୁକ୍ତି ପ୍ରସଙ୍ଗକୁ ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଲୋକାୟୁକ୍ତ ନିଯୁକ୍ତି ପାଇଁ ଏଯାବତ୍‌ କି କି ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଜଣାଇଛନ୍ତି। ଅନ୍ୟପକ୍ଷରେ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ହେବାକୁ ଥିବା ଶୁଣାଣି ସମୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ଓଡ଼ିଶା ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ହେଉଥିବା ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗତବର୍ଷ ଅକ୍ଟୋବର ୨୪ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲା ଶୁଣାଣି କରିବା ପରେ ରାଜ୍ୟ ସରକାରଙ୍କ ସତ୍ୟପାଠକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। କେବେ ଲୋକାୟୁକ୍ତ ନିଯୁକ୍ତି ହେବ, ସେ ନେଇ ସରକାର ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବାପାଇଁ କହିଥିଲେ। ଆହୁରି ମଧ୍ୟ କଠୋର ଆଭିମୁଖ୍ୟ ପୋଷଣ କରିବା ସହିତ ମୁଖ୍ୟଶାସନ ସଚିବ ବ୍ୟକ୍ତିଗତ ଭାବେ ହାଜର ହୁଅନ୍ତୁ ଏବଂ ଏହି ପ୍ରକ୍ରିୟା କେବେ ସାରିବେ ସେହି କଥା କୁହନ୍ତୁ ରୋକ୍‌ଠୋକ୍‌ ଶୁଣାଇଥିଲେ। ସେହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓକିଲ ୩ ମାସ ସମୟ ସୀମା ମାଗିଥିଲେ ହେଁ କୋର୍ଟ ତାହାକୁ ଅଗ୍ରାହ୍ୟ କରି ଦେଇଥିଲେ।

ଅନ୍ୟପକ୍ଷରେ, ସୁପ୍ରିମକୋର୍ଟଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ସରକାର ତୁରନ୍ତ ୭ ଜଣିଆ ଚୟନ କମିଟି ଗଠନ କରିଥିଲେ। ପରବର୍ତ୍ତୀ ସମୟରେ ନାମ ଚୟନ ପାଇଁ ସ୍ବତନ୍ତ୍ର କମିଟି ବି ବଛାଯାଇଛି। ତେବେ, ଏହି ପ୍ରସଙ୍ଗରେ ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ଶୁଣାଣିର ରୂପରେଖ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ସରକାରଙ୍କ ପଦକ୍ଷେପ ସଂପର୍କରେ ବ୍ୟକ୍ତିଗତ ଭାବେ କୋର୍ଟକୁ ଅବଗତ କରାଇପାରନ୍ତି ବୋଲି ଅନୁମାନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରରେ ଲୋକାୟୁୂକ୍ତ ଆଇନ କାର୍ଯ୍ୟକାରୀ ହେବା ପରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ୨୦୧୪ ଫେବ୍ରୁଆରି ୧୪ ତାରିଖରେ ଏ ସଂକ୍ରାନ୍ତ ବିଲ୍‌ ପାରିତ କରିଥିଲେ। ହେଲେ ଦେଶର ଅନେକ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି କରାଯାଇ ନାହିଁ ବୋଲି ବିଜେପି ନେତା ତଥା ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାମଲାର ଶୁଣାଣି କରି ରାଜ୍ୟମାନେ ତୁରନ୍ତ ଲୋକାୟୁକ୍ତ ନିଯୁକ୍ତି କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର