ମାର୍ଚ୍ଚ ୩୧ ସୁଦ୍ଧା ଚୟନ ପ୍ରକ୍ରିୟା ଶେଷ ହେବ, ଏପ୍ରିଲ୍ ୮ରୁ କାର୍ଯ୍ୟ ଆରମ୍ଭ କରିବେ ଲୋକାୟୁକ୍ତ : ସୁପ୍ରିମକୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର

0

ନୂଆଦିଲ୍ଲୀ : ଓଡ଼ିଶାରେ ଲୋକା‌ୟୁକ୍ତ ନିଯୁକ୍ତି ପ୍ରସଙ୍ଗକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଆସନ୍ତା ଏପ୍ରିଲ୍ ୮ ତାରିଖରୁ ରାଜ୍ୟରେ ଲୋକାୟୁକ୍ତ କାର୍ଯ୍ୟକରିବା ଆରମ୍ଭ କରିବେ ଏବଂ ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି ପକ୍ରିୟା ଶେଷ ହେବ ବୋଲି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ମାମଲାରେ ଶୁଣାଣି ସମୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି।

ପୂର୍ବରୁ ଓଡ଼ିଶା ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ହେଉଥିବା ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗତବର୍ଷ ଅକ୍ଟୋବର ୨୪ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲା ଶୁଣାଣି କରିବା ପରେ ରାଜ୍ୟ ସରକାରଙ୍କ ସତ୍ୟପାଠକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। କେବେ ଲୋକାୟୁକ୍ତ ନିଯୁକ୍ତି ହେବ, ସେ ନେଇ ସରକାର ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବାପାଇଁ କହିଥିଲେ। ଆହୁରି ମଧ୍ୟ କଠୋର ଆଭିମୁଖ୍ୟ ପୋଷଣ କରିବା ସହିତ ମୁଖ୍ୟଶାସନ ସଚିବ ବ୍ୟକ୍ତିଗତ ଭାବେ ହାଜର ହୁଅନ୍ତୁ ଏବଂ ଏହି ପ୍ରକ୍ରିୟା କେବେ ସାରିବେ ସେହି କଥା ଜଣାନ୍ତୁ  ବୋଲି ରୋକ୍‌ଠୋକ୍‌ ଶୁଣାଇଥିଲେ। ସେହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓକିଲ ୩ ମାସ ସମୟ ସୀମା ମାଗିଥିଲେ ହେଁ କୋର୍ଟ ତାହାକୁ ଅଗ୍ରାହ୍ୟ କରି ଦେଇଥିଲେ।

ଅନ୍ୟପକ୍ଷରେ, ସୁପ୍ରିମକୋର୍ଟଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ସରକାର ତୁରନ୍ତ ୭ ଜଣିଆ ଚୟନ କମିଟି ଗଠନ କରିଥିଲେ। ପରବର୍ତ୍ତୀ ସମୟରେ ନାମ ଚୟନ ପାଇଁ ସ୍ବତନ୍ତ୍ର କମିଟି ବି ବଛାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରରେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ହେବା ପରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ୨୦୧୪ ଫେବ୍ରୁଆରି ୧୪ ତାରିଖରେ ଏ ସଂକ୍ରାନ୍ତ ବିଲ୍‌ ପାରିତ କରିଥିଲେ। ହେଲେ ଦେଶର ଅନେକ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି କରାଯାଇ ନାହିଁ ବୋଲି ବିଜେପି ନେତା ତଥା ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାମଲାର ଶୁଣାଣି କରି ରାଜ୍ୟମାନେ ତୁରନ୍ତ ଲୋକାୟୁକ୍ତ ନିଯୁକ୍ତି କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.