ବଡ଼ଭାଇଙ୍କୁ ହରାଇଲି: ରୁସଦି

ଲଣ୍ଡନ: ନୋବେଲ୍‌ ପୁରସ୍କାରପ୍ରାପ୍ତ ଭାରତୀୟ ବଂଶୋଦ୍ଭବ ଲେଖକ ଭି ଏସ୍‌ ନାଇପଲ୍‌ଙ୍କର ୮୫ ବର୍ଷ ବୟସରେ ପରଲୋକ ଘଟିଛି। ଲଣ୍ଡନସ୍ଥିତ ତାଙ୍କ ବାସଭବନରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ନାଇପଲ୍‌ଙ୍କ ମୃତ୍ୟୁ ସଂପର୍କରେ ତାଙ୍କ ପତ୍ନୀ ଲେଡି ନଦିରା ନାଇପଲ୍‌ ଏକ ବିବୃତିରେ କହିଛନ୍ତି, ‘‘ଯେଉଁମାନଙ୍କୁ ସେ ଖୁବ୍‌ ଭଲ ପାଉଥିଲେ ଏବଂ ଯେଉଁମାନଙ୍କ ସହିତ ସେ ଅନନ୍ୟ ସୃଜନଶୀଳତା ଏବଂ ଉଦ୍‌ଯୋଗ ମଧ୍ୟରେ ଜୀବନ ବିତାଇଛନ୍ତି, ସେଇମାନଙ୍କ ଗହଣରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।’’ ସେହିଭଳି ବ୍ରିଟିସ୍‌-ଭାରତୀୟ ଔପନ୍ୟାସିକ ତଥା ଲେଖକ ସଲ୍‌ମାନ ରୁସଦି କହିଛନ୍ତି, ସେ ଆଜି ଜଣେ ସ୍ନେହୀ ବଡ଼ଭାଇଙ୍କୁ ହରାଇଛନ୍ତି। ଟ୍ଵିଟ୍‌ କରି ସେ କହିଛନ୍ତି, ରାଜନୀତି, ସାହିତ୍ୟ ଆଦି କ୍ଷେତ୍ରରେ ଜୀବନସାରା ଆମେ (ନାଇପଲ୍‌ ଓ ରୁସଦି) ଭିନ୍ନ ମତପୋଷଣ କରି ଲେଖୁଥିଲୁ। କିନ୍ତୁ ଆଜି ତାଙ୍କ ମୃତ୍ୟୁରେ ଆଜି ମୁଁ ଜଣେ ବଡ଼ଭାଇଙ୍କୁ ହରାଇଥିବା ଭଳି ମନେହେଉଛି।

ଉଲ୍ଲେଖଯୋଗ୍ୟ, ବିଦ୍ୟାଧର ସୁରଜପ୍ରସାଦ ନାଇପଲ୍‌ (ଭି ଏସ୍‌ ନାଇପଲ୍‌) ତ୍ରିନିଦାଦରେ ଜନ୍ମଲାଭ କରିଥିଲେ। ଅକ୍ସଫୋର୍ଡ ୟୁନିଭର୍ସିଟିରେ ଏକ ମେଧାବୃତ୍ତି ମାଧ୍ୟମରେ ନାଇପଲ୍‌ ଇଂରାଜୀ ସାହିତ୍ୟରେ ପାଠ ପଢ଼ିଥିଲେ। ନାଇପଲ୍‌ ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ତାଙ୍କ ଲେଖାରେ ମଧ୍ୟ ବିବାଦ ଭରି ରହିଥିଲା। ୨୦୧୧ରେ ଏକ ସାକ୍ଷାତକାରରେ ନାଇପଲ୍‌ ମହିଳା ଲେଖକଙ୍କ ବିରୋଧରେ ଟିପ୍ପଣୀ ଦେଇଥିଲେ। ତାଙ୍କ ଭଳି ବିଶ୍ୱରେ କେହି ମହିଳା ଲେଖକ ଅଛନ୍ତି କି ବୋଲି ତାଙ୍କୁ ପ୍ରଶ୍ନ ହୋଇଥିଲା। କିନ୍ତୁ ସେ ଏହାକୁ ଖଣ୍ଡନ କରିଥିଲେ। ୧୯୭୯ରେ ଆଫ୍ରିକା ବିରୋଧରେ ମନ୍ତବ୍ୟ ଦେଇ ନାଇପଲ୍‌ ଅଧିକ ବିବାଦୀୟ ହୋଇପଡ଼ିଥିଲେ। ସେ କହିଥିଲେ, ଆଫ୍ରିକାର କୌଣସି ଭବିଷ୍ୟତ ନାହିଁ। ଆଫ୍ରିକୀୟମାନଙ୍କୁ ଲାତଗୋଇଠା ଆବଶ୍ୟକ ଏବଂ ସେମାନେ ଏହି ଭାଷା ବୁଝନ୍ତି ବୋଲି ନାଇପଲ୍‌ କହିଥିଲେ। ୨୦୦୧ରେ ସାହିତ୍ୟରେ ନୋବେଲ ପାଇଥିବା ନାଇପଲ୍‌ ଇସ୍‌ଲାମ ବିରୋଧରେ ମଧ୍ୟ ନକାରାତ୍ମକ ଟିପ୍ପଣୀ ଦେବାକୁ ପଛାଇ ନଥିଲେ। ସେ କୁହନ୍ତି, ଜଣେ ଲେଖକ ନିଜ ଲେଖାରେ ଯଦି ବିଦ୍ୱେଷ ସୃଷ୍ଟି ନକରନ୍ତି, ତେବେ ତାଙ୍କର ମୃତ୍ୟୁ ଘଟିଲା ବୋଲି ଧରିନିଆଯିବ। ବାସ୍ତବରେ ନାଇପଲ୍‌ ସବୁବେଳେ ବିବାଦ ସୃଷ୍ଟି କରି ଚର୍ଚ୍ଚାରେ ରହିଥିଲେ। ନାଇପଲ୍‌ ୧୯୩୨ ଅଗଷ୍ଟ ୧୭ରେ ତ୍ରିନିଦାଦରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ସିପର୍ସାଦ ନାଇପଲ୍‌ ଜଣେ ଭାରତୀୟ ସରକାରୀ କର୍ମଚାରୀ ଥିଲେ।

ସମ୍ବନ୍ଧିତ ଖବର