ପ୍ରେମିକାକୁ ଖୋଜିବାକୁ ଯାଇ ପାକିସ୍ତାନରେ ୬ବର୍ଷ ଜେଲଦଣ୍ଡ କାଟିଥିଲେ ଅନସାରୀ, ଭାରତ ମାଟିରେ ପାଦ ଦେବା ପରେ ବାପା-ମା’ଙ୍କୁ ଦେଖି ହେଲେ ଭାବବିହ୍ଵଳ
ଓ୍ଵାଘା: ଗୁପ୍ତଚରବୃତ୍ତି ଅଭିଯୋଗରେ ପାକିସ୍ତାନରେ ୬ବର୍ଷ ଜେଲଦଣ୍ଡ ଭୋଗିବା ପରେ ଭାରତ ଫେରିଛନ୍ତି ମୁମ୍ବାଇର ଯୁବକ ହମିଦ୍ ଅନସାରୀ। ମଙ୍ଗଳବାର ଅଟ୍ଟାରି-ଓ୍ଵାଘା ସୀମାନ୍ତରେ ତାଙ୍କୁ ପାକିସ୍ତାନୀ କର୍ତ୍ତୃପକ୍ଷ ମୁକ୍ତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଓ୍ଵାଘାରେ ହମିଦ୍ଙ୍କୁ ପାଛୋଟି ନେବା ଲାଗି ତାଙ୍କ ବାପା ନିହାଲ ଓ ମା’ ଫଉଜିଆ ଉପସ୍ଥିତ ଥିଲେ। ଦୀର୍ଘ ବର୍ଷ ପରେ ବାପା ମା’ଙ୍କୁ ପାଖରେ ପାଇ କାନ୍ଦି ପକାଇଥିଲେ ହମିଦ୍। ପୁଅ ଅନ୍ସାରି ପାକିସ୍ତାନରୁ ଫେରି ଆସିବାକୁ ‘ମାନବିକତାର ବିଜୟ’ ବୋଲି କହିଛନ୍ତି ଫଉଜିଆ। କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ସେ ପାକିସ୍ତାନ ଯାଇ ନ ଥିଲେ, ତେଣୁ ଫେରି ଆସି ପାରିଲା ବୋଲି ମା’ ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ମୁମ୍ବାଇର ଏକ ମ୍ୟାନେଜମେଣ୍ଟ କଲେଜର ଅଧ୍ୟାପନା କରୁଥିବା ହମିଦ୍ ଅନସାରି ସୋସିଆଲ ମିଡିଆ ଜରିଆରେ ଜଣେ ପାକିସ୍ତାନୀ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ତାଙ୍କୁ ଭେଟିବା ଲାଗି ସେ ୨୦୧୨ ମସିହାରେ କାହାକୁ କିଛି ନଜଣାଇ ପାକିସ୍ତାନ ଯାଇଥିଲେ। ପାକିସ୍ତାନରେ ସେ ଧରାପଡ଼ିଥିଲେ ଓ ପାଖରେ ଭିସା ନ ଥିବାରୁ ପୁଲିସ ତାଙ୍କୁ ଗୁପ୍ତଚରବୃତ୍ତି ସନ୍ଦେହରେ ଗିରଫ କରି ନେଇଥିଲା। ହମିଦ୍ଙ୍କ ନିକଟରୁ ଏକ ଜାଲ ପାକିସ୍ତାନୀ ପରିଚୟ ପତ୍ର ମିଳିଥିଲା। ଏହାପରେ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ଜେଲ ଦଣ୍ଡ ହୋଇଯାଇଥିଲା।
ଅନ୍ସାରୀ ନିଖୋଜ ହେବା ପରେ ତାଙ୍କ ମା’ ଦିଲ୍ଲୀ ହାଇକୋର୍ଟରେ ଏକ ହେବିୟସ-କର୍ପସ ମାମଲା ରୁଜୁ କରି ନିଜ ପୁଅର ଅବସ୍ଥିତ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଏହାପରେ କୋର୍ଟ ଅନ୍ସାରି ପାକିସ୍ତାନରେ ବନ୍ଦୀ ଜୀବନ ବିତାଇଛନ୍ତି ବୋଲି ସୂଚନା ଦେଇଥିଲେ। ଏହାପରେ ତାଙ୍କୁ ଭାରତ ଫେରାଇ ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା।