ଲୋୟା ମାମଲା ଖାରଜ: ମୃତ୍ୟୁ ସନ୍ଦେହଜନକ ନୁହେଁ ବିବାଦ ପଛରେ ରାଜନୀତି

ନୂଆଦିଲ୍ଲୀ: ସ୍ୱତନ୍ତ୍ର ସିବିଆଇ ବିଚାରପତି ବି.ଏଚ୍‌. ଲୋୟାଙ୍କ ମୃତ୍ୟୁର ଏସ୍‌ଆଇଟି ଯାଞ୍ଚ ଦାବି କରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାଗୁଡ଼ିକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି। ଶେଖ୍‌୍‌ ସୋହରାବୁଦ୍ଦିନ ଏନ୍‌କାଉଣ୍ଟର ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍‌ ଲୋୟାଙ୍କ ମୃତ୍ୟୁକୁ ନେଇ କୌଣସି ସନ୍ଦେହ ନାହିଁ ଏବଂ ଏହା ଏକ ସ୍ୱାଭାବିକ ମୃତ୍ୟୁ ଥିବାରୁ ଏହି ମାମଲାରେ ଏସ୍‌ଆଇଟି(ସ୍ୱତନ୍ତ୍ର ତଦନ୍ତକାରୀ ଦଳ) ଯାଞ୍ଚ କରିବା ଆବଶ୍ୟକ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ଏ.ଏମ୍‌.ଖାନ୍‌ଓ୍ଵିଲକର ଓ ଡି.ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଏହି ମାମଲାରେ ରାୟ ଦେଇ କହିଛନ୍ତି ଯେ ରାଜନୈତିକ ସ୍ୱାର୍ଥ ସାଧନ ଓ ଅଯଥା ଚର୍ଚ୍ଚା ପାଇଁ ବିନା କୌଣସି ଆଧାରରେ ବିଚାରପତି ଲୋୟାଙ୍କ ମୃତ୍ୟୁକୁ ବିବାଦ ଘେରକୁ ଟଣା ଯାଇଥିଲା। ଏହି ମାମଲାକୁ ନେଇ ବିନା କାରଣରେ ନ୍ୟାୟପାଳିକା ଉପରେ ସନ୍ଦେହ କରାଯିବା ଘଟଣା ଚିନ୍ତାର ବିଷୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଲୋୟାଙ୍କ ମୃତ୍ୟୁ ନେଇ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ଆବେଦନକାରୀମାନେ ସୁପ୍ରିମକୋର୍ଟରେ ଯେଉଁ ଯୁକ୍ତି ଦର୍ଶାଇଥିଲେ ତାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ନ୍ୟସ୍ତସ୍ୱାର୍ଥ ପାଇଁ ନ୍ୟାୟପାଳିକାକୁ ସନ୍ଦେହ କରି ଏହାର ଗୁରୁତ୍ୱପୂର୍ଣ୍ଣ ସମୟ ନଷ୍ଟ କରାଯାଇଛି। ଏଥିପାଇଁ ମାମଲା ଦାଏରକାରୀଙ୍କ ବିରୋଧରେ ସୁପ୍ରିମକୋର୍ଟ ଅଦାଲତ ଅବମାନନା ନେଇ ଦଣ୍ଡବିଧାନ ମଧ୍ୟ କରିପାରିବେ ବୋଲି ଚେତାବନୀ ଦେଇଛନ୍ତି। ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଏସ୍‌ଆଇଟି ଯାଞ୍ଚ ଦାବି କରି ବରିଷ୍ଠ ଆଇନ୍‌ଜୀବୀ ଇନ୍ଦିରା ଜୟସିଂହ କହିଥିଲେ ଜଷ୍ଟିସ୍‌ ଲୋୟାଙ୍କର କୌଣସି ହୃଦ୍‌ରୋଗ ନଥିବା ବେଳେ ତାଙ୍କ ମୃତ୍ୟୁ ମଧ୍ୟ ଆଦୌ ସ୍ୱାଭାବିକ ନଥିଲା। ଯେତେବେଳେ ବି କୌଣସି ମୃତ୍ୟୁ ସନ୍ଦେହଘେରକୁ ଆସିଥାଏ, ସେତେବେଳେ ସିଆରପିସି ଧାରା ୧୭୪ ଅନୁଯାୟୀ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଥାଏ। କିନ୍ତୁ ଏହି ମାମଲାରେ ସେଭଳି କୌଣସି କାର୍ଯ୍ୟନୁଷ୍ଠାନ ହୋଇନାହିଁ। ସେପଟେ ଏହି ମାମଲାରେ ସାଧାରଣ ଏଫ୍‌ଆଇଆର୍‌ ମଧ୍ୟ ରୁଜୁ ହୋଇନାହିଁ। ସୁପ୍ରିମକୋର୍ଟଙ୍କ ରାୟରେ କ୍ଷୁବ୍ଧ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ ଯେ, ସର୍ବୋଚ୍ଚ ଅଦାଲତଙ୍କ ଏଭଳି ରାୟ ସମସ୍ତଙ୍କ ପାଇଁ କଳା ଦିନ ସଦୃଶ। ସେ କହିଥିଲେ ଯେ, ବିନା କୌଣସି ସତ୍ୟପାଠରେ ସୁପ୍ରିମକୋର୍ଟ ଏଭଳି ଏକ ଆବଦେନକୁ ଖାରଜ କରିଦେବା ଦୁର୍ଭାଗ୍ୟଜନକ। ଜଷ୍ଟିସ୍‌ ଲୋୟାଙ୍କର କୌଣସି ହୃଦ୍‌ରୋଗ ନଥିଲା ବୋଲି ପ୍ରଶାନ୍ତ ଭୂଷଣ ମଧ୍ୟ ଅଦାଲତରେ ଦଲିଲ ଉପସ୍ଥାପନ କରିଥିଲେ। ସୁପ୍ରିମକୋର୍ଟର୍ଙ୍କ ଖଣ୍ଡପୀଠ ମାର୍ଚ୍ଚ ୧୩ ତାରିଖରେ ଏହି ମାମଲାର ବିଚାର କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଉଠିଛି।

ସୋହରାବୁଦ୍ଦିନ ଶେଖ୍‌ ଏନ୍‌କାଉଣ୍ଟର ମାମଲାର ବିଚାର କରୁଥିବା ସିବିଆଇର ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ୍‌ ଲୋୟାଙ୍କର ୨୦୧୪ ଡିସେମ୍ବର ୧ ତାରିଖରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ସେତେବେଳେ ଜଷ୍ଟିସ୍‌ ଲୋୟା ତାଙ୍କର ଜଣେ ସହକର୍ମୀଙ୍କ ଝିଅର ବିବାହ ଉତ୍ସବରେ ଯୋଗଦେବା ପାଇଁ ନାଗପୁର ଯାଇଥିଲେ। ଗତବର୍ଷ ନଭେମ୍ବର ମାସରେ ଜଷ୍ଟିସ୍‌ ଲୋୟାଙ୍କ ଭଉଣୀ ଏହି ମୃତ୍ୟୁକୁ ସନ୍ଦେହଜନକ କହି ଗଣମାଧ୍ୟମରେ ବିବୃତି ଦେଇଥିଲେ। ଏହାପରେ ୨୦୧୫ ଜାନୁଆରି ୧୪ ତାରିଖରେ ଜଷ୍ଟିସ୍‌ ଲୋୟାଙ୍କ ପୁଅ କହିଥିଲେ ଯେ, ତାଙ୍କ ପିତାଙ୍କର ସ୍ୱଭାବିକ ମୃତ୍ୟୁ ହୋଇଛି। ସମାଜସେବୀ ତହସିନ୍‌ ପୁନାଓ୍ଵଲା, ମହାରାଷ୍ଟ୍ରର ସାମ୍ବାଦିକ ବି.ଏସ୍‌.ଲୋନେ ସୁପ୍ରିମକୋର୍ଟରେ ପିଟିସନ ଦାଏର କରି ଏହି ମାମଲାକୁ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆବେଦନ କରିଥିଲେ। ସେପଟେ ମହାରାଷ୍ଟ୍ର ସରକାର ଏହି ମାମଲାକୁ ନେଇ ଦାଏର ହୋଇଥିବା ସମସ୍ତ ଆବେଦନର ରାଜନୈତିକ ସଂପର୍କ ଥିବା ଦର୍ଶାଇଥିଲେ। ସୋହରାବୁଦ୍ଦିନ୍‌ ଶେଖ୍‌ ଏନ୍‌କାଉଣ୍ଟର ମାମଲାର ତଦନ୍ତ କରୁଥିବା ବେଳେ ଜଷ୍ଟିସ୍‌ ଲୋୟାଙ୍କର ଦେହାନ୍ତ ହୋଇଥିଲା। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପରବର୍ତ୍ତୀ ସମୟରେ ଏହି ମାମଲାରୁ ଦୋଷମୁକ୍ତ ହୋଇଥିଲେ। ସୋହରାବୁଦ୍ଦିନ୍‌ ଶେଖ୍‌ ଜଣେ ଅପରାଧୀ ଏବଂ ନଭେମ୍ବର ୨୦୦୫ରେ ରାଜସ୍ଥାନ ଓ ଗୁଜରାଟ ପୁଲିସ୍‌ ଦ୍ୱାରା ଏନ୍‌କାଉଣ୍ଟରରେ ତା’ର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର