ଏଲଆଣ୍ଡଟି କମ୍ପାନୀକୁ ଦିଆଯାଇପାରେ ରାମ ମନ୍ଦିର ନିର୍ମାଣର ଦାୟିତ୍ୱ

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣକୁ ନେଇ ଏବେ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ କେଉଁ କମ୍ପାନୀ ଏହାକୁ ନିର୍ମାଣ କରିବା ତାହାକୁ ନେଇ ବିଚାରବିମର୍ଶ ଚାଲିଛି | କୁହାଯାଉଛି ଲାରସନ ଏଣ୍ଡ ଟରବୋ ବା ଏଲଆଣ୍ଡଟିକୁ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରିବାର ଦାୟିତ୍ୱ ମିଳିପାରେ | ଅଯୋଧ୍ୟା ଶ୍ରୀରାମ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଓ କମ୍ପାନୀ ମଧ୍ୟରେ ଔପଚାରିକ ସହମତି ହୋଇସାରିଛି | କେବଳ ଘୋଷଣା ବାକି ରହିଛି ବୋଲି ଜଣେ କର୍ମକର୍ତ୍ତା କହିଛନ୍ତି |

ଆଜି ଅଯୋଧ୍ୟାରେ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଓ ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି | ମନ୍ଦିର ନିର୍ମାଣ ବାବଦରେ ସବିଶେଷ ଆଲୋଚନା ହୋଇଥିବାବେଳେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କେଉଁ ଦିନ ହେବ ସେ ବାବଦରେ ଆଲୋଚନା ହୋଇଛି | ଭୂମି ପୂଜନ ପାଇଁ ରାମ ନବମୀ ଓ ଅକ୍ଷୟତୃତୀୟା ଭଳି ଦିନ ପାଇଁ ସହମତି ହୋଇଛି |

ଏହି ଦୁଇ ଦିନ ମଧ୍ୟରୁ ଯେକୌଣସି ଦିନ ଭୂମି ପୂଜନ ହୋଇପାରେ ବୋଲି ସୂଚନା ମିଳିଛି | ତେବେ ଲାରସନ ଏଣ୍ଡ ଟରବୋ ବା ଏଲଆଣ୍ଡଟି ପକ୍ଷରୁ କୁହାଯାଉଛି ଅନ୍ୟ ନିର୍ମାଣ ଭଳି କୌଣସି ଠିକା ନେଇ ରାମ ମନ୍ଦିରର ନିର୍ମାଣ କରାଯିବ ନାହିଁ | ବରଂ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ସେବା ଓ ଭକ୍ତି ଭବନ ରଖି କରାଯିବ | ଲାରସନ ଏଣ୍ଡ ଟରବୋର ନିର୍ମାଣ ଓ ଡିଜାଇନ ମୁଖ୍ୟ ବିରପ୍ପାନ ଏଭଳି ସୂଚନା ଦେଇଛନ୍ତି |

ସମ୍ବନ୍ଧିତ ଖବର