ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା କହୁଛନ୍ତି ଡାକ୍ତର

ଚେନ୍ନାଇ: ଡିଏମ୍‌କେ ଅଧ୍ୟକ୍ଷ ତଥା ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ସୋମବାର ସକାଳେ ଡାକ୍ତରମାନେ କହିଛନ୍ତି। ବର୍ଷିଆନ୍‌ ନେତା ପରିଶ୍ରାନଳୀ ସଂକ୍ରମଣ ଓ ଅନ୍ୟାନ୍ୟ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ମଧ୍ୟରେ ଗତି କରୁଥିବାରୁ କାବେରୀ ହସ୍‌ପିଟାଲ୍‌ରେ ଡାକ୍ତରମାନେ ଅହର୍ନିଶ ତାଙ୍କ ଉପରେ ନିଘା ରଖିଛନ୍ତି।

ରବିବାର ରାତିରେ ପ୍ରକାଶିତ ମେଡିକାଲ୍‌ ବୁଲେଟିନ୍‌ରେ କୁହାଯାଇଛି ଯେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମୟିକ ଅସୁସ୍ଥତା ପରେ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ସବୁ ସ୍ୱାଭାବିକ ହେଉଛି।

ରବିବାର ସନ୍ଧ୍ୟା ବେଳେ ଡାକ୍ତରଖାନା ବାହାରେ ଜମା ହୋଇଥିବା କେତେକ ଡିଏମ୍‌କେ କର୍ମୀଙ୍କୁ ଛାଡ଼ି ଚାଲିଯିବାକୁ କୁହାଯାଇଥିଲେ ମଧ୍ୟ ସେମାନେ ସେଠାରେ ରାତ୍ରୀ ଯାବନ କରିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ରାସ୍ତାକଡ଼ ପ୍ଲାଟ୍‌ଫର୍ମ ଏବଂ ରାସ୍ତା ଡିଭାଇଡର୍‌ ଉପରେ ଶୋଇଥିଲେ।

ରାତି ପାହିଲା ମାତ୍ରେ ସେମାନେ କରୁଣାନିଧିଙ୍କୁ ପ୍ରଶଂସା କରି ସ୍ଲୋଗାନ୍‌ ଦେଇଥିଲେ। ଘଟଣାସ୍ଥଳକୁ ସକାଳେ ଆସିଥିବା ଲୋକେ ମଧ୍ୟ ସେମାନଙ୍କ ସହ ଯୋଗ ଦେଇଥିଲେ।

ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ ସହାୟତା କରିବା ଏବଂ ବାରିକେଡ୍‌ ନ ଟପିବାକୁ ପୁଲିସ ଡିଏମ୍‌କେ କ୍ୟାଡର୍‌ମାନଙ୍କୁ ଅନୁରୋଧ କରିଛି।

ପବ୍ଲିକ୍‌ ଆଡ୍ରେସ୍‌ ସିଷ୍ଟମ୍‌ ବ୍ୟବହାର କରି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସେମାନଙ୍କୁ ନିବେଦନ କରିଛନ୍ତି: କ୍ୟାଡର୍‌ମାନେ ଜାଣିବା କଥା ଏଇଟା ଗୋଟାଏ ଡାକ୍ତରଖାନା, ଆପଣମାନେ ସେଇ ଅନୁସାରେ ଆଚରଣ ପ୍ରଦର୍ଶନ କରିବା ଉଚିତ।

କ୍ୟାଡର୍‌ମାନଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସକୁ ସହାୟତା କରୁଛନ୍ତି ଡିଏମ୍‌କେ କର୍ମକର୍ତ୍ତାମାନେ।

ସମ୍ବନ୍ଧିତ ଖବର