ମନ୍‌ କୀ ବାତ୍‌: ଦୁଷ୍କର୍ମକୁ ସହିବନି ସଭ୍ୟ ସମାଜ

କେରଳ ପାଇଁ ଏକାଠି ହେଲା ଭାରତ, ଏକକ ନିର୍ବାଚନ ଚର୍ଚ୍ଚା ଗଣତନ୍ତ୍ରର ଶୁଭ ସଂକେତ

ନୂଆଦିଲ୍ଲୀ: ଦୁଷ୍କର୍ମ ଭଳି ଘୃଣ୍ୟ ଅପରାଧକୁ ଏ ସଭ୍ୟ ସମାଜ ଆଦୌ ସହ୍ୟ କରିବନି। ଏଭଳି ଅପରାଧ ଘଟାଉଥିବା ଲୋକମାନଙ୍କୁ ମଧ୍ୟ କୌଣସିମତେ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ କେନ୍ଦ୍ର ସରକାର ଆଇନ ଆଣିଛନ୍ତି। ସଂସଦରେ ମଂଜୁରି ଲାଭ କରିଥିବା ଏହି ଆଇନ ବଳରେ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଫଳରେ ମହିଳା ଓ ଝିଅମାନଙ୍କ ବିରୋଧରେ ଅପରାଧ ହ୍ରାସ ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ଏଭଳି କହିଛନ୍ତି। ମୋଦୀ କହିଛନ୍ତି, ଦେଶର ପ୍ରତ୍ୟେକ ମହିଳାଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ମୁସ୍‌ଲିମ୍‌ ସଂପ୍ରଦାୟ ମହିଳାମାନେ ତିନିତଲାକ୍‌ ଭଳି କୁସଂସ୍କାର ଯୋଗୁ ନାନା ହଇରାଣ ହେଉଥିଲେ। ଏହା ବିରୋଧରେ ସରକାର ଆଇନ ଆଣିବା ପାଇଁ ଜୋରଦାର ଚେଷ୍ଟା ଚଳାଇଛନ୍ତି। ଲୋକସଭାରେ ତିନିତଲାକ୍‌ ବିଲ୍‌କୁ ମଂଜୁରି ମିଳିଥିବା ବେଳେ ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ଏହା ଗୃହୀତ ହୋଇପାରି ନାହିଁ। ଏହାସତ୍ତ୍ୱେ ସେମାନଙ୍କ ସୁରକ୍ଷା ନିମନ୍ତେ ସାରା ଦେଶ ଛିଡ଼ା ହେବ ଏବଂ ସେମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ସରକାରଙ୍କ ପକ୍ଷରୁ ଅଣାଯାଇଥିବା ଏକ ନୂଆ ଆଇନ ବଳରେ ୧୨ ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ଦୁଷ୍କର୍ମ କରି ଦୋଷୀ ସାବ୍ୟସ୍ତ ହେଉଥିବା ସଂପୃକ୍ତ ଅଭିଯୁକ୍ତଙ୍କୁ ସର୍ବନିମ୍ନ ୧୦ ବର୍ଷ ଜେଲ୍‌ ଦଣ୍ଡ ଦିଆଯିବ। ଏମିତି କି ଏଥିରେ ମୃତ୍ୟୁଦଣ୍ଡ ଭଳି କଠୋର ଦଣ୍ଡବିଧାନ ବି ରହିଛି। ନିକଟରେ ଏହି ଆଇନ ବଳରେ କୋର୍ଟଗୁଡ଼ିକ ନାବାଳିକା ଦୁଷ୍କର୍ମ ମାମଲାର ତ୍ୱରିତ୍‌ ବିଚାର କରି କଠୋର ଦଣ୍ଡାଦେଶ ପ୍ରଦାନ କରିଥିବା ମୋଦୀ ସୂଚାଇଛନ୍ତି।

ମନ୍‌ କୀ ବାତ୍‌ର ଏହି ୪୭ତମ ସଂସ୍କରଣରେ କେରଳ ବନ୍ୟା ବିତ୍ପାତ ପ୍ରସଙ୍ଗ ଉଠାଇ ମୋଦୀ କହିଛନ୍ତି, ରାଜ୍ୟ ଏତେବଡ଼ ବିପଦରେ ପଡ଼ିଥିବା ବେଳେ ସଂପୂର୍ଣ୍ଣ ଦେଶ ଏଥିପାଇଁ ଏକ୍‌ ହୋଇଛି। ପ୍ରତ୍ୟେକ ସ୍ତରର ବ୍ୟକ୍ତିବିଶେଷ କେରଳ ବନ୍ୟା ବିଭୀଷିକା ଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି। କେରଳ ବନ୍ୟା ବିତ୍ପାତରେ ଏନ୍‌ଡିଆର୍‌ଏଫ୍‌, ନୌସେନା, ବାୟୁସେନା ଏବଂ ସ୍ଥଳସେନା ଯେଉଁଭଳି ଭାବେ କାର୍ଯ୍ୟ କଲେ ତାହାକୁ ଦେଶବାସୀ ଆଦୌ ଭୁଲିବେ ନାହିଁ। ଏହି ମାସିକ ରେଡିଓ କାର୍ଯ୍ୟକ୍ରମରେ ମୋଦୀ ଏକକ ନିର୍ବାଚନ କଥା ମଧ୍ୟ ଉଠାଇଛନ୍ତି। ସେ କହିଛନ୍ତି, ଦେଶରେ ଏକକ ନିର୍ବାଚନ ହେଉ ବୋଲି ଅଧିକାଂଶ ଦଳ ଚାହୁଛନ୍ତି। ଏଥିପାଇଁ ଆଲୋଚନା ତ୍ୱରାନ୍ଵିତ ହେବାରେ ଲାଗିଛି। ଏକ ସୁଦୃଢ଼ ଗଣତନ୍ତ୍ର ପାଇଁ ଏହା ଶୁଭ ସଂକେତ। କିଛି ଲୋକ ଏହା ବିରୋଧରେ ମଧ୍ୟ ମନ୍ତବ୍ୟ ଦେଉଛନ୍ତି। ଏହା ହିଁ ପ୍ରକୃତ ଗଣତନ୍ତ୍ରର ଯଥାର୍ଥତାକୁ ପରିସ୍ଫୁଟ କରୁଛି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର