ମକ୍କା ମସଜିଦ ବିସ୍ଫୋରଣ ମାମଲା :ରାୟ ଦେବାପରେ ଜଜ୍‌ଙ୍କ ଇସ୍ତଫା

ହାଇଦ୍ରାବାଦ: ମକ୍କା ମସଜିଦ୍‌ ବିସ୍ଫୋରଣ ମାମଲାରେ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ନିର୍ଦୋଷ ଦର୍ଶାଇ ରାୟ ଦେବାର କିଛି ଘଣ୍ଟା ମଧ୍ୟରେ ସ୍ୱତନ୍ତ୍ର ଏନ୍‌ଆଇଏ ବିଚାରପତି ରବିନ୍ଦର ରେଡ୍ଡୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ବିଚାରପତି କହୁଥିବା ବେଳେ ଏହା ପଛରେ ଅନ୍ୟ କୌଣସି କାରଣ ଥାଇପାରେ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏହି ମାମଲାରେ ନିର୍ଦୋଷ ସାବ୍ୟସ୍ତ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ସଂଘ ପରିବାର ସହ ସଂପର୍କ ଥିବାରୁ ବିଚାରପତିଙ୍କ ଇସ୍ତଫାର କାରଣକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି। ବିଜେପି ସଭାପତି ଅମିତ ଶାହ ସଂପୃକ୍ତ ଥିବା ସୋହରାବୁଦ୍ଦିନ ଶେଖ୍‌ ମାମଲାର ବିଚାର କରୁଥିବା ବିଚାରପତି ଜଷ୍ଟିସ ବିଏଚ୍‌ ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି ବିଚାରପତି ରେଡ୍ଡୀଙ୍କ ଇସ୍ତଫା ନୂଆ ବିବାଦ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ୨୦୦୭ରେ ହାଇଦ୍ରାବାଦର ଐତିହାସିକ ମକ୍କା ମସଜିଦରେ ହୋଇଥିବା ବିସ୍ଫୋରଣରେ ୯ ଜଣ ପ୍ରାଣ ହରାଇଥିଲେ ଏବଂ ଅନ୍ୟ ୫୦ ଜଣ ଆହତ ହୋଇଥିଲେ। ଏହି ମାମଲାରେ ଆରଏସଏସ୍‌ର ପୂର୍ବତନ ସଭ୍ୟ ସ୍ୱାମୀ ଅସୀମାନନ୍ଦଙ୍କ ସମେତ ୧୦ ଜଣ ଅଭିଯୁକ୍ତ ଥିଲେ। ଏହି ମାମଲାର ତଦନ୍ତ ଦାୟିତ୍ୱ ପ୍ରଥମେ ସିବିଆଇକୁ ଏବଂ ପରେ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା)କୁ ଦିଆଯାଇଥିଲା। ୧୧ ବର୍ଷ ପରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର ଏନ୍‌ଆଇଏ ବିଚାରପତି ରବିନ୍ଦର ରେଡୀ ପ୍ରାମଣ ଅଭାବରୁ ଆଜି ଅଭିଯୁକ୍ତମାନଙ୍କୁ ନିର୍ଦୋଷ ଦର୍ଶାଇଛନ୍ତି।
ରାୟ ପ୍ରକାଶ କରିବାର କିଛି ଘଣ୍ଟା ମଧ୍ୟରେ ବିଚାରପତି ରେଡୀ ଇସ୍ତଫା ପ୍ରଦାନ କରିଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିକଟକୁ ପଠାଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି।

ହାଇଦ୍ରାବାଦର ସାଂସଦ ଅସଦୁଦ୍ଦିନ ଅେଓ୍ଵସୀ ସମଗ୍ର ଘଟଣା ପାଇଁ ଏନଆଇଏକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଅଭିଯୁକ୍ତ ନିର୍ଦୋଷରେ ଖଲାସ ହେବାକୁ ନେଇ ସେ କୋର୍ଟ ରାୟ ଉପରେ କୌଣସି ପ୍ରଶ୍ନ ଉଠାଉ ନାହାନ୍ତି। ତେବେ ପ୍ରମାଣ ଦେବାରେ ଏନ୍‌ଆଇଏ ବିଫଳ ରହିଛି। ଅଭିଯୁକ୍ତମାନଙ୍କୁ ଖସାଇଦେବା ଲାଗି ଏନ୍‌ଆଇଏ ତଦନ୍ତ ଚଳାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ୨୦୧୧ରେ ଏନ୍‌ଆଇଏ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ମାମଲାରେ ୧୦ ଜଣ ଅଭିଯୁକ୍ତ ଥିଲେ ମଧ୍ୟ ମାତ୍ର ୫ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ରାୟରେ ସନ୍ତୋଷ ପ୍ରକାଶ କରିଛି ବିଜେପି। ପାର୍ଟି ପକ୍ଷରୁ କୁହାଯାଇଛି ଯେ ଗେରୁଆ ଆତଙ୍କବାଦ ବୋଲି କିଛି ନାହିଁ। ଆଜି ଏହା ପ୍ରମାଣିତ ହେଲା।
ଆଜିର ଏହି ଘଟଣାକୁ ନେଇ ହାଇଦ୍ରାବାଦରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଇନ ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସୂଚନାଯୋଗ୍ୟ, ୨୦୧୪ରେ ସୋହରାବୁଦ୍ଦିନ ଶେଖ୍‌ ହତ୍ୟା ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର ସିବିଆଇ ବିଚାରପତି ବିକେ ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ବି ବିବାଦ ଲାଗି ରହିଛି। । ଏଥିରେ ଅଭିଯୁକ୍ତ ବିଜେପି ସଭାପତି ଅମିତ ଶାହଙ୍କୁ ଦୋଷମୁକ୍ତ କରିବା ଲାଗି କୁଆଡ଼େ ତାଙ୍କ ଉପରେ ଚାପ ପଡ଼ୁଥିଲା ବୋଲି ସେତେବେଳେ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ୧ ଡିସେମ୍ବର ୨୦୧୪ରେ ନାଗପୁରରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସ୍ଥାନରେ ନିଯୁକ୍ତ ନୂଆ ବିଚାରପତି ୩୦ ଡିସେମ୍ବର ୨୦୧୪ରେ ଅମିତଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରି ରାୟ ଦେଇଥିଲେ। ଏହି ମାମଲା ଏବେ ସୁପ୍ରିମ କୋର୍ଟରେ ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର