ଉତ୍ତରାଖଣ୍ଡ ରେସିଡେନ୍‌ସିଆଲ ୟୁନିଭର୍ସିଟିର ଗବେଷଣା :ଏବେ ମଦ ପିଇ ଡ୍ରାଇଭିଂ ସିଟରେ ବସିଲେ ଗାଡ଼ିର  ଷ୍ଟାର୍ଟ ବନ୍ଦ ହୋଇଯିବ

ଉତ୍ତରାଖଣ୍ଡ : ମଦ ପିଇ ଗାଡ଼ି ଚଳାଇବା ହେଉଛି ଏକ ବଡ଼ ସମସ୍ୟା । ଦେଶରେ ଅଧାରୁ ଅଧିକ ଦୁର୍ଘଟଣା ଏହି କାରଣରୁ ହୋଇଥାଏ । ଏ ନେଇ ଅନେକ ଆଇନ ପ୍ରଣୟନ କରାଯାଇ ସାରିଥିଲେ ମଧ୍ୟ ଏହି ସମସ୍ୟା ଏବେ ମଧ୍ୟ ଦେଖା ଦେଉଛି । ଗାଡ଼ି ଚଲାଇବା ସମୟରେ ନିଶା ସେବନ ବା ଫୋନରେ କଥା ହେବା ଦ୍ୱାରା ଅନ୍ୟମନସ୍କ ହୋଇ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ଅଲ୍‌ମୋରାରେ ଥିବା ଉତ୍ତରାଖଣ୍ଡ ରେସିଡ଼େନ୍‌ସିଆଲ ୟୁନିଭର୍ସିଟି ଏହାର ସମାଧାନର ବାଟ ବାହାର କରିଥିବା ଜଣାପଡ଼ିଛି।

ଏହି ବିଶ୍ୱବିଦ୍ୟାଳୟ ଆର୍‌ଆଇ ଇନ୍‌ଷ୍ଟମେଣ୍ଟ ଏବଂ ଇନୋଭେସନ ଇଣ୍ଡିଆ ସହ ମିଶି ଏକ ଯନ୍ତ୍ର ପ୍ରସ୍ତୁତ କରିଛି ଯାହା ଏହି ଭଳି ଦୁର୍ଘଟଣାରୁ ଳୋକମାନଙ୍କୁ ରକ୍ଷା କରିବ । ଯଦି ଚାଳକ ନିଶାରେ ଅଛି,ନିଦରେ ଅଛି ବା ଫୋନରେ କଥା ହେଉଛି ତେବେ କାର୍‌ଟି ଷ୍ଟାର୍ଟ ହେବ ନାହିଁ । ଗବେଷକମାନେ ଗ୍ରାଫିନ୍‌ ଲେପିତ ଇଲେକ୍ଟ୍ରୋଡ଼୍‍ର ପ୍ରୋଟୋଟାଇପ୍‌ ତିଆରି କରିଛନ୍ତି ଯାହା ଇଥାଇଲ ଆଲ୍‌କହଲକୁ ଏସିଟିକ୍‌ ଏସିଡ଼୍‍ରେ ପରିଣତ କରୁଛି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ କାର୍‌ରେ ଏକ ଗ୍ରାଫିନ୍‌ ସେନ୍‌ସର୍‌ ରଖାଯିବ ।  ଚାଳକ ଗାଡ଼ି ଚଲାଇବା ପୂର୍ବରୁ ଏହି ସେନ୍‌ସର୍‌ରେ ଫୁଙ୍କିବା ପରେ ଚାଳକଟି କେତେ ନିଶାଗ୍ରସ୍ତ ତାହା ଜଣା ପଡ଼ିଯିବ । ଯଦି ଚାଳକଟି ମୋଟର ଯାନ ଅଧିନିୟମ ଅନୁଯାୟୀ ଧାର୍ଯ୍ୟ କରାଯାଇଥିବା ସୀମାଠାରୁ ଅଧିକ ନିଶାଗ୍ରସ୍ତ ବୋଲି ଜଣାପଡ଼େ ତେବେ ଗାଡ଼ି କେବେ ହେଲେ ଷ୍ଟାର୍ଟ ହେବ ନାହିଁ ।

Engadget

ଏହା ସହ ଯଦି ଜଣେ ଚାଳକକୁ ନିଦ ଆସୁଛି ତେବେ ସେ ଗାଡ଼ିରେ ଯାତ୍ରା କରୁଥିବା ଯାତ୍ରୀମାନେ ମଧ୍ୟ ଏହା ଜାଣି ପାରିବେ । ଚାଳକଙ୍କ ଆଖିର ଗତିକୁ ଦେଖି ଚାଳକ ଜଣଙ୍କ ନିଦରେ ଗାଡ଼ି ଚଳାଉଛି ବୋଲି ସେନ୍‌ସର୍‌ ଜାଣି ପାରିବା ସହ ଗାଡ଼ିଟି ବନ୍ଦ ହୋଇଯିବ । ଏଥିରେ ଜିପିଆର୍‌ଏସ୍‌-ଜିପିଏସ୍‌ର ସୁବିଧା ଉପଲବ୍ଧ ରହିଛି । ଯଦି କେବେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେଉଛି ତେବେ ୧୦ମିନିଟ୍‌ ମଧ୍ୟରେ ଆପେ ଆପେ ୧୦୦ନମ୍ବର ଡ଼ାଏଲ ହେବା ସହ ପୁଲିସ ଷ୍ଟେସନକୁ ଏସ୍‌ଓଏସ୍‌ ମଧ୍ୟ ଚାଲିଯିବ ।

ସମ୍ବନ୍ଧିତ ଖବର