ମର ଶରୀରକୁ ଅପମାନ ମହଙ୍ଗା ପଡ଼ିଲା; ବହିଷ୍କାର ହେଲେ ପୁଲିସ କନେଷ୍ଟବଲ

ଶିବ୍‌ପୁରୀ(ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶର ଶିବପୁରୀରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଜଣେ ପୁଲିସ କନେଷ୍ଟବଲ ପାଣିରେ ଭାସି ଯାଇ ମୃତ୍ୟୁବରଣ କରିଥିବା ଯୁବକଙ୍କ ମୃତ ଦେହକୁ ଷ୍ଟ୍ରେଚରରୁ ତଳକୁ କାଢ଼ିବା ପାଇଁ ନିଜ ଗୋଡ଼ର ବ୍ୟବହାର କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାର ଫଟୋ ଭାଇରାଲ ହେବା ପରେ ଉକ୍ତ କନେଷ୍ଟବଲଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଶୁକ୍ରବାର ଶିବ୍‌ପୁରୀରେ ଥିବା ଏକ ଝରଣାରେ ହଠାତ୍‌ ବନ୍ୟା ଆସିବାରୁ ୯ଜଣ ଭାସି ଯାଇଥିଲେ । ୯ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣା ପଡ଼ିଥିଲା । ତେବେ ଏହି ଘଟଣା ପରେ ଶୁକ୍ରବାର ଏବଂ ଶନିବାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ୯ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ୯ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ ଦେହକୁ ଷ୍ଟ୍ରେଚରୁ କାଢ଼ିବା ପାଇଁ ନିଜ ଗୋଡ଼ର ବ୍ୟବହାର କରିଥିଲେ କନେଷ୍ଟବଲ ରାମବରଣ ରାଓ୍ଵତ । ଶବ କାଢ଼ିବା ପାଇଁ ଲୋକ ରଖା ଯାଇଥିଲେ ମଧ୍ୟ କନେଷ୍ଟବଲ ଜଣଙ୍କ ନିଜ ଗୋଡ଼ରେ ଶବକୁ ତଳକୁ ଠେଲି ଦେଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକ ଏହାର ଏକ ଫଟୋ ଏବଂ ଭିଡ଼ିଓ ନେଇ ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଘଟଣା ସାମ୍ନାକୁ ଆସିବା ପରେ ରାମବରଣଙ୍କୁ ବହିଷ୍କାର କରାଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର