ମଧ୍ୟ ପ୍ରଦେଶ ନିର୍ବାଚନ, ସଟ୍ଟା ବଜାରରେ କଂଗ୍ରେସ ହାୱା

ଭୋପାଳ: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗତ ମାସେ ହେଲା ଚଳଚଞ୍ଚଳ ଥିବା ସଟ୍ଟା ବଜା‌ରରେ ଏବେ କଂଗ୍ରେସ ହାୱା ବୋହୁଛି। ପୂର୍ବରୁ ଲୋକମାନେ ବିଜେପି ସପକ୍ଷରେ ବାଜି ଲଗାଉଥିବା ବେଳେ ଏବେ ଏହା କଂ‌ଗ୍ରେସ ଆଡ଼େ ମୁହାଁଇଛି। ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବ ବୋଲି ବିଶ୍ବାସ କରି ଲୋକେ ସଟ୍ଟା ବଜାରରେ ବାଜି ଲଗାଉଥିବା ଏକ ସୂତ୍ରରୁ ଜଣାପଡ଼ିଛି। ବୁକିମାନଙ୍କ କହିବାନୁସାରେ ମାସକ ପୂର୍ବେ ଲୋକମାନେ ବିଜେପି ସପକ୍ଷରେ ବାଜି ଲଗାଉଥିଲେ। ସଟ୍ଟା ବଜାର‌ରେ ବିଜେପି ପାଇଁ ୧୦,୦୦୦ ଟଙ୍କା ବାଜି ଲଗା‌ଉଥିବା ଲୋକେ ଦଳ ନିର୍ବାଚନ ଜିତିଲେ ୧୧,୦୦୦ ଟଙ୍କା ପାଇବେ ବୋଲି କୁହାଯାଇଥିଲା। ସେହିପରି କଂଗ୍ରେସ ପାଇଁ ୪,୪୦୦ ଟଙ୍କା ଲଗାଇଲେ, ୧୦,୦୦୦ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ତଥାପି ଲୋକମାନେ ବିଜେପି ସପକ୍ଷରେ ବାଜି ଲଗାଇଥିଲେ। କିନ୍ତୁ ଏବେ କଂଗ୍ରେସ ପାଇଁ ଅଧିକ ବାଜି ଲାଗିଛି। କଂଗ୍ରେସ ନିମନ୍ତେ ୧୧୬ଟି ଆସନରେ ଲୋକମାନେ ବାଜି ଲଗାଇଥିବା ବେଳେ ବିଜେପି ଲାଗି ୧୦୨ ଆସନରେ ବାଜି ଲାଗିଛି। ବର୍ତ୍ତମାନ ପ୍ରଚାର ଅଭିଯାନ ଜୋରଦାର ହୋଇଥିବା‌ ବେଳେ ଅଙ୍କ ପୁଣି ବଦଳିପା‌ରେ ବୋଲି ଜଣେ ବୁକି କହିଛନ୍ତି। ଆସନ୍ତା ୨୮ ତାରିଖରେ ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ଆଜି କଂଗ୍ରେସ ପକ୍ଷରୁ ଇନ୍ଦୋରରେ ପ୍ରଚାର କରାଯାଇଛି।

କମଳନାଥଙ୍କ ଭିଡିଓ ଭାଇରାଲ୍‌
୯୦ ପ୍ରତିଶତ ମୁସ୍‌ଲିମ୍‌ଙ୍କ ସମର୍ଥନ ନ ମିଳିଲେ କଂଗ୍ରେସର ବିପର୍ଯ୍ୟୟ ଘଟିବ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସରଗରମ ପ୍ରଚାର ଚାଲିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା କମଳନାଥଙ୍କ ଏକ ବିବାଦୀୟ ଭିଡିଓ ଆଜି ଭାଇରାଲ୍‌ ହୋଇଛି। ୯୦ ପ୍ରତିଶତ ମୁସ୍‌ଲିମ୍‌ ଭୋଟର୍‌ କଂଗ୍ରେସକୁ ଭୋଟ୍‌ ନଦେଲେ ଦଳର ବିପର୍ଯ୍ୟୟ ଘଟିବ ବୋଲି କମଳନାଥ କହୁଥିବା ଦେଖିବାକୁ ମିଳିଛି। ମୁସ୍‌ଲିମ୍‌ ଭୋଟ୍‌ ବ୍ୟାଙ୍କ ଦଳ ପାଇଁ କେତେ ଜରୁରୀ ସେ ବାବଦରେ ଏକ ରୁଦ୍ଧଦ୍ବାର ବୈଠକରେ ହୋଇଥିବା ଆଲୋଚନାର ଭିଡିଓ ଭାଇରାଲ୍‌ ହେବାପରେ ଏହାକୁ ନେଇ ବିଜେପି କଂଗ୍ରେସକୁ ଘେରିଛି। କଂଗ୍ରେସର ମୁସ୍‌ଲିମ୍‌ ଭୋଟ୍‌ ବ୍ୟାଙ୍କ ରାଜନୀତି ଏବଂ ତୁଷ୍ଟୀକରଣ ଯୋଜନା ଏଥର ମଧ୍ୟ କାମ ଦେବନାହିଁ ବୋଲି ରାଜ୍ୟ ବିଜେପି ନେତାମାନେ କହିଛନ୍ତି। କମଳନାଥଙ୍କ ଭିଡିଓ ନେଇ ବିଜେପି ନିର୍ବାଚନ କମିସନଙ୍କ ନିକଟରେ ଖୁବ୍‌ଶୀଘ୍ର ଅଭିଯୋଗ କରିବ ବୋଲି ଜଣାପଡ଼ିଛି। କମଳନାଥ ରାଜ୍ୟରେ ବିଭାଜନକାରୀ ରାଜନୀତି ଚଳାଇଛନ୍ତି ବୋଲି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର