‘ମହାରାଜା’ ମାନସିକତା ଛାଡ଼ି ପାରୁ ନାହାନ୍ତି ମଧ୍ୟପ୍ରଦେଶ ମନ୍ତ୍ରୀ; ମନ୍ତ୍ରୀଙ୍କୁ ଟ୍ରେନ୍‌ରୁ ଆଣିବାକୁ ପ୍ଲାଟଫର୍ମ ଭିତରେ ପଶିଲା ଗାଡ଼ି, ଭିଡିଓ ହେଲା ଭାଇରାଲ

ଭୋପାଳ (ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶର ରାଜନେତା ଓ ମନ୍ତ୍ରୀମାନଙ୍କ ମଧ୍ୟରୁ ଏବେ ବି ‘ରାଜା ମହାରାଜା’ ମାନସିକତା ଦୂର ହୋଇ ପାରିନାହିଁ। ଏହିପରି ଏକ ‘ରାଜା ମହାରାଜା’ ମାନସିକତା ଓ ଭିଭିଆଇପି ସଂସ୍କୃତିର ଏକ ନଗ୍ନ ନମୁନା ଦେଖିବା ପାଇଁ ମିଳିଛି ଭୋପାଳ ରେଳ ଷ୍ଟେସନରେ। ସମସ୍ତ ପ୍ରକାରର ନୀତିନିୟମକୁ ଜଳାଞ୍ଜଳି ଦେବା ସହ ଉଲ୍ଲଂଘନ କରି ମଧ୍ୟପ୍ରଦେଶ କ୍ରୀଡ଼ା ମନ୍ତ୍ରୀ ଯଶୋଧାରା ରାଜେ ସିନ୍ଧିଆଙ୍କୁ ଆଣିବା ପାଇଁ ତାଙ୍କ ସରକାରୀ ଗାଡ଼ି ଯାତ୍ରୀ ଗହଳି ପୂର୍ଣ୍ଣ ଭୋପାଳ ରେଳ ଷ୍ଟେସନ ମଧ୍ୟକୁ ପ୍ରବେଶ କରିବାର ଭିଡିଓ ଚିତ୍ର ଏବେ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ମଧ୍ୟପ୍ରଦେଶର କ୍ରୀଡ଼ା ମନ୍ତ୍ରୀ ଯଶୋଧାରା ରାଜେ ସିନ୍ଧିଆ ଏକ ଟ୍ରେନ୍‌ରେ ଆସି ଭୋପାଳ ଷ୍ଟେସନରେ ଓହ୍ଲାଇବାର ଥିଲା। ଷ୍ଟେସନରୁ ତାଙ୍କୁ ଆଣିବା ପାଇଁ ତାଙ୍କ ସରକାରୀ ଗାଡ଼ି ଷ୍ଟେସନକୁ ଯାଇଥିଲା। ହେଲେ, ଟ୍ରେନ୍‌ରୁ ଓହ୍ଲାଇବା ପରେ ମନ୍ତ୍ରୀ ଶ୍ରୀମତୀ ସିନ୍ଧିଆଙ୍କୁ ଯେପରି କଷ୍ଟକରି ଚାଲିଚାଲି ଷ୍ଟେସନ ବାହାରକୁ ଆସିବାକୂୁ ନପଡ଼େ ତାହାକୁ ନିଶ୍ଚିତ କରିବା ପାଇଁ ମନ୍ତ୍ରୀଙ୍କ ଡ୍ରାଇଭର ସମସ୍ତ ପ୍ରକାରର ନୀତିନିୟମକୁ ଜଳାଞ୍ଜଳି ଦେବା ସହ ଉଲ୍ଲଂଘନ କରି ମନ୍ତ୍ରୀଙ୍କ ଗାଡ଼ିକୁ ନେଇ ଯାତ୍ରୀ ଭିଡ଼ ମଧ୍ୟରେ ମନ୍ତ୍ରୀ ଆସୁଥିବା ବଗି ନିକଟରେ ନେଇ ରଖିଥିଲେ। ମନ୍ତ୍ରୀ ଟ୍ରେନ୍‌ରୁ ଓହ୍ଲାଇବା ପରେ ତାଙ୍କୁ ଅପେକ୍ଷା କରିଥିବା ଗାଡ଼ିରେ ବସି ଷ୍ଟେସନରୁ ଚାଲି ଯାଇଥିଲେ।


ତେବେ, ପ୍ଲାଟଫର୍ମ ଭିତରକୁ ଗାଡ଼ି ପ୍ରବେଶ କରାଇବା ଏକ ଦଣ୍ଡନୀୟ ଅପରାଧ ହୋଇଥିଲେ ସୁଦ୍ଧା ଭୋପାଳ ଷ୍ଟେସନ କର୍ତ୍ତୃପକ୍ଷ ଏଯାବତ୍‌ ମନ୍ତ୍ରୀଙ୍କ ଡ୍ରାଇଭର ବିରୋଧରେ କୌଣସି ପ୍ରକାରର କାର୍ଯାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ଅନ୍ୟପକ୍ଷରେ ଏ ଘଟଣା ସଂପର୍କରେ ମନ୍ତ୍ରୀ ଶ୍ରୀମତୀ ସିନ୍ଧିଆ ଦୃଷ୍ଟି ଆକର୍ଷଣ କରାଯିବାରେ, ଏପରି ନିୟମ ସଂପର୍କରେ ସେ ଜାଣି ନଥିବା କହିଛନ୍ତି। ତେବେ, ଏହି ପୂରା ଘଟଣାକ୍ରମର ଭିଡିଓ ଚିତ୍ର ଏବେ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର