‘ହିଙ୍ଗ୍ଲିସ୍‌’ ଭାଷାରେ ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀଙ୍କୁ ଅନୁମତି ଦେଲା ମଧ୍ୟ ପ୍ରଦେଶ ବିଶ୍ୱବିଦ୍ୟାଳୟ

ଜବଲପୁର: ଉଭୟ ଲିଖିତ ଏବଂ ମୌଖିକ ପରୀକ୍ଷା ସମୟରେ ’ହିଙ୍ଗ୍ଲିସ୍‌’ ଭାଷା ବ୍ୟବହାର କରିବାକୁ ପରୀକ୍ଷାର୍ଥୀମାନଙ୍କୁ ମଧ୍ୟପ୍ରଦେଶ ମେଡିକାଲ୍‌ ୟୁନିଭର୍ସିଟି ଅନୁମତି ଦେଇଛି। ‘ହିଙ୍ଗ୍ଲିସ୍‌’ ଭାଷା ହେଉଛି ଇଂରାଜୀ ଓ ହିନ୍ଦୀ ଭାଷାର ମିଶ୍ର ବ୍ୟବହାର।

ମେ ୨୬ ତାରିଖ ଦିନ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରକାଶିତ ଏକ ସର୍କୁଲାର୍‌ରେ କୁହାଯାଇଛି: ‘‘ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ, ବୋର୍ଡ ଅଫ୍‌ ଷ୍ଟଡିଜ୍‌ ସ୍ଥିର କଲେ ଯେ ସମସ୍ତ କଲେଜର ଛାତ୍ରଛାତ୍ରୀମାନେ ପ୍ରଶ୍ନର ଊତ୍ତର ଲେଖିବାକୁ ଇଂଲିସ୍‌, ହିଙ୍ଗ୍ଲିସ୍‌ ଏବଂ ହିନ୍ଦି ବିକଳ୍ପ ପାଇବେ।‘‘

ଏ ଭଳି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନେ ପ୍ରଶଂସା କରିଛନ୍ତି। ଏହା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନିଶ୍ଚୟ ସହାୟ ହେବ। ବିଶେଷ କରି ମଫସଲ ଅଞ୍ଚଳରୁ ଆସିଥିବା ଛାତ୍ରଛାତ୍ରୀମାନେ ଏଥି ଯୋଗୁଁ ଉପକୃତ ହେବେ ବୋଲି ବିଶ୍ୱବିଦ୍ୟାଳୟର ଭାଇସ୍‌ ଚାନ୍‌ସେଲର୍‌ ଡକ୍ଟର୍‌ ଆର୍‌ ଏସ୍‌ ଶର୍ମା କହିଛନ୍ତି।

ଉଦାହଣଟିଏ ଦେଇ ସେ କହିଲେ, ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ ‘ହାର୍ଟ ଆଟାକ୍‌’ ପରିବର୍ତ୍ତେ ‘ହାର୍ଟ କା ଦୌରା’ ବୋଲି ଲେଖି ପାରିବେ।
ବିଶେଷକରି ମଫସଲ ଅଞ୍ଚଳରୁ ଆସିଥିବା ଛାତ୍ରଛାତ୍ରୀମାନେ ଠିକ୍‌ ଉତ୍ତର ଜାଣିଥିଲେ ମଧ୍ୟ ଇଂରାଜୀରେ ଆନାୟାସରେ ଲେଖି ପାରୁ ନ ଥିବାରୁ ବିଶ୍ୱବିଦ୍ୟାଳୟ ଏମିତି ନିଷ୍ପତ୍ତି ନେଇଛି। ମୌଖିକ ପରୀକ୍ଷାରେ ମଧ୍ୟ ଛାତ୍ରଛାତ୍ରୀମାନେ ନିଜ ଭାବନା ପରିପ୍ରକାଶ କରି ପାରୁ ନାହାନ୍ତି।
ଏ ୟୁନିଭର୍ସିଟି ଅଧୀନରେ ଏମ୍‌ବିବିଏସ୍‌ ସମେତ ବିଭିନ୍ନ ପାଠ୍ୟକ୍ରମ ପଢ଼ା ଯାଉଥିବା ୩୧୨ଟି କଲେଜ ରହିଛି।

ସମ୍ବନ୍ଧିତ ଖବର