ଚାରି ଦଶନ୍ଧି ମଧ୍ୟରେ ଦେଶର ଜାତୀୟ ପ୍ରାଣୀ ମହାବଳ ବାଘଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ୧୩୦୦ ପ୍ରତିଶତ

ନୂଆଦିଲ୍ଲୀ: ମହାବଳ ବାଘକୁ ଜାତୀୟ ପ୍ରାଣୀର ମାନ୍ୟତା ମିଳିବା ପରେ ବିଗତ ୪୪ ବର୍ଷ ମଧ୍ୟରେ ଏମାନଙ୍କ ସଂଖ୍ୟାରେ ୧୩୦୦ ପ୍ରତିଶତ ବୃଦ୍ଧି ଘଟିଥିବା ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଏକଦା ମହାବଳ ବାଘରେ ପରିପୂର୍ଣ୍ଣ ଥିବା ଭାରତରେ ଏମାନଙ୍କ ସଂଖ୍ୟା ବିଭିନ୍ନ କାରଣରୁ ବେଶ୍‌ ଉଦବେଗଜନକ ଭାବେ କମିବାକୁ ଆରମ୍ଭ କରିଥିଲା। ସମୟକ୍ରମେ ପରିସ୍ଥିତି ଏପରି ଅବସ୍ଥାରେ ପହଞ୍ଚିଥିଲା ଯେ ଏମାନେ ବିଳୁପ୍ତ ପ୍ରାୟ ଅବସ୍ଥାକୁ ଆସି ଯାଇଥିଲେ! ଏପ୍ରକାର ସ୍ଥିତିକୁ ଦେଖି ଉଦ୍‌ବେଗ ପ୍ରକାଶ ସହ ଭାରତ ସରକାର ଆରମ୍ଭ କରିଥିଲେ ‘ପ୍ରେଜେକ୍ଟ ଟାଇଗର୍‌’ ପ୍ରକଳ୍ପ। ୧୯୭୨ ହୋଇଥିବା ଦେଶର ସର୍ବ ପ୍ରଥମ ବ୍ୟାଘ୍ର ଗଣନା କାର୍ଯ୍ୟକ୍ରମରେ ଏମାନଙ୍କ ସଂଖ୍ୟା ମାତ୍ର ୨୬୮ ଥିବା ଜାଣିବାକୁ ମିଳିବା ପରେ ସେହିବର୍ଷ ଅପ୍ରେଲ ୧ ତାରିଖରେ ତତ୍କାଳୀନ ମନ୍ତ୍ରୀ କରଣ ସିଂହ ଆରମ୍ଭ କରିଥିଲେ ଏହି ‘ପ୍ରେଜେକ୍ଟ ଟାଇଗର୍‌’ ପ୍ରକଳ୍ପ। ଉଦ୍ଦେଶ୍ୟ ଥିଲା ବ୍ୟାଘ୍ର ସଂରକ୍ଷଣ ଓ ବ୍ୟାଘ୍ର ସଂଖ୍ୟାରେ ବୃଦ୍ଧି ଆଣିବା। କୋରବେଟ୍‌ର ଦିକାଲା ରେଞ୍ଜରୁ ଆରମ୍ଭ ହୋଇଥିଲା ଏହି ପ୍ରେଜେକ୍ଟ।

ଏହି ଯୋଜନା ଅଧୀନରେ ୧୯୭୩-୭୪ ସାଲରେ ୯,୧୧୫ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରତିଷ୍ଠା ହୋଇଥିଲା ମାତ୍ର ୯ଟି ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲ। କାରଣ, ଗୋଟିଏ ବାଘର ଅବାଧ ଚଲାବୁଲା ପାଇଁ ଆବଶ୍ୟକ ପଡ଼ୁଥିଲା ୨,୫୦୦ ଏକର ଜଙ୍ଗଲ ଜମି। କିନ୍ତୁ, ବିଗତ ଚାରି ଦଶନ୍ଧି ମଧ୍ୟରେ; ଏବେ, ସମଗ୍ର ୭୧,୦୨୭.୧୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ପ୍ରତିଷ୍ଠା ହୋଇଛି ୫୦ଟି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ। ଆଉ ଏହି ସବୁ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲଗୁଡ଼ିକ ମଧ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି ଏମାନଙ୍କ ସଂଖ୍ୟା। କାରଣ, ଏକ ସନ୍ତୁଳିତ ପରିବେଶ ପାଇଁ ଏମାନଙ୍କ ଆବଶ୍ୟକତା ନିହାତି ଭାବେ ଅପରିହାର୍ଯ୍ୟ।

ସମ୍ବନ୍ଧିତ ଖବର