ଅଧା ରହିଗଲା ପିକନିକ୍‌ ! ପାହାଡ଼ି ରାସ୍ତାରୁ ୫୦୦ ଫୁଟ ତଳକୁ ଖସିପଡ଼ିଲା ବସ୍‌, ୩୩ ଛାତ୍ରଙ୍କ ଚାଲିଗଲା ଜୀବନ

ମହାବଳେଶ୍ୱର/ରାୟଗଡ଼ : ଆନନ୍ଦ ପାଲଟିଲା ଅବସାଦ। ଖୁସୀରେ ପିକନିକ କରିବାକୁ ଯାଉଥିଲେ ଛାତ୍ରଛାତ୍ରୀ, କିନ୍ତୁ ଯିବା ରାସ୍ତାରେ ହିଁ ଘଟିିଗଲା ଅଘଟଣ। ଅଚାନକ ମୃତ୍ୟୁ ଆସି ଟାଣିନେଲା ହାତ। ଅଧା ରହିଗଲା ପିକନିକ୍‌। ଏପରି ହୃଦୟ ବିଦାରକ ଘଟଣା ଘଟିଛି ମହାରାଷ୍ଟ୍ରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମହାବଳେଶ୍ୱର ନିକଟରେ। ଶନିବାର ସକାଳେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୩୩ ଛାତ୍ରଛାତ୍ରୀ। ମହାରାଷ୍ଟ୍ରର ଡାପୋଲିସ୍ଥିତ ଏକ କୃଷି ବିଶ୍ୱବିଦ୍ୟାଳୟର ଛାତ୍ର ଓ କର୍ମଚାରୀଙ୍କୁ ନେଇ ଯାଉଥିବା ବସଟି୍‌ ୫୦୦ ମିଟର ଗଭୀର ଖାତ ଭିତରକୁ ଖସିପଡ଼ିବା ଫଳରେ ବସରେ ଥିବା ସମସ୍ତେ ମୃତ୍ୟୁମୁଖରେ ପଡ଼ିଥିବା ପ୍ରାଥମିକ ସୂଚନା ମିଳିଛି। ଛୁଟିରେ ପିକ୍‌ନିକ୍‌ କରିବାକୁ ମହାବଳେଶ୍ୱର ଯାଉଥିବା ବେଳେ ବିଶ୍ୱବିଦ୍ୟାଳୟର ୩୪ଜଣ ଛାତ୍ର ଦୁର୍ଘଟଣାର ଶିକାର ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୁଚନା ଅନୁଯାୟୀ, ବସ୍‌ଟି ଅମ୍ବେନାଲି ଘାଟ ଦେଇ ପାହଡ଼ି ରାସ୍ତାରେ ଯାଉଥିବା ବେଳେ ବସ୍‌ଟି ନିୟନ୍ତ୍ରଣ ହରାଇ ତଳକୁ ଖସିପଡ଼ିଥିଲା।

ମିଳିଥିବା ସୂଚନା ଅନୁସାରେ, ଶନିବାର ଡାପୋଲିସ୍ଥିତ ବାଲାସାହେବ ସାଓ୍ଵନ୍ତ କୋଙ୍କନ୍‌ କୃଷି ବିଦ୍ୟାପୀଠର ଛାତ୍ରଛାତ୍ରୀ ଓ ଅଧ୍ୟାପକ ପିକନିକ୍‌ କରିବା ଲାଗି ମହାବଳେଶ୍ୱର ଯାଉଥିଲେ। ଗନ୍ତବ୍ୟକୁ ଯିବା ରାସ୍ତାରେ ଅମ୍ବେନାଲି ଘାଟିରେ ଯାଉଥିବା ସମୟରେ ହଠାତ୍‌ ବସଟିର ଚକା ସ୍ଲିପ୍‌ ହୋଇ ଯାଇଥିଲା। ଫଳରେ ପ୍ରାୟ ୫୦୦ଫୁଟ ତଳକୁ ବସଟି ଖସି ପଡ଼ିଥିଲା । ଏହି ଦୁର୍ଘଟଣା ଏତେ ଭୟାବହ ଥିଲା କି ଘଟଣାସ୍ଥଳରେ ୩୩ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ତେବେ ଖବର ପାଇବା ମାତ୍ରେ ଘଟଣାସ୍ଥଳକୁ ଉଦ୍ଧାର ଲାଗି ଏନଡିଆରଏଫର ଏକ ଟିମ୍‌ ଯାଇଛି।

ରାୟଗଡ଼ ଜିଲ୍ଲା ଜିଲ୍ଲାପାଳ ବିଜୟ ସୂର୍ଯ୍ୟବଂଶୀ ଘଟଣାର ବିଷୟରେ କହିଛନ୍ତି, ଅମ୍ବେନାଲି ଘାଟିର ପୋଲଡପୁରରେ ବସ୍‌ ପାହାଡ଼ ତଳକୁ ଖସି ପଡ଼ିବା ହେତୁ ବସ୍‌ରେ ଥିବା ୩୪ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ରିପୋର୍ଟ ଅନୁସାରେ, ସକାଳୁ ବାଲାସାହେବ ସାଓ୍ଵନ୍ତ କୋଙ୍କନ୍‌ କୃଷି ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ମହାବଳେଶ୍ୱର ବାହାରିଥିଲେ। ସକାଳ ପ୍ରାୟ ୧୦ଟା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ବସ୍‌। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ବସଟି ବହୁ ଗଡ଼ା ଦେଇ ପଥରରେ ମାଡ଼ ହୋଇ ଗହ୍ଵର ଭିତରେ ଯାଇ ପଡ଼ିଥିଲା। ଯେଉଁ କାରଣରୁ ଏଥିରେ ଥିବା ଅଧିକାଂଶ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଘନ କୁହୁଡି ହେତୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟୁଇଟର ଜରିଆରେ ଦୁଃଖ ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର