ସଂସଦରେ ମହାନଦୀ ଜଳବିବାଦ ପ୍ରସଙ୍ଗ : ଆଲୋଚନା ପାଇଁ ଦିନ ଧାର୍ଯ୍ୟ ହୋଇନି

ନୂଆଦିଲ୍ଲୀ : ଗତକାଲି ବିଜେଡି ପକ୍ଷରୁ ସଂସଦର ଉଭୟ ଗୃହରେ ମହାନଦୀ ଜଳବିବାଦ ପ୍ରସଙ୍ଗରେ ଆଲୋଚନା ପାଇଁ ଦୃଢ଼ ଦାବି ହୋଇଥିଲା। ତେବେ ମୁଲତବୀ ପ୍ରସ୍ତାବ ନୁହେଁ, ଅନ୍ୟାନ୍ୟ ଆଲୋଚନା ସମ୍ପର୍କିତ ପ୍ରସ୍ତାବ ଆସିବା ପରେ ବିଚାର କରାଯିବାର ଆଶ୍ୱାସନା ମିଳିଥିଲା। ମାତ୍ର କେବେ ଆଲୋଚନା ହେବ ସେ ନେଇ କୌଣସି ପ୍ରକାର ନିଷ୍ପତ୍ତି ହୋଇପାରିନାହିଁ।

ଆଜି ଲୋକସଭାରେ ଶୂନ୍ୟକାଳରେ ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ ପୁଣି ଥରେ ମହାନଦୀ ଜଳବିବାଦ ମାମଲାରେ ଗୃହରେ ଆଲୋଚନା ପାଇଁ ବାଚସ୍ପତି ସୁମିତ୍ରା ମହାଜନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭର୍ତ୍ତୃହରିଙ୍କ ସମେତ ୯ଜଣ ବିଜେଡି ସାଂସଦ ନିଜ ଆସନରୁ ଉଠିଆସି ବାଚସ୍ପତିଙ୍କ ସମ୍ମୁଖରେ ଫେରାଦ ହେବା ପାଇଁ ମନସ୍ଥ କରିଥିଲେ। ତେବେ ଗତକାଲି ସେ ତାଙ୍କୁ ପ୍ରଶ୍ନ କରିବାର ଅନୁମତି ଦେଇଥିଲେ ବୋଲି ବାଚସ୍ପତି ଭର୍ତ୍ତୃହରିଙ୍କୁ କହିବା ସହ ଆଜି ମଧ୍ୟ ସେ ଏହି ପ୍ରଶ୍ନ ଉଠାଇବାକୁ ଚାହୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ମହାନଦୀ ଜଳବିବାଦ ପ୍ରସଙ୍ଗରେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି ବୋଲି ମହତାବ କହିଥିଲେ। ଅପରପକ୍ଷେ, ନିଷ୍ପତ୍ତି ଗୋଟିଏ ଦିନରେ କେମିତି ନିଆଯାଇପାରିବ ବୋଲି ବାଚସ୍ପତି କହିଥିଲେ। ବାଚସ୍ପତିଙ୍କ ଏଭଳି ଉତ୍ତର ପରେ ସମସ୍ତ ବିଜେଡି ସାଂସଦ କୌଣସି ପ୍ରତିବାଦ ନକରି ନିଜ ନିଜ ଆସନକୁ ଫେରି ଯାଇଥିଲେ।

ସେହିପରି ଶୂନ୍ୟ କାଳରେ ବିଜେଡି ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ ପାଇଁ ରାଜ୍ୟର ଦାବି ସମ୍ପର୍କରେ କେନ୍ଦ୍ର ସରକାରଙ୍କଠାରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଇନଥିବା ସମ୍ପର୍କରେ ଉପବାଚସ୍ପତିଙ୍କୁ ଜଣାଇଥିଲେ। ସରକାର ଟ୍ରିବ୍ୟୁନାଲ ଗଠନ କରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ତତ୍ପରତା ପ୍ରକାଶ କରୁନାହାନ୍ତି ବୋଲି ସେ କହିଥିଲେ। ଅପରପକ୍ଷେ, ଛତିଶଗଡ଼ ସରକାରଙ୍କୁ ମହାନଦୀର ଉପରମୁଣ୍ଡରେ ବିବାଦୀୟ ବ୍ୟାରେଜ ନିର୍ମାଣ ଅନୁମତି ଦେଇ ଚାଲିଛନ୍ତି ବୋଲି ପ୍ରଧାନ କହିଥିଲେ। ଆବଶ୍ୟକ ଆଦେଶ ଜାରି କରି ଛତିଶଗଡ଼ ସରକାରଙ୍କୁ ବିବାଦୀୟ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ବନ୍ଦ କରିବା ସହ ଟ୍ରିବ୍ୟୁନାଲ ଗଠନ ପରେ ଏହାର ସମାଧାନ ପାଇଁ ସେ କହିଥିଲେ। ଅପରପକ୍ଷେ, ରାଜ୍ୟସଭାରେ ଆଜି ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହରେ ମହାନଦୀ ପ୍ରସଙ୍ଗ ଉପସ୍ଥାପନା କରାଯାଇନଥିଲା। ତେବେ ରାଜ୍ୟସଭାରେ ବିଜେଡି ଦେଇଥିବା କେଉଁ ନୋଟିସକୁ ଆଲୋଚନା ପାଇଁ ଗ୍ରହଣ କରାଯିବ ସେନେଇ କିଛି ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର