ନୂଆଦିଲ୍ଲୀ : ମହାରାଷ୍ଟ୍ରକୁ ୧୨୯.୦୪ ମିଲିଅନ୍ କ୍ୟୁବିକ୍ ମିଟର ଜଳ ଆବଣ୍ଟନ କରାଯାଉ ବୋଲି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ରେ ଆଜି ମହାରାଷ୍ଟ୍ର ଦାବି କରିଛି। ଆଜି ସତ୍ୟପାଠ ଦାଖଲ କରି ଏହି ରାଜ୍ୟ ନିଜର ଦାବି ଉତ୍ଥାପନ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ର ଆଜି ୭୦ ପୃଷ୍ଠାର ସତ୍ୟପାଠ ଦାଖଲ କରିଛି। ଏହି ସତ୍ୟପାଠରେ ଏହି ରାଜ୍ୟ ଉଲ୍ଲେଖ କରିଛି ଯେ, ମହାନଦୀ ଅବବାହିକାରେ ଜଳ ବୃଦ୍ଧି ପାଉଥିବାରୁ ଟ୍ରିବ୍ୟୁନାଲ୍ ମହାନଦୀ ଅବବାହିକା ରାଜ୍ୟମାନଙ୍କ ମଧ୍ୟରେ ନ୍ୟାୟସଂଗତ ଜଳବଣ୍ଟନ ନିର୍ଦ୍ଧାରଣ କରିବା ସମୟରେ ମହାରାଷ୍ଟ୍ରର ଭାଗକୁ ସଠିକ୍ ଭାବେ ବିଚାର କରାଯାଉ। ମହାନଦୀ ଅବବାହିକାରେ ଉବଲବ୍ଧ ହେଉଥିବା ସମୁଦାୟ ଜଳରୁ ୭୫ ପ୍ରତିଶତ ଅଥବା ହାରହାରି ଆଧାରରେ ବଣ୍ଟନ କରିବାପାଇଁ ସତ୍ୟପାଠରେ ଦାବି କରିଛି।
ସତ୍ୟପାଠରେ ଆହୁରି ଉଲ୍ଲେଖ କରାଯାଉଛି, ମହାରାଷ୍ଟ୍ର ୨୦୫୦ ବର୍ଷ ପର୍ଯ୍ୟନ୍ତ ମହାନଦୀ ଅବବାହିକାରୁ କୃଷି, ପିଇବା ପାଣି, ଶିଳ୍ପ, ଜଙ୍ଗଲ ଓ ପରିବେଶ ପ୍ରବାହ ପାଇଁ ଆବଶ୍ୟକୀୟ ପରିମାଣର ଜଳ ପାଇଁ ଯୋଜନା ପ୍ରସ୍ତୁତ କରିଛି। ଜଳସେଚନ ପାଇଁ ୮୮.୬୪ କ୍ୟୁବିକ୍ ମିଟର , ପିଇବା ପାଣି ପାଇଁ ୨.୩୫ କ୍ୟୁବିକ୍ ମିଟର, ଶିଳ୍ପ ପାଇଁ ୨.୩୫ କ୍ୟୁବିକ୍ ମିଟର, ଜଙ୍ଗଲ ଭାଇ ଆବଶ୍ୟକତା ଥିବା ୧.୦୦ କ୍ୟୁବିକ୍ ମିଟର ପରିବେଶ ପ୍ରବାହ ପାଇଁ ୨୩ କ୍ୟୁବିକ୍ ମିଟର ତଥା ବାଷ୍ପ ବହିବା ଜନିତ କ୍ଷତି ପାଇଁ ୧୧.୭୦ କ୍ୟୁବିକ୍ ମିଟର ଜଳର ଆବଶ୍ୟକତା ରହିଛି।
ସମଗ୍ର ମହାନଦୀ ଅବବାହିକାରେ ମହାରାଷ୍ଟ୍ରର ୧ ପ୍ରତିଶତରୁ କମ୍ ଅଞ୍ଚଳ ରହିଛି ଏବଂ ମହାନଦୀ ଅବବାହିକାରେ ମହାରାଷ୍ଟ୍ରର ଜନସଂଖ୍ୟା ୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ ୩୪୬୮୮ ରହିଥିବା ତଥା ୧୦୦ଟି ଗାଁ ଥିବାର ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଜଳ ସମସ୍ୟା ଥିବାରୁ ଉଚିତ୍ ବ୍ୟବସ୍ଥା କରାଯାଇ ଜଳର ଆବଣ୍ଟନ କରାଯିବା ଆବଶ୍ୟକତା ରହିଛି ବୋଲି ମହାରାଷ୍ଟ୍ର ସତ୍ୟପାଠରେ ଗୁରୁତ୍ବାରୋପ କରାଯାଇଛି।
ମହାନଦୀ ଅବବାହିକାରେ ଜଳର ଆବଶ୍ୟକୀୟ ଉପଯୋଗିତା ନେଇ ମହାରାଷ୍ଟ୍ର ସରକାରଙ୍କ ଜଳ ସଂରକ୍ଷଣ ବିଭାଗ ପକ୍ଷରୁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯାଉଛି ଏବଂ ଏହାର ପ୍ରସ୍ତୁତ ହୋଇସାରିବା ପରେ ଟ୍ରିବ୍ୟୁନାଲ୍ରେ ଦାଖଲ ହେବ ବୋଲି କୁହାଯାଇଛି।