ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଦ୍ବିତୀୟ ଶୁଣାଣି : ଓଡ଼ିଶାକୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ମୂଳ ଓ ଅନ୍ତରୀଣ ଆବେଦନର ଶୁଣାଣି ଫେବ୍ରୁଆରି ୯ରେ

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଆଜି ଦ୍ବିତୀୟ ଶୁଣାଣି ହୋଇଥିଲା। ଏହି ମାମଲାରେ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ନିଷ୍ପତ୍ତି ନେବା ପୂର୍ବରୁ ମହାନଦୀର ୨୦ ବର୍ଷ ପୂର୍ବର ଜଳ ପ୍ରବାହ ତଥା ଜଳପ୍ରବାହ ଅବରୋଧ ସମ୍ପର୍କିତ ବିଭିନ୍ନ ତଥ୍ୟକୁ ସଂକ୍ଷିପ୍ତ ସତ୍ୟପାଠ ଆକାରରେ ଦାଖଲ କରିବାପାଇଁ ଆଜି ଓଡ଼ିଶାକୁ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାକୁ ଦୁଇ ସପ୍ତାହରେ ସତ୍ୟପାଠ ଦାଖଲ କରିବାପାଇଁ ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶ ଦେବା ସହ ସତ୍ୟପାଠର ପ୍ରତିଜବାବ ଦାଖଲ କରିବାପାଇଁ ଛତିଶଗଡ଼କୁ ମଧ୍ୟ ଦୁଇ ସପ୍ତାହ ସମୟ ପ୍ରଦାନ କରିଛନ୍ତି ଟ୍ରିବ୍ୟୁନାଲ୍‌। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଓଡ଼ିଶାର ବିଚାରାଧୀନ ଥିବା ମୂଳ ମାମଲା ତଥା ଅନ୍ତରୀଣ ଆବେଦନର ଶୁଣାଣି ପାଇଁ ଫେବ୍ରୁଆରି ୯ ତାରିଖ ଧାର୍ଯ୍ୟ କରାଯାଇଛି। ସୁପ୍ରିମକୋର୍ଟର ବିଚାରପତି ତଥା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ବିଚାରପତି ଏ ଏମ୍‌ ଖାନ୍‌ୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ଆଜି ମହାନଦୀ ଜଳବିବାଦ ମାମଲାର ଦ୍ବିତୀୟ ଶୁଣାଣି ଥିଲା।

ଆଜି ଶୁଣାଣି ସମୟରେ ଓଡ଼ିଶା ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଓଡ଼ିଶାର ଅନ୍ତରୀଣ ଆବେଦନକୁ ନେଇ ଯୁକ୍ତି ଉପସ୍ଥାପନ କରିଥିଲେ। ଓଡ଼ିଶା ଦ୍ବାରା ଅକ୍ଟୋବର ୯ ତାରିଖରେ ଦାଖଲ ହୋଇଥିବା ଅନ୍ତରୀଣ ଆବେଦନ‌ରେ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ଦ୍ବାରା କରାଯାଉଥିବା ନିର୍ମାଣ ଉପରେ ରହିତାଦେଶ ଜାରି କରିବାପାଇଁ ପ୍ରାର୍ଥନା କରାଯାଇଥିଲା। ଏନେଇ ଟ୍ରିବ୍ୟୁନାଲ୍‌ ତ୍ବରିତ ବିଚାର କରନ୍ତୁ ବୋଲି ଶ୍ରୀ ରୋହତଗୀ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମହାନଦୀ ଓଡ଼ିଶାର ଜୀବନରେଖା। ମହାନଦୀକୁ ଅବରୋଧ କରାଯାଉଥିବାରୁ ଓଡ଼ିଶା ପାଇଁ ସାଂଘାତିକ ସ୍ଥିତି ଉପୁଜିଛି। ମହାନଦୀ ଅବବାହିକାରେ ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ରାଜ୍ୟରୁ କେବଳ ଛତିଶଗଡ଼ ସହ ଓଡ଼ିଶାର ମହାନଦୀ ଜଳକୁ ନେଇ ବିବାଦ ଘନେଇଛି ବୋଲି ଶ୍ରୀ ରୋହତଗୀ ଶୁଣାଣି ସମୟରେ ଖଣ୍ଡପୀଠଙ୍କୁ କହିଛନ୍ତି। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଓଡ଼ିଶାର ମୂଳ ପିଟିସନ୍‌ ବିଚାରାଧୀନ ଅଛି ହେଲେ ତ୍ବରିତ ନ୍ୟାୟ ତଥା‌ ଆଶ୍ବସ୍ତି ପାଇଁ ଓଡ଼ିଶାର ଅନ୍ତରୀଣ ଆବେଦନରେ ଉଲ୍ଲେଖ କରାଯାଇଥିବା ପ୍ରାର୍ଥନା ଗୁଡ଼ିକୁ ବିଚାରକୁ ନିଆଯାଇ ଅନ୍ତରୀଣ ଆଦେଶ ଜାରି କରାଯାଉ ବୋଲି ଶ୍ରୀ ରୋହତଗୀ ଖଣ୍ଡପୀଠଙ୍କ ନିକଟରେ ଦୃଢ଼ ଯୁକ୍ତି ବାଢ଼ିଥିଲେ। ସେ ପୁଣି କହିଛନ୍ତି ଅଣ ମୌସୁମୀ ନଭେମ୍ବରରୁ ମେ’ ପର୍ଯ୍ୟନ୍ତ ମହାନଦୀର ପ୍ରବାହ ଅବ୍ୟାହତ ରହିବା ଦରକାର। ମହାନଦୀ ଜଳ ଉପରେ ଓଡ଼ିଶାର ଅଧିକ ଅଧିକାର ରହିଛି। ଏଥିରୁ ଏହାକୁ କିଭଳି ବଞ୍ଚିତ କରାଯାଇ ପାରିବ ବୋଲି ରୋହତଗୀ ଖଣ୍ଡପୀଠଙ୍କ ନିକଟରେ ଯୁକ୍ତି ବାଢ଼ିଥିଲେ। ମହାନଦୀର ଉପରମୁଣ୍ଡରେ ବେଆଇନ ଭାବେ ଛତିଶଗଡ଼ ଦ୍ବାରା ୬ଟି ବ୍ୟାରେଜ୍‌ ନିର୍ମାଣ କରାଯାଉଛି। ଏଥି ମଧ୍ୟରୁ ୪ଟି ବ୍ୟାରେଜ୍‌ର ନିର୍ମାଣ କାର୍ଯ୍ୟ ଶେଷ ହୋଇ ‌ଗେଟ୍‌ ଲଗାଯାଇଛି କିନ୍ତୁ ନିର୍ମାଣ ପୂର୍ବରୁ ଛତିଶଗଡ଼ ପକ୍ଷରୁ ଓଡ଼ିଶାକୁ କୌଣସି ସୂଚନା ଦିଆଯାଇନି ବୋଲି ରୋହତଗୀ ଖଣ୍ଡପୀଠଙ୍କୁ କହିଥିଲେ। ପ୍ରକଳ୍ପ ଗୁଡ଼ିକର କୌଣସି ପରିବେଶ ମଂଜୁରି ନାହିଁ କି କେନ୍ଦ୍ର ସରକାରଙ୍କଠାରୁ ସେମାନେ ନିର୍ମାଣ ପାଇଁ ଅନୁମୋଦନ ନେଇନାହାନ୍ତି ବୋଲି ମୁକୁଲ୍‌ ଯୁକ୍ତି ବାଢ଼ିଥିଲେ। ଜଳପ୍ରବାହ ଅବ୍ୟାହତ ଯୋଗୁଁ ପିଇବା ପାଣି, ଜୈବ ବିବିଦ୍ଧତା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଖଣ୍ଡପୀଠଙ୍କ ନିକଟରେ ଅବଗତ କରାଯାଇଥିଲା।

ଆଜି ଓଡ଼ିଶା ଦ୍ବାରା ବ୍ୟାରେଜ୍‌ ନିର୍ମାଣ ପୂର୍ବର ତଥା ବ୍ୟାରେଜ୍‌ ନିର୍ମାଣ ପରର ତଥ୍ୟ ଖଣ୍ଡପୀଠଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ହେଲେ ଖଣ୍ଡପୀଠ ଏଥିରେ ବି‌ଶେଷ ସନ୍ତୋଷ ପ୍ରକାଶ କରିନଥିଲେ। ଖଣ୍ଡପୀଠ କହିଥିଲେ ଏହି ସମୟର ତଥ୍ୟ ସହ ୧୯୭୫ରୁ ୨୦୦୫ ପର୍ଯ୍ୟନ୍ତ ତଥ୍ୟର ଅନୁଧ୍ୟାନ କରିବା ଅବାଶ୍ୟକତା ରହିଛି। ଏହାଦ୍ବାରା ବର୍ଷା ଜଳର ପ୍ରଭାବ ପରିମାଣ, କମ୍‌ ଜଳର ସୂଚନା ମଧ୍ୟ ହାସଲ କରାଯାଇ ପାରିବ। ଅନ୍ତରୀଣ ଆବେଦନର ବିଚାର କରିବା ପୂର୍ବରୁ ଏସବୁ ତଥ୍ୟକୁ ଗୁରୁତ୍ବ ଦିଆଯିବ ଏବଂ ଆକଳନ ମଧ୍ୟ କରାଯାଇପାରିବ ବୋଲି ଖଣ୍ଡପୀଠ କହିଛନ୍ତି।
ଆଜି ଓଡ଼ିଶାର ଅନ୍ତରୀଣ ଆବେଦନ ଶୁଣାଣି ପୂର୍ବରୁ ଖଣ୍ଡପୀଠ ଛତିଶଗଡ଼କୁ ଜବାବ ଦାଖଲ କରିବାର ୩ ମାସ ମହଲତ ଦେବାକୁ ମନା କରିଦେଇଥିଲେ। ଛତିଶଗଡ଼ରେ ନୂଆ ସରକାର ଆସିଥିବା ଯୋଗୁଁ ଏବଂ ପ୍ରଶାସନିକ ଅଦଳବଦଳ ଯୋଗୁଁ ଅଧିକ ସମୟ ଦିଆଯାଉ ବୋଲି ଛତିଶଗଡ଼ ଦ୍ବାରା ଓକିଲ ଏ କେ ଗାଙ୍ଗୁଲି ଖଣ୍ଡପୀଠଙ୍କୁ କହିଥିଲେ। କିନ୍ତୁ ଖଣ୍ଡପୀଠ ୩ ମାସ ସମୟ ଦେଇନଥିଲେ। ୬ ସପ୍ତାହ ମଧ୍ୟରେ ଛତିଶଗଡ଼ ଜବାବ ଦାଖଲ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର