ଲୋକସଭାରେ ମହାନଦୀ ପ୍ରସଙ୍ଗ : ଜିଦ୍‌ରେ କେନ୍ଦ୍ର ଅଟଳ

ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନକୁ ଟାଳିଦେଲେ ଗଡ଼କରୀ

ବୈଠକ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି
ଏକକ ଟ୍ରିବ୍ୟୁନାଲ ଉପରେ ଝୁଲିଲା ମହାନଦୀ ଭାଗ୍ୟ
ଆପତ୍ତି କଲେ ବିଜେଡି ସାଂସଦ

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କେନ୍ଦ୍ର ସରକାର ତାଙ୍କ ଜିଦ୍‌ରେ ଅଟଳ ଅଛନ୍ତି। ଯଦିଓ ଆଇନ ଅନୁସାରେ, ମହାନଦୀ ଜଳବିବାଦ ପ୍ରସଙ୍ଗରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିବାକୁ ଏକରକମ ବାଧ୍ୟ, ତାସତ୍ତ୍ୱେ କେନ୍ଦ୍ର ସରକାର ପୁଣି ସମୟ ଗଡ଼ାଇବା ଲାଗି ବାଟ ଖୋଲିଛନ୍ତି। ଆଜି ସଂସଦରେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ନୀତିନ ଗ଼ଡ଼କରୀ ଗୋଟିଏ ପଟେ କହିଛନ୍ତି, ମହାନଦୀ ଜଳବିବାଦର ସମାଧାନ ପାଇଁ ତିନିମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ସଂପର୍କିତ ଅଧିକାର ଓଡ଼ିଶାକୁ ମିଳିବ। ଅନ୍ୟପଟେ ସାଂସଦମାନଙ୍କ ପ୍ରଶ୍ନର ଉତ୍ତରରେ ରୋକ୍‌ଠୋକ୍‌ ଜଣାଇଛନ୍ତି, ଆଉ ଦୁଇମାସ ମଧ୍ୟରେ ଏକକ ଟ୍ରିବ୍ୟୁନାଲ ଗଠନ ହେବ ଓ ମହାନଦୀ ଜଳବିବାଦ ମାମଲାକୁ ସେଠାକୁ ପଠାଇ ଦିଆଯିବ।

ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଲାଗି ଆଶା ପ୍ରକଟ କରିବା ସହିତ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି, ତାଙ୍କ ସ୍ତରରେ ଉଭୟ ରାଜ୍ୟ ଆଲୋଚନା କରନ୍ତୁ। ବିଫଳ ହେଲେ ପ୍ରଧାନମନ୍ତ୍ରୀଙ୍କ ସ୍ତରରେ ବି ଆଲୋଚନା କରାଯାଇପାରେ। ଅନ୍ୟଥା ଟ୍ରିବ୍ୟୁନାଲ ଓ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବାର ଅଧିକାର ଓଡ଼ିଶାର ଅଛି। ଏଥିପାଇଁ ଗତକାଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ସଂପର୍କରେ ମଧ୍ୟ ଆଜି ଗୃହରେ ସୂଚାଇଥିଲେ। ଏଥିସହିତ ଛତିଶଗଡ଼ ବେଆଇନ ନିର୍ମାଣ ପ୍ରକଳ୍ପ ବନ୍ଦ କରିବାର ଅଧିକାର ତାଙ୍କର ନାହିଁ ବୋଲି ଶ୍ରୀ ଗଡ଼କରୀ ସ୍ପଷ୍ଟ କରିବା ସହିତ ଏହା ବୃହତ୍‌ ପ୍ରକଳ୍ପ ହୋଇନଥିବା କାରଣରୁ କେନ୍ଦ୍ର ଏସବୁକୁ ଅନୁମତି ଦେଇନାହିଁ ବୋଲି ଜଣାଇଛନ୍ତି।

ଆଜି ଲୋକସଭାରେ ପ୍ରଶ୍ନକାଳରେ ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ, କଳିକେଶ ନାରାୟଣ ସିଂହଦେଓ, ଅର୍ଜୁନ ଚରଣ ସେଠୀ ଓ ଭର୍ତ୍ତୃହରି ମହତାବଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଅତ୍ୟନ୍ତ ମପାଚୁପା ଉତ୍ତର ରଖିଥିଲେ। କହିଥିଲେ, ଟ୍ରିବ୍ୟୁନାଲ ଗଠନ ପାଇଁ ରାଜ୍ୟର ସମ୍ପୂର୍ଣ୍ଣ ଅଧିକାର ଅଛି।ଏହି ଅଧିକାର ଆସନ୍ତା ୩ମାସ ମଧ୍ୟରେ ମିଳିବ। କିନ୍ତୁ ଓଡ଼ିଶା ସରକାର ଟ୍ରିବ୍ୟୁନାଲ ଜିଦ୍‌ ଛା଼ଡ଼ି ଆଲୋଚନା ପାଇଁ ଆଗକୁ ଆସନ୍ତୁ। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସେ ଗତକାଲି ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତୁ ଓ ସାଂସଦମାନେ ବି। ଦୁଇ ରାଜ୍ୟ ମଧ୍ୟରେ ଯଦି କଥାବାର୍ତ୍ତା ମଧ୍ୟରେ ସମାଧାନ ହୋଇନପାରିଲା, ତେବେ ଟ୍ରିବ୍ୟୁନାଲ ଗଠନ ପାଇଁ ବାଟ ଖୋଲା ଅଛି।

ମନ୍ତ୍ରୀ କହିଥିଲେ, ସବୁ ଜଳବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଏକକ ଟ୍ରିବ୍ୟୁନାଲ ଗଠନ ପାଇଁ ପ୍ରୟାସରତ ଅଛନ୍ତି। ଏ ସଂକ୍ରାନ୍ତ ବିଲ୍‌ ସଂସଦରେ ଆଗତ ହୋଇସାରିଛି ଓ ବିଲକୁ ଜଏଣ୍ଟ ସିଲେକ୍ସନ କମିଟି ପାଖକୁ ପଠାଯାଇଥିଲା। ବର୍ତମାନ ଆଇନ ବିଭାଗ ଏହାର ତର୍ଜମା କରୁଛନ୍ତି। ଆଇନ ବିଭାଗର ମତାମତ ଆସିବା ପରେ ସଂସଦରେ ଗୃହୀତ କରାଯିବ ଓ ଏହାକୁ ଆଇନରେ ପରିଣତ କରାଯିବ। ଥରେ ଏହି ଆଇନ ହେଲେ ସମସ୍ତ ଜଳବିବାଦ ନେଇ ହୋଇଥିବା ଟ୍ରିବ୍ୟୁନାଲ ଏହି ଏକକ ଟ୍ରିବ୍ୟୁନାଲରେ ବିଲୟ ଘଟିବ।

ଟ୍ରିବ୍ୟୁନାଲ ନିଷ୍ପତ୍ତି ସମୟସାପେକ୍ଷ ବୋଲି ଦର୍ଶାଇ ଗଡ଼କରୀ କହିଥିଲେ, ୩୦ବର୍ଷ ସମୟ ଅବଧି ପରେ ବି କିଛି ଟ୍ରିବ୍ୟୁନାଲ ତାଙ୍କ ରାୟ ଶୁଣାଇ ପାରିନାହାନ୍ତି। ଅନ୍ୟପକ୍ଷରେ ସେ ଦାୟିତ୍ୱ ନେବାର ଦୁଇମାସ ମଧ୍ୟରେ ମଧ୍ୟପ୍ରଦେଶ-ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ର-ଗୁଜରାଟ ମଧ୍ୟରେ ଜଳବିବାଦ ସମାଧାନ କରିବାରେ ସକ୍ଷମ ହୋଇପାରିଛନ୍ତି।

କେନ୍ଦ୍ର ସରକାର ଛତିଶଗଡ଼ ପ୍ରତି ଅଧିକ ଅନୁକମ୍ପା ଦେଖାଇ ବ୍ୟାରେଜ ନିର୍ମାଣ ଉପରେ କାହିଁକି ରୋକ୍‌ ଲଗାଉନାହାନ୍ତି ବୋଲି ସାଂସଦ ନଗେନ୍ଦ୍ର କୁମାର ପ୍ରଧାନଙ୍କ ପ୍ରଶ୍ନର ଜବାବରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ମହାନଦୀ ଉପରମୁଣ୍ଡରେ ଯେଉଁ ୬ଟି ବ୍ୟାରେଜ ଛତିଶଗଡ଼ ନିର୍ମାଣ କରିଛି, ସେଗୁଡିକର ୨୦୦୦ ହେକ୍ଟର ଜଳସେଚନ କ୍ଷମତା ରହିଛି। ଏହା ମାଇନର ଜଳସେଚନ ପରିଯୋଜନା ହୋଇଥିବାରୁ କେନ୍ଦ୍ର ସରକାରଙ୍କ ନିକଟରୁ ଅନୁମତି ନେବାର ଆବଶ୍ୟକତା ନାହିଁ। କେବଳ ଛତିଶଗଡ଼ ନୁହେଁ, ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନେ ମଧ୍ୟ ଏଭଳି ପ୍ରକଳ୍ପ ନିର୍ମାଣ କରିଛନ୍ତି, ଯେଉଁଥିପାଇଁ କେନ୍ଦ୍ରର ଅନୁମତି ଆବଶ୍ୟକ ନାହିଁ।

ଏହି ଅବସରରେ ମନ୍ତ୍ରୀ କହିଥିଲେ, ଓଡ଼ିଶାର ମୁଖ୍ୟ ସମସ୍ୟା ହେଉଛି, ବର୍ଷା ଋତୁରେ ବନ୍ୟା ଆସିବା ଫଳରେ ୮ ଶହ କୋଟିର କ୍ଷତି ହେଉଛି। ୫୦ଲକ୍ଷ ହେକ୍ଟର ଜମିର ପାଣି ତଳକୁ ଚାଲିଯାଉଛି ଓ ଫସଲ ନଷ୍ଟ ହେଉଛି। ଅଣମୌସୁମୀ ଋତୁରେ ଜଳପ୍ରବାହ କମ୍‌ ରହୁଛି। କିନ୍ତୁ ବର୍ତମାନ ମହାନଦୀରେ ଯେତିକି ଜଳ ରହିଛି, ଉଭୟ ଛତିଶଗଡ଼ ଓ ଓଡ଼ିଶା ଏହାକୁ ବ୍ୟବହାର କରିପାରିବେ। କେନ୍ଦ୍ର ସରକାର ଓଡ଼ିଶା ପ୍ରତି କୌଣସି ଅବିଚାର କରିବେ ନାହିଁ। ତେବେ ଓଡ଼ିଶା ସରକାର ବୈଠକକୁ ଆସୁନାହାନ୍ତି, ନଥିପତ୍ର ଦେଉନାହାନ୍ତି, ରିପୋର୍ଟ ଦେଉନାହାନ୍ତି। କେବଳ ଟ୍ରିବ୍ୟୁନାଲ ପାଇଁ ଦାବି କରୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ।

ମନ୍ତ୍ରୀଙ୍କର ଏଭଳି ମନ୍ତବ୍ୟରେ ସାଂସଦମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଆପତ୍ତି କରିବାରୁ ଗଡ଼କରୀ ତାଙ୍କ ଆଭିମୁଖ୍ୟ ବଦଳାଇ ଏହାକୁ ଏବେ ଆଉ ଏତେ ଗୁରୁତ୍ୱ ଦେବା ଉଚିତ୍‌ ନୁହେଁ ବୋଲି କହିଥିଲେ। ମୌସୁମୀରେ ଓଡ଼ିଶାକୁ କିଭଳି ପର୍ଯ୍ୟାପ୍ତ ଜଳମିଳିବ, ସେ ନେଇ କେନ୍ଦ୍ର ସରକାର କଣ ଯୋଜନା କରିଛନ୍ତି ବୋଲି ଶ୍ରୀ ପ୍ରଧାନଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ବର୍ଷା ଋତୁ ପରେ ନଦୀର ଜଳପ୍ରବାହ ହ୍ରାସ ପାଉଛି। ଅକ୍ଟୋବରରୁ ଏପ୍ରିଲ ଯାଏ ଜଳ ସମସ୍ୟା ଦେଉଛି। ଏପରିସ୍ଥଳେ ବର୍ଷାଋତୁର ଜଳକୁ ସଂରକ୍ଷଣ କରାଯିବାର ଆବଶ୍ୟକତା ରହିଛି, ଯାହାକୁ ପରେ ବ୍ୟବହାର କରାଯାଇପାରିବ। ଏହାଦ୍ୱାରା ବନ୍ୟା ମଧ୍ୟ ନିୟନ୍ତ୍ରଣ ହେବ। ଏମିତିରେ ବି ୬୮ରୁ ୭୦ ପ୍ରତିଶତ ଜଳ ସମୁଦ୍ରକୁ ଚାଲିଯାଉଛି, ଯାହାକୁ ରୋକିବା ଲାଗି କୌଣସି ଚର୍ଚ୍ଚା କିମ୍ବା ଆଲୋଚନା ହେଉନାହିଁ। ବରଂ ଛୋଟ ଛୋଟ ବିବାଦକୁ ନେଇ ଦୁଇ ରାଜ୍ୟ କୋର୍ଟକୁ ଯାଉଛନ୍ତି। ଏ କ୍ଷେତ୍ରରେ ଆବଶ୍ୟକ ହେଲେ କେନ୍ଦ୍ର ସରକାର ଆର୍ଥିକ ସହଯୋଗ ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଥିଲେ।

ଅଭିଯୋଗର ବର୍ଷକ ଭିତରେ ଟ୍ରିବ୍ୟୁନାଲ ଗଠନ ପାଇଁ ବ୍ୟବସ୍ଥା ଥିବା ବେଳେ କାହିଁକି କରାଯାଇନାହିଁ ବୋଲି ବିଜେଡି ସାଂସଦ କଳିକେଶ ସିଂହଦେଓଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, ଆଜି ପର୍ଯ୍ୟନ୍ତ କୌଣସି ଟ୍ରିବ୍ୟୁନାଲ ବର୍ଷକ ଭିତରେ ସ୍ଥାପନ ହୋଇପାରିନାହିଁ। ଟ୍ରିବ୍ୟୁନାଲ ଗଠନ ବ୍ୟବସ୍ଥା ସମୟ ସାପେକ୍ଷ।ଏହା କିନ୍ତୁ ରାଜ୍ୟର ସାମ୍ବିଧାନିକ ଅଧିକାର, କେନ୍ଦ୍ର ଏହାକୁ ଅଣଦେଖା କରେ ନାହିଁ। ଯଦି ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ, ତେବେ ଟ୍ରିବ୍ୟୁନାଲ ଗଠନ ପାଇଁ ଜିଦ୍‌ କାହିଁକି ବୋଲି ଗଡକରୀ ପାଲଟା ପ୍ରଶ୍ନ କରିଥିଲେ। ଏହି ଅବସରରେ ସେ ଜାତୀୟ ରାଜମାର୍ଗ ବିଭାଗ, ପେଟ୍ରୋଲିୟମ ବିଭାଗ ଓଡ଼ିଶା ପାଇଁ କରୁଥିବା ବିଭିନ୍ନ ପ୍ରକଳ୍ପର ଉଦାହରଣ ଦେବା ସହିତ ଭିନ୍ନ ରାଜନୈତିକ ଦଳ ହୋଇ ମଧ୍ୟ ଆମେ ଲଗାତାର ଓଡ଼ିଶାକୁ ସାହାଯ୍ୟ କରୁଛୁ ବୋଲି କହିଥିଲେ। ଓଡ଼ିଶା ସହିତ ଆଦୌ ଭେଦଭାବ କରାଯାଉନାହିଁ କିମ୍ବା କେନ୍ଦ୍ର ଓଡ଼ିଶା ବିରୋଧୀ ନୁହେଁ ବୋଲି ମନ୍ତ୍ରୀ ଜଣାଇଥିଲେ।

ବିଜେଡି ସାଂସଦ ଅର୍ଜୁନ ଚରଣ ସେଠୀ ମଧ୍ୟ ଟ୍ରିବ୍ୟୁନାଲ ଗଠନ କରାନଯିବା ପ୍ରସଙ୍ଗରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଥିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରିବ୍ୟୁନାଲ ଗଠନ ନେଇ ଯେଉଁ ଆବେଦନ କରାଯାଇଥିଲା, ତାହାର ବର୍ଷେ ପୂରିବା ସତ୍ତ୍ୱେ ଏହା ଗଠନ କରାଗଲାନାହିଁ। ସୁପ୍ରିମକୋର୍ଟରେ ମଧ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦିଆଯାଇଛି, କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିବେ। ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଆଇନର ସଂଶୋଧନ କରାଯାଇ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଟ୍ରିବ୍ୟୁନାଲ ଗଠନ ହେଲେ ଛତିଶଗଡ଼ର ବେଆଇନ ବ୍ୟାରେଜ ନିର୍ମାଣ ଉପରେ ଅଙ୍କୁଶ ଲଗାଯାଇପାରିବ। ପୂର୍ବତନ ଜଳସଂପଦ ମନ୍ତ୍ରୀ ଏହି ବେଆଇନ ନିର୍ମାଣ ଉପରେ ରୋକ୍‌ ଲଗାଇବା କ୍ଷମତା କେନ୍ଦ୍ରର ନାହିଁ ବୋଲି ମନା କରିଥିଲେ। ଏଣୁ ଓଡ଼ିଶା ସରକାର ଆଲୋଚନା ପାଇଁ ଅଗ୍ରସର ହେଉନାହାନ୍ତି। ଜବାବରେ ମନ୍ତ୍ରୀ କହିଥିଲେ, ଏସବୁ ପ୍ରକଳ୍ପ ଲାଗି ଅନୁମତି ନେବାର ଆବଶ୍ୟକତା ନାହିଁ। ଅତଏବ ଏହା ଉପରେ କେନ୍ଦ୍ର ସରକାର ରୋକ୍‌ ଲଗାଇପାରିବେ ନାହିଁ।

କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରରେ ବିଜେଡି ସାଂସଦମାନେ ସନ୍ତୁଷ୍ଟ ହୋଇନଥିଲେ। ବିଜେଡି ସାଂସଦମାନେ କହିଥିଲେ, ଟ୍ରିବ୍ୟୁନାଲ ଗଠନ ନ ହେବା ଅସାମ୍ବିଧାନିକ ଓ ଆଇନର ବିରୋଧାଚରଣ। ପ୍ରଥମେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ କେନ୍ଦ୍ର ନିର୍ଦେଶ ଦେଉ ବୋଲି ସାଂସଦ ପିନାକୀ ମିଶ୍ର କହିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଜବାବ ସମୟରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ସାଂସଦଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର