୨୩ରେ ମହାନଦୀ ଜଳବିବାଦ ମାମଲାର ଶୁଣାଣି

ତାରିଖ ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚଳିତମାସ ୨୩ ତାରିଖରେ ମହାନଦୀ ଜଳବିବାଦ ମାମଲାର ଶୁଣାଣି ହେବ ବୋଲି ଆଜି ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି। ଜଷ୍ଟିସ୍‌ ଏସ୍‌.ଏ.ବବ୍‌ଡେ ଓ ଏଲ୍‌.ନାଗେଶ୍ୱର ରାଓଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ। ଗତ ୧୬ ତାରିଖରେ ଏହି ମାମଲାର ଶୁଣାଣି ନେଇ ତାରିଖ ନିର୍ଦ୍ଧାରିତ ହୋଇଥିଲା ବେଳେ ଉକ୍ତ ଦିନ ଜଷ୍ଟିସ୍‌ ବବ୍‌ଡେ ଅନୁପସ୍ଥିତ ରହିଥିବାରୁ ତାଙ୍କର ୭ ନଂ କୋର୍ଟରେ ତାଲିକାଭୁକ୍ତ କୌଣସି ମାମଲାର ଶୁଣାଣି ହୋଇପାରି ନଥିଲା। ତେବେ ଆସନ୍ତା ୨୩ରେ ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାର ସମ୍ଭବତଃ ଟ୍ରିବ୍ୟୁନାଲ ଗଠନ ନେଇ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବେ ବୋଲି ଆଶା ପୋଷଣ କରାଯାଉଛି। ଗତବର୍ଷ ଡିସେମ୍ବର ୨୨ ତାରିଖରେ ଏହି ମାମଲାର ଶୁଣାଣି ବେଳେ ଟ୍ରିବ୍ୟୁନାଲ ଗଠନରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଉପରେ ଖଣ୍ଡପୀଠ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ରିପୋର୍ଟ ମାଧ୍ୟମରେ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସରକାର ଏଭଳି ନକଲେ ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ମୂଳ ମାମଲାକୁ ସୁଟକୁ ମେରିଟ ଆଧାରରେ ବିଚାରକରି କୋର୍ଟ ତାଙ୍କ ରାୟ ଦେବେ ବୋଲି ଚେତବନୀ ମଧ୍ୟ ଦେଇଥିଲେ।

ସୂଚନାଯୋଗ୍ୟ, ଡିସେମ୍ବର ୫ ତାରିଖରେ କେନ୍ଦ୍ର ସରକାର ଓଡ଼ିଶାର ମୂଳ ମକଦ୍ଦମାକୁ ନେଇ ଦାଖଲ କରାଯାଇଥିବା ସତ୍ୟପାଠରେ ମହାନଦୀ ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ନଥିବା ଦର୍ଶାଇ ମୂଳ ଆବେଦନକୁ ଜରିମାନା ସହ ଖାରଜ କରିବାକୁ ପ୍ରାର୍ଥନା କରିଥିଲେ। ପରବର୍ତ୍ତୀ ସମୟରେ ଲୋକସଭାରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ସହିତ ସବୁ ଜଳ ବିବାଦ ମାମଲାର ସମାଧାନ ପାଇଁ କେନ୍ଦ୍ର ସରକାର ଏକକ ଟ୍ରିବ୍ୟୁନାଲ ଗଠନରେ ପ୍ରାୟାସରତ ଥିବାରୁ ମହାନଦୀ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲର ଆବଶ୍ୟକତା ନାହିଁ ବୋଲି କହିଥିଲେ। ଚଳିତମାସ ୧୭ ତାରିଖରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ ନଦୀ ସଂଯୋଗୀକରଣର ଚତୁର୍ଦ୍ଦଶ ବୈଠକକୁ ସମ୍ବୋଧିତ କରିବା ସମୟରେ ଜଳ ବିବାଦଗୁଡ଼ିକର ସମାଧାନ କୋର୍ଟ ବାହାରେ ହେବା ଦରକାର ବୋଲି କହିଥିଲେ। କେନ୍ଦ୍ର ସରକାର ଜାନୁଆରି ୨୩ରେ ହେବାକୁ ଥିବା ଶୁଣାଣିରେ ଏକକ ଟ୍ରିବ୍ୟୁନାଲ ଗଠନର ଅଗ୍ରଗତିର ଦୃଷ୍ଟାନ୍ତ ଦେବା ଭଳି ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଓଡ଼ିଶା ଦ୍ୱାରା ଟ୍ରିବ୍ୟୁନାଲ ଗଠନକୁ ନେଇ ଖଣ୍ଡପୀଠଙ୍କ ନିକଟରେ ଜୋରଦାର ଦାବି ଉପସ୍ଥାପନ କରାଯିବା ସହିତ ନିଜର ଯୁକ୍ତି ସପକ୍ଷରେ ଆଉକିଛି ଅତିରିକ୍ତ ନଥିପତ୍ର ଦାଖଲ କରାଯିବ ବୋଲି ଜଣାପଡ଼ିଛି। ଓଡ଼ିଶା ପକ୍ଷରୁ ମାମଲାରେ ସମ୍ପୃକ୍ତ ଜଣେ ଆଇନ୍‌ଜୀବୀଙ୍କ କହିବା ମୁତାବକ, ଓଡ଼ିଶାର ଯୁକ୍ତିକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହିତ ବଂଶଧାରା ଟ୍ରିବ୍ୟୁନାଲ ପାଇଁ ଯେଭଳି ନିର୍ଦ୍ଦେଶ ଦେଇଥିଲେ ସେଭଳି ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇ ପାରନ୍ତି ବୋଲି ଓଡ଼ିଶା ଆଶାବାଦୀ ରହିଛି।

ସମ୍ବନ୍ଧିତ ଖବର