ମହାନଦୀ ଟ୍ରିବ୍ୟୁନାଲ୍‌ : ଓଡ଼ିଶା ସତ୍ୟପାଠ ଉପ‌ରେ ଜବାବ ରଖିଲା ଛତିଶଗଡ଼

ଡ୍ୟାମ୍‌ର କ୍ଷମତା ୦.୮୧ ଏମ୍‌ଏଫକୁ ହ୍ରାସ ପାଇଛି

ନୂଆଦିଲ୍ଲୀ : କାଦୁଅ ‌ଯୋଗୁଁ ହୀରାକୁଦ ଡ୍ୟାମ୍‌ର କ୍ଷମତା ୯୯୫ ଏମ୍‌ସିଏମ୍‌ (୦.୮୧) ଏମ୍‌ଏଏଫ୍‌କୁ ହ୍ରାସ ପାଇଛି। ଏହାଦ୍ବାରା‌ ଓଡ଼ିଶା ଅଣମୌସୁମୀ ସମୟ‌ରେ ଜଳର ଆବଶ୍ୟକତା ହାସଲ କରିବାରେ ଅସମର୍ଥ ହୋଇଛି। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଓଡ଼ିଶା ସରକାରଙ୍କ ଦ୍ବାରା ଗତ ମାସ ୧୦ ତାରିଖରେ ଦାଖଲ କରାଯାଇଥିବା ସତ୍ୟପାଠ ଉପରେ ଜବାବ ରଖି ଛତିଶଗଡ଼ ପକ୍ଷରୁ ଏହା କୁହାଯାଇଛି।

ଛତିଶଗଡ଼ ପକ୍ଷରୁ ଦାଖଲ କରାଯାଇଥିବା ଜବାବରେ କୁହାଯାଇଛି ଯେ, ହୀରାକୁଦ ଡ୍ୟାମ୍‌ ନିର୍ମାଣ ସମୟରେ ଏହାର ଷ୍ଟୋରେଜ୍‌ କ୍ଷମତା ୫୮୧୮ ଏମ୍‌ସିଏମ୍‌ ଥିଲା, ଯାହା ୨୦୦୦ ବର୍ଷରେ ୪୮୨୩ ଏମ୍‌ସିଏମ୍‌କୁ ହ୍ରାସ ପାଇଛି। ଏହାର ମୂଳ କ୍ଷମତା ୮୨.୯୨ ପ୍ରତିଶତ ରହିଛି।

ହୀରାକୁଦ ଡ୍ୟାମ୍‌ରୁ ନ‌ଭେମ୍ବରରୁ ମେ’ ପର୍ଯ୍ୟନ୍ତ ୫.୮୨ ଏମ୍‌ଏଏଫ୍‌ ଜଳ ଓଡ଼ିଶା ପାଇଁ ସୁରକ୍ଷିତ କରାଯାଉ ବୋଲି ଓଡ଼ିଶାର ଦାବି କରିବାର କୌଣସି ଅଧିକାର ନାହିଁ। କେଉଁ ମାସରେ ଅଣମୌସୁମୀ ସମୟ ଆରମ୍ଭ ହେଉଛି, ସେନେଇ ମଧ୍ୟ ଓଡ଼ିଶା ଦ୍ବାରା ଭୁଲ୍‌ ତଥ୍ୟ ଦିଆଯାଇଛି। ନଭେମ୍ବର ମାସରୁ ଅଣମୌସୁମୀ ସମୟ ଆରମ୍ଭ ହେଉନାହିଁ। ପାଣିପାଗ ତଥ୍ୟ ଅନୁଯାୟୀ ଅକ୍ଟୋବର ମାସରେ ଏହା ଆରମ୍ଭ ହୋଇଥାଏ। ଓଡ଼ିଣା ଦ୍ବାରା ଅଣମୌସୁମୀ ସମୟରେ ୫.୮୨ ଏମ୍‌ଏଏଫ୍‌ ଜଳ ବ୍ୟବହାର କରାଯିବାପାଇଁ ଯେଉଁ ତଥ୍ୟ ଦିଆଯାଇଛି ତାହା ସମ୍ପୂର୍ଣ୍ଣ ଭାବେ ଭୁଲ୍‌ ବୋଲି ଛତିଶଗଡ଼ ପକ୍ଷରୁ କୁହାଯାଇଛି।

ଛତିଶଗଡ଼ ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ, ଅଣମୌସୁମୀ ସମୟରେ ଜଳର ବ୍ୟବହାରକୁ ନେଇ ଓଡ଼ିଶା ଦ୍ବାରା ଯେଉଁ ତଥ୍ୟ ଦିଆଯାଇଛି ସେଗୁଡ଼ିକୁ ଗ୍ରହଣ କରାଯାଇପାରିବ ନାହି। ଏଥିପାଇଁ ଯେଉଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା, ତାହା ଓଡ଼ିଶାର ହିତ ଦୃଷ୍ଟି‌ରେ ରଖି କରାଯାଇଥିଲା ‌। ଅପରପକ୍ଷେ, ହୀରାକୁଦ ଡ୍ୟାମ୍‌ରୁ ୫.୮୨ ଏମ୍‌ଏଏଫ୍‌ ଜଳ ଓଡ଼ିଶା କିପରି ବ୍ୟବହାର କରିବ ସେନେଇ କୌଣସି ସଠିକ୍‌ ବିବରଣୀ ଓଡ଼ିଶା ପକ୍ଷରୁ ପ୍ରଦାନ କରାଯାଇନାହିଁ। କେତୋଟି ଏରିଆରେ ଜଳସେଚନ ହୋଇଛି ସେସବୁ ଏରିଆର କ୍ରପ୍‌ ପ୍ୟାଟର୍ନ ସମ୍ପର୍କରେ ମଧ୍ୟ ଓଡ଼ିଶା ସରକାର ଦ୍ବାରା ‌କୌଣସି ତଥ୍ୟ ପ୍ରଦାନ କରାଯାଇନାହିଁ। ଏତଦ୍‌ବ୍ୟତୀତ ଓଡ଼ିଶା ଦ୍ବାରା ଆଧୁନିକ ଜଳ ସଂରକ୍ଷଣ ‌ଟେକ୍‌ନୋଲୋଜିର ବ୍ୟବହାର କରାଯାଉଛି କି ନା’ ସେ ସମ୍ପର୍କରେ ମଧ୍ୟ କୌଣସି ବିବରଣୀ ପ୍ରଦାନ କରାଯାଇନାହିଁ। କେବଳ ଏତିକି ନୁହେଁ ନିଜସ୍ବ କ୍ୟାଚମେଣ୍ଟ୍‌ରେ ଓଡ଼ିଶା କେତେ ପରିମାଣରେ ଜଳ ଅଣମୌସୁମୀ ସମୟ‌ରେ ବ୍ୟବହାର କରୁଛି ସେନେଇ ସ୍ପଷ୍ଟ ଭାବେ ଉଲ୍ଲେଖ କରିନଥିବା ଛତିଶଗଡ଼ ଅଭିଯୋଗ କରିଛି।

ଛତିଶଗଡ଼ କହିଛି ଯେ, ଏହା ନିଃସନ୍ଦେହ ମହାନଦୀ ଚିରସ୍ଥାୟୀ ନଦୀ ନୁହେଁ ‌ଯେ ବର୍ଷାଜଳ ଯୋଗୁଁ ଏହାର ଜଳ ଆବଶ୍ୟକତା ନିର୍ଭର କରିଥାଏ। ବର୍ତ୍ତମାନ ସୁଦ୍ଧା ମହାନଦୀ ଜଳର ବିଭାଜନ କୌଣସି ବୁଝାମଣା କିମ୍ବା ଟ୍ରିବ୍ୟୁନାଲ୍‌ର ଦ୍ବାରା ହୋଇନାହିଁ। ଅତଏବ ଓଡ଼ିଶା ହୀରାକୁଦ ଡ୍ୟାମ୍‌ରୁ ନଭେମ୍ବରରୁ ‌ମେ’ ପର୍ଯ୍ୟନ୍ତ ୨ ଏମ୍‌ଏଏଫ୍‌ ଜଳ ଦାବି କରିବାର କୌଣସି ଅଧିକାର ନାହିଁ।

ଆହୁରି ମଧ୍ୟ ସତ୍ୟପାଠରେ କହିଛି ଯେ, ହୀରାକୁଦରେ ଅଣ‌ମୌସୁମୀ ସମୟରେ ଜଳପ୍ରବାହ ହ୍ରାସ ପାଇଥିବା ନେଇ ଓଡ଼ିଶାର ଅଭି‌ଯୋଗ ଆଦୌ ସତ୍ୟ ନୁହେଁ । ଛତିଶଗଡ଼ ପକ୍ଷରୁ ଆଇଏମ୍‌ଡି ଓ କେନ୍ଦ୍ରୀୟ ଜଳ ଆୟୋଗ ପାଖରୁ ଏବଂ ଓଡ଼ିଶା ସରକାରଙ୍କ ପାଖରୁ ଅଥେନ୍‌ଟିକ୍‌ ହାଇ‌ଡ୍ରୋ ‌ମେଟ୍ରୋ‌ଲୋଜିକାଲ୍‌ ତଥ୍ୟ ଲୋଡ଼ାଯାଇଥିବା ଜବାବରେ ଉଲ୍ଲେଖ କରାଯାଇଛି। ତଥ୍ୟ ହାସଲ ହୋଇ ସାରିବା ପରେ ଏଗୁଡ଼ିକୁ ତର୍ଜମା କରାଯାଇ ହୀରାକୁଦ ଡ୍ୟାମ୍‌ରେ ବିଗତ ବର୍ଷ ଗୁଡ଼ିକରେ କେତେ ଜଳପ୍ରବାହ ହୋଇଛି ତାହା ନିରୂପଣ କରାଯାଇ ପାରିବ। ସେହିପରି ଏ ସଂକ୍ରାନ୍ତ ଅତିରିକ୍ତ ସତ୍ୟପାଠ ଟ୍ରିବ୍ୟୁନାଲ୍‌ରେ ଦାଖଲ କରିବାର ଅଧିକାର ତାଙ୍କର ରହିଛି।

ଓଡ଼ିଶା ଅଣମୌସୁମୀ ସମୟରେ ଜଳପ୍ରବାହ ହ୍ରାସ ପାଇଥିବା ନେଇ ଯେଉଁ କଥା କହୁଛି ତାହା ଜୟସିଲନ୍‌ ରିପୋର୍ଟରେ ପ୍ରମାଣିତ ହୋଇନାହିଁ। ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ୍‌ ନିର୍ମାଣ ଜଳପ୍ରବାହ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ସେମାନଙ୍କ ବାର୍ଷିକ ଅଂଶଧନ ୨୪.୮୦ ଏମ୍‌ଏଏଫ୍‌ରୁ କମ୍‌ ନୁହେଁ ଏବଂ ଏଥିରୁ ଅଣମୌସୁମୀ ସମୟ‌ରେ ସେମାନଙ୍କ ସେୟାର ୬.୦୭ ଏମ୍‌ଏଏଫ୍‌ରୁ କମିବ ନାହିଁ ବୋଲି ଛତିଶଗଡ଼ ସ୍ପଷ୍ଟ କରିଛି।

ଏଥିସହିତ, ଏ ନେଇ ଛତିଶଗଡ଼ ଦ୍ବାରା ବିସ୍ତୃତ ରିପୋର୍ଟ ଟ୍ରିବ୍ୟୁନାଲ୍‌ରେ ଦାଖଲ କରାଯିବ ବୋଲି ଜବାବରେ କୁହାଯାଇଛି। ଛତିଶଗଡ଼ ଦ୍ବାରା ଦାଖଲ ହୋଇଥିବା ୧୨୩ ପୃଷ୍ଠାର ଜବାବ ଉପରେ ଚଳିତମାସ ୯ ତାରିଖରେ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ହେବ।

ସମ୍ବନ୍ଧିତ ଖବର