ନଭେମ୍ବର ୧୯ ସୁଦ୍ଧା ମହାନଦୀ ଟ୍ରିବ୍ୟୁନାଲ

ସୁପ୍ରିମ କୋର୍ଟରେ କେନ୍ଦ୍ରର ପ୍ରତିଶ୍ରୁତି

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ସମ୍ପର୍କିତ ବିଜ୍ଞପ୍ତି ନଭେମ୍ବର ୧୯ ତାରିଖ ପୂର୍ବରୁ ପ୍ରକାଶ ପାଇବ। ଏ ନେଇ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ମନ୍ତବ୍ୟକୁ ରେକର୍ଡ କରିବା ସହିତ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ଲାଗି ନିର୍ଦେଶ ଦେଇଛନ୍ତି। ଏଥିସହିତ ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶାକୁ ଏକ ବଡ଼ ଧରଣର ସଫଳତା ମିଳିଥିବା କୁହାଯାଉଛି।

ମହାନଦୀ ଜଳବିବାଦ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟର ବିଚାରପତି ଏସ୍‌ ଏ ବବ୍‌ଡେ ଓ ବିଚାରପତି ଏଲ୍‌ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠରେ ହୋଇଥିଲ। ଶୁଣାଣି ବେଳେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନକୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ କହିଥିଲେ। ଗତ ୪ ମାସରୁ ଏ ପର୍ଯ୍ୟନ୍ତ କ’ଣ ଅଗ୍ରଗତି ହୋଇଛି ବୋଲି କେନ୍ଦ୍ର ସରକାରଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ।

ଅନ୍ୟପକ୍ଷରେ ଆଜି ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଆତ୍ମାରାମ୍‌ ନାଦକର୍ଣ୍ଣୀ ଅନୁପସ୍ଥିତ ଥିବା ଯୋଗୁଁ କେନ୍ଦ୍ର ସରକାରଙ୍କ ଓକିଲ ଓ୍ଵାସିମ୍‌ କାଦ୍ରି ମହାନଦୀ ଟ୍ରିବ୍ୟୁନାଲ ଗଠନକୁ ନେଇ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। କହିଥିଲେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନର ପ୍ରକ୍ରିୟା ଚୂଡାନ୍ତ ହୋଇସାରିଛି ଓ ଏହା ଏବେ କ୍ୟାବିନେଟ୍‌ଙ୍କ ବିଚାରାଧୀନ ରହିଛି। ତେବେ ଟ୍ରିବ୍ୟୁନାଲ ଗଠନ ସମ୍ପର୍କିତ ବିଜ୍ଞପ୍ତି ନଭେମ୍ବର ୧୯ ତାରିଖ ପୂର୍ବରୁ ପ୍ରକାଶ ପାଇବ।

ଟ୍ରିବ୍ୟୁନାଲ ଗଠନରେ ବିଳମ୍ବକୁ ନେଇ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। କେନ୍ଦ୍ର ସରକାରଙ୍କ ଓକିଲଙ୍କୁ କହିଥିଲେ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟା ବିଳମ୍ବ ହେଉଛି ଏବଂ ଏହାକୁ ତ୍ୱରାନ୍ଵିତ କରାଯାଉ। ଜବାବ୍‌ରେ କେନ୍ଦ୍ର ସରକାରଙ୍କ ଓକିଲ ଓ୍ଵାସିମ୍‌ କାଦ୍ରି କହିଥିଲେ ପ୍ରକ୍ରିୟା ବିଳମ୍ବ ହେବନାହିଁ ଏବଂ କେନ୍ଦ୍ର ସରକାର ନଭେମ୍ବର ୧୯ ପୂର୍ବରୁ ଟ୍ରିବ୍ୟୁନାଲର ରୂପରେଖ, ଭିତ୍ତିଭୂମି ତଥା ସଦସ୍ୟମାନଙ୍କ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବେ। ମହାନଦୀ ଟ୍ରିବ୍ୟୁନାଲ ଗଠନକୁ ନେଇ

କେନ୍ଦ୍ର ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାପରେ ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ଲାଗି ରହିତାଦେଶ ଜାରି ପାଇଁ ଓଡ଼ିଶା ପକ୍ଷରୁ ଦାବି ହୋଇଥିଲା। ଏହି ମାମଲାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିୟୋଜିତ ଓକିଲ ମୋହନ କାଟାର୍‌କି କହିଥିଲେ, ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ ଭାବେ ନିର୍ମାଣ କରିଚାଲିଛି। ଏହାକୁ ବନ୍ଦ କରାଯିବା ନିହାତି ଆବଶ୍ୟକ। ଏଣୁ ଏସବୁର ନିର୍ମାଣ ଉପରେ ରହିତାଦେଶ ଜାରି କରାଯାଉ ବୋଲି ସେ ଯୁକ୍ତି ବାଢିଥିଲେ।

ତେବେ ଓଡ଼ିଶାର ଏଭଳି ଦାବିକୁ ଛତିଶଗଡ଼ ପକ୍ଷରୁ ପ୍ରବଳ ବିରୋଧ କରାଯାଇଥିଲା। ବର୍ତ୍ତମାନ ସ୍ଥିତିରେ କୌଣସି ପ୍ରକାର କାର୍ଯ୍ୟକୁ ବନ୍ଦ କରାଯାଇ ପାରିବନି ତଥା ଓଡ଼ିଶା ଯେଉଁ ରହିତାଦେଶ ଜାରି କରିବା ପାଇଁ ଦାବିି କରୁଛି ତାହାର କୌଣସି ଔଚିତ୍ୟ ନାହିଁ ବୋଲି ଛତିଶଗଡ଼ର ଓକିଲ ଅତୁଲ ଝା ଯୁକ୍ତି ରଖିଥିଲେ। ଓଡ଼ିଶାର ଦାବିକୁ ନେଇ ଖଣ୍ଡପୀଠ ଶୁକ୍ରବାର ଦିନ ମାମଲାର ଶୁଣାଣି କରନ୍ତୁ ବୋଲି ଶ୍ରୀ ଝା କହିଥିଲେ। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଯୁକ୍ତି ରଖାଯାଇଥିଲା। କେନ୍ଦ୍ର ସରକାରଙ୍କ ଓକିଲ କହିଥିଲେ, ଯେହେତୁ ଟ୍ରିବ୍ୟୁନାଲ ଗଠନ ସମ୍ପର୍କିତ ବିଜ୍ଞପ୍ତି ନଭେମ୍ବର ୧୯ ପୂର୍ବରୁ ପ୍ରକାଶ କରାଯିବ, ଏଣୁ ଏହି ମାମଲାର ଶୁଣାଣି ଡିସେମ୍ବର ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଉ।

ତିନି ପକ୍ଷଙ୍କ ଯୁକ୍ତି ଶୁଣାଣି ପରେ ଖଣ୍ଡପୀଠ କହିଥିଲେ, ଓଡ଼ିଶାର ପ୍ରକଳ୍ପ ନିର୍ମାଣ ଉପରେ ରହିତାଦେଶ ଜାରି କରିବା ଦାବି ନେଇ ପରେ ଶୁଣାଣି କରାଯିବ। ରହିତାଦେଶ ଜାରି କରିବା ସମ୍ପର୍କିତ ଆଦେଶ ଉପରେ ମଧ୍ୟ କୋର୍ଟ ନିରବ ରହିଥିଲେ। ଓଡ଼ିଶା ଏନେଇ କୌଣସି ଆପତ୍ତି କରିନଥିଲା। କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିବା ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିବା ସୂଚନା କୋର୍ଟକୁ ଜଣାଇବା ପରେ ଖଣ୍ଡପୀଠ ଦ୍ୱାରା ପରବର୍ତ୍ତୀ ଶୁଣାଣି ପାଇଁ କୌଣସି ତାରିଖ ଧାର୍ଯ୍ୟ କରାଯାଇନାହିଁ। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବରରେ ହୋଇପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର