ମହାନଦୀ ଜଳବିବାଦ ମାମଲା : ପ୍ରତିନିଧି ମନୋନୀତ କରିନାହାନ୍ତି ମହାରାଷ୍ଟ୍ର, ମଧ୍ୟପ୍ରଦେଶ

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ପ୍ରତିନିଧିତ୍ୱ ପାଇଁ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଦୁଇ ପ୍ରତିନିଧିଙ୍କ ନାମ ପଠାଇ ନାହାନ୍ତି। ମିଳିଥିବା ସୂଚନା ମୁତାବକ, ନିର୍ଦ୍ଧାରିତ ସମୟ ଅବଧିରେ (ଅଗଷ୍ଟ ୬ ତାରିଖ ସୁଦ୍ଧା) ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ନିଜର ଦୁଇ ପ୍ରତିନିଧିଙ୍କ ନାମ ମନୋନୀତ କରିପାରି ନାହାନ୍ତି। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ଚଳିତ ବର୍ଷ ମେ’ ୩୦ରେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ରାଜ୍ୟକୁ ନୋଟିସ୍‌ ଜାରି କରି ଟ୍ରିବ୍ୟୁନାଲ୍‌ରେ ପ୍ରତିନିଧିତ୍ୱ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ଜୁଲାଇ ଦ୍ୱିତୀୟ ସପ୍ତାହରେ ଦୁଇଜଣ ଲେଖାଏଁ ପ୍ରତିନିଧି ମନୋନୀତ କରି ଟ୍ରିବ୍ୟୁନାଲ୍‌କୁ ନାମ ପଠାଇ ଦେଇଥିଲେ। କିନ୍ତୁ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସେମାନଙ୍କ ପ୍ରତିନିଧିଙ୍କ ନାମ ଟ୍ରିବ୍ୟୁନାଲ୍‌କୁ ପଠାଇ ନାହାନ୍ତି। ଏହା ସତ୍ତ୍ୱେ ସେମାନଙ୍କ ଅନୁପସ୍ଥିତିରେ ଟ୍ରିବ୍ୟୁନାଲ୍‌ରେ ମାମଲାର ଶୁଣାଣି ହେବ। ତେବେ ଶୁଣାଣି କେବେ ହେବ, ସେ ବାବଦରେ ସ୍ପଷ୍ଟ ସୂଚନା ମିଳି ନଥିଲେ ହେଁ ଚଳିତମାସ ଶେଷ ସପ୍ତାହରେ ଟ୍ରିବ୍ୟୁନାଲ୍‌ ମୁଖ୍ୟାଳୟ ଜନପଥ ଭବନ ୪ର୍ଥ ମହଲାରେ ଶୁଣାଣି ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର