ସବୁ ଦୋଷ ଓଡ଼ିଶାର: କେନ୍ଦ୍ର

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ସବୁ ଦୋଷ ଓଡ଼ିଶା ସରକାର ଉପରେ ଲଦିଦେଇଛନ୍ତି।

ଉଲ୍ଳେଖ କରିଛନ୍ତି, ରାଜ୍ୟ ସରକାର ତାଙ୍କ ପକ୍ଷ ସମର୍ଥନରେ ତଥ୍ୟ ଦେବାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୋର୍ଟଙ୍କ ନଜରକୁ ଆଣିନାହାନ୍ତି। ମଧ୍ୟପ୍ରଦେଶର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହ, ଓଡ଼ିଶାର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଓ ତତ୍‌କାଳୀନ ଜଳସେଚନ ଓ ଶକ୍ତି ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ୧୯୮୩ ମସିହା ଏପ୍ରିଲ ୪ ତାରିଖରେ ଆଲୋଚନା କରିଥିଲେ। ଏଥିରେ ଦୁଇ ରାଜ୍ୟର ଅଧିକାରୀଙ୍କ ସହିତ ଜଳର ଉପଯୋଗିତା, ଲାଭକ୍ଷତିକୁ ନେଇ ବିବାଦଗୁଡ଼ିକର ସମାଧାନ ପାଇଁ ଆଲୋଚନା କରାଯାଇଥିଲା। ପରେ ୧୯୮୩ ଏପ୍ରିଲ ୨୮ରେ ମେମୋରାଣ୍ଡମ୍‌ ଅଫ୍‌ ଏଗ୍ରିମେଣ୍ଟ୍‌ (ଏମଓଏ) ସ୍ୱାକ୍ଷରିତ ହୋଇଥିଲା। ଯାହାର ଅନ୍ତର୍ଗତ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ କରାଯିବାର ପ୍ରସ୍ତାବ ରହିଛି। ଏହି ବୋର୍ଡ ଦ୍ୱାରା ଭବିଷ୍ୟତରେ ମହାନଦୀ ଅବବାହିକାରେ ବିବାଦ ପରିସ୍ଥିତିକୁ ଆପୋସ ସମାଧାନ ପାଇଁ ଗୁରୁତ୍ୱ ଦିଆଯାଇଛି।

ସତ୍ୟପାଠରେ ଆହୁରି କୁହାଯାଇଛି ମେମୋରାଣ୍ଡମ୍‌ ଅଫ୍‌ ଏଗ୍ରିମେଣ୍ଟ୍‌ (ଏମଓଏ)କୁ ଦୁଇ ରାଜ୍ୟ ରଦ୍ଦ କରିନାହାନ୍ତି। ଏଣୁ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଦୁଇ ରାଜ୍ୟ ମଧ୍ୟରେ ଅନେକ ପ୍ରସଙ୍ଗଗୁଡ଼ିକ ସମାଧାନ ହୋଇପାରିଥାନ୍ତା। ହେଲେ ଓଡ଼ିଶା ସରକାରଙ୍କ ଅସହଯୋଗ ଯୋଗୁଁ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ହୋଇପାରିନଥିଲା। ଅପରପକ୍ଷେ ଛତିଶଗଡ଼ ସରକାର ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ୨୦୧୬ ଜୁଲାଇ ୪ରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡିଥିଲେ। ରାଜ୍ୟ ସରକାରଙ୍କ ବିନା ସହମତିରେ ଛତିଶଗଡ ଦ୍ୱାରା ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଏଥିରେ କୁହାଯାଇଥିଲା। ପରେ କେନ୍ଦ୍ର ଜଳ ସଂପଦ ମନ୍ତ୍ରାଳୟର ଓଏସଡିଙ୍କ ଅଧ୍ୟକ୍ଷତାରେ ଦୁଇ ରାଜ୍ୟର ସଚିବସ୍ତରୀୟ ବୈଠକ କରାଯାଇ ମାମଲାର ସମାଧାନ ପାଇଁ ପ୍ରୟାସ କରାଯାଇଥିଲା।

ଏହାପରେ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୦୧୬ ସେପ୍‌ଟେମ୍ବରରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ହୋଇଥିଲା। ମାମଲାର ସମାଧାନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମହାନଦୀର ଉପରମୁଣ୍ଡରେ ନିର୍ମାଣ କାର୍ଯ୍ୟକୁ ତିନି ମାସ ପର୍ଯ୍ୟନ୍ତ ବନ୍ଦ କରିଦେବା ସହିତ ବିଶେଷଜ୍ଞ କମିଟି ଗଠନ କରାଯାଇ ମହାନଦୀ ଅବବାହିକାରେ ପ୍ରକଳ୍ପ ନିର୍ମାଣର ପ୍ରଭାବ ଅଧ୍ୟୟନ କରି ତିନି ମାସରେ ରିପୋର୍ଟ ଦେବା ପାଇଁ କହିଥିଲେ। ଅପରପକ୍ଷେ ବୈଠକରେ ଛତିଶଗଡର ମୁଖ୍ୟମନ୍ତ୍ରୀ ମହାନଦୀର ୫୭% ଜଳ ଅବବାହିକାରେ ଉପଯୋଗ ନହୋଇ ସମୁଦ୍ରକୁ ଚାଲିଯାଉଥିବାର କହିଥିଲେ। ଦୁଇ ରାଜ୍ୟର ଆବଶ୍ୟକ ପାଇଁ ମହାନଦୀରେ ପର୍ଯ୍ୟାପ୍ତ ପରିମାଣର ଜଳ ଉପଲବ୍ଧ ଥିବାର ସେ କହିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ୧୯୮୩ ଚୁକ୍ତିନାମା ଅନୁସାରେ ଦୁଇ ରାଜ୍ୟ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ପାଇଁ ରାଜି ହେବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ। ମହାନଦୀ ଉପରମୁଣ୍ଡରେ ନିର୍ମାଣଧୀନ ଅନେକ ପ୍ରକଳ୍ପର କାର୍ଯ୍ୟ ଗତ ଦଶ ବର୍ଷରୁ ଜାରି ରହିଥିବା ତଥା ତାହା ଶେଷ ହେବାକୁ ଥିବାବେଳେ ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇପାରିବ ନାହିଁ ବୋଲି ଛତିଶଗଡ ମୁଖ୍ୟମନ୍ତ୍ରୀ କହିଥିବାର ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ବୈଠକରେ କେନ୍ଦ୍ରର ଜଳସଂପଦ ମନ୍ତ୍ରୀ କହିଥିଲେ ଯେ ଜଳ ରାଜ୍ୟର ବିଷୟ ହୋଇଥିବାରୁ ଏଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାର ଅଧିକାର ନାହିଁ। ହେଲେ କେନ୍ଦ୍ର ସରକାର ମଧ୍ୟସ୍ଥତା ଭୂମିକାରେ ଅନ୍ତଃରାଜ୍ୟ ବିବାଦର ସମାଧାନ ପାଇଁ ପ୍ରୟାସ କରିବେ ବୋଲି ସତ୍ୟପାଠରେ କୁହାଯାଇଛି। ସେହିଭଳି ସ୍ୱତନ୍ତ୍ର କମିଟି ଗଠନ କରାଯାଇ ଓଡ଼ିଶା ଓ ଛତିଶଗଡ଼ରେ କେତୋଟି ପ୍ରକଳ୍ପ ବୈଷୟିକ କମିଟି ବିନା ଅନୁମୋଦନରେ କରାଯାଇଛି ବା କରୁଛନ୍ତି, ତାହାର ବିବରଣୀ ଦୁଇରାଜ୍ୟକୁ ଦେବା ପାଇଁ କୁହାଯାଇଥିଲା। ହେଲେ ଛତିଶଗଡ଼ ସରକାର ସ୍ୱତନ୍ତ୍ର କମିଟିକୁ ତଥ୍ୟ ଦେଇଥିଲେ ହେଁ, ଓଡ଼ିଶା କମିଟିକୁ କୌଣସି ତଥ୍ୟ ଦେଇନଥିଲା। କେବଳ ସେତିକି ନୁହେଁ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହାଇଡ୍ରୋଲୋଜି, ରୁର୍‌କି ଦ୍ୱାରା କରାଯିବାକୁୁ ଥିବା ବିସ୍ତତ ଅଧ୍ୟୟନ ରିପୋର୍ଟ ଓଡ଼ିଶା କୌଣସି ତଥ୍ୟ ପ୍ରଦାନ କରିନଥିଲା। ସତ୍ୟପାଠରେ ଦର୍ଶାଯାଇଛି ଯେ ଜଳବିବାଦ ସମାଧାନ ପାଇଁ ଓଡ଼ିଶା କେନ୍ଦ୍ର ସରକାରଙ୍କ ନିକଟରେ ୨୦୧୬ ନଭେମ୍ବର ୧୯ ତାରିଖରେ ଆବେଦନ କରି ଟ୍ରିବ୍ୟୁନାଲ ପାଇଁ ଦାବି ରଖିଥିଲା। ଜାନୁଆରି ୧୯ ତାରିଖରେ ଏକ ବୁଝାମଣା କମିଟି ଗଠନ ହୋଇଥିଲା। ଏହାର ପ୍ରଥମ ବୈଠକ ଫେବ୍ରୁଆରି ଓ ପରେ ମେ ୨୨ ତାରିଖରେ ବସିଥିଲା। ଏଥିରେ ମଧ୍ୟ ଓଡ଼ିଶା ଯୋଗଦେଇନଥିଲା।

ସମ୍ବନ୍ଧିତ ଖବର