ଆଗାମୀ ସପ୍ତାହରେ ଜଣାପଡ଼ିବ ଆଲୋଚନା ତାରିଖ!

ମହାନଦୀ ଜଳବିବାଦ ପ୍ରସଙ୍ଗ

ନୂଆଦିଲ୍ଲୀ ଚଳିତ ଶୀତକାଳୀନ ଅଧିବେଶନରେ ମହାନଦୀ ଜଳବିବାଦ ପ୍ରସଙ୍ଗରେ ଆଲୋଚନା ହେବ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ଖ୍ରୀଷ୍ଟମାସ ଅବକାଶ ପରେ ବୁଧବାର ସଂସଦର ଅଧିବେଶର ଆରମ୍ଭ ହେଲେ ଉଭୟ ଗୃହରେ ଏ ସମ୍ପର୍କିତ କିଛି ସୂଚନା ମିଳିବା ଅନୁମାନ କରାଯାଉଛି। ଉଭୟ ଗୃହରେ ମୁଲତବୀ ପ୍ରସ୍ତାବ ଅନ୍ତର୍ଗତ ଆଲୋଚନା ଦାବିକୁ ଅଗ୍ରାହ୍ୟ କରିଦିଆଯାଇଥିବାରୁ ସମ୍ଭବତଃ ଦୃଷ୍ଟି ଆକର୍ଷଣ ପ୍ରସ୍ତାବ ଏବଂ କମ୍‌ ଅବଧିର ଆଲୋଚନା ଅନ୍ତର୍ଗତ ଆଲୋଚନା ପାଇଁ ବିଚାର କରାଯାଇପାରେ।

ଆଜି ଉଭୟ ଗୃହରେ ମହାନଦୀ ଜଳବିବାଦ ଆଲୋଚନା ପାଇଁ ବିଜେଡି ସାଂସଦମାନେ କୌଣସି ପ୍ରକାର ଦାବି କରିନଥିଲେ। ତେବେ ଶୂନ୍ୟକାଳରେ ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ ଭିତରକନିକା ଓ ଚିଲିକା ହ୍ରଦର ଜୈବ ବିବିଦ୍ଧତା ସଂରକ୍ଷଣ ଉପରେ ପ୍ରଶ୍ନ କଲା ସମୟରେ ମହାନଦୀ ଜଳପ୍ରବାହକୁ କିଭଳି ଛତିଶଗଡ଼ରେ ରୋକାଯାଇଛି ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

ଚିଲିକା ହ୍ରଦ ଇରାଓ୍ଵାଡ଼ିି ଓଲଫିନ୍‌ ପାଇଁ ଅଭୟାରଣ୍ୟ ଓ ଭିତରକନିକା କୁମ୍ଭୀର ଅଭୟାରଣ୍ୟରେ ବିରଳ ପ୍ରଜାତିଙ୍କ ସଂରକ୍ଷଣ ପାଇଁ ପ୍ରାକୃତିକ ବାସସ୍ଥାନ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି। ତେବେ କିଛି ବର୍ଷ ହେଲା ମହାନଦୀର ମଧୁର ଜଳ ପ୍ରବାହକୁ ଛତିଶଗଡ଼ ରୋକିଦେଇଛି। ଅଣମୌସୁମୀ ଋତୁରେ ଜଳପ୍ରବାହ ହେଉନାହିଁ। ୫ ବର୍ଷ ତଳେ ଅଣମୌସୁମି ସମୟରେ ହେଉଥିବା ଜଳପ୍ରବାହ ଭଳି ଅବସ୍ଥା ଆଣିବା ପାଇଁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟଙ୍କୁ ଅବଗତ ଉଦ୍ଦେଶ୍ୟରେ ଭର୍ତ୍ତୃହରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ କହିଥିଲେ। ହର୍ଷବର୍ଦ୍ଧନ ମଧ୍ୟ ଏନେଇ ନିର୍ଦ୍ଦିଷ୍ଟ ମନ୍ତ୍ରାଳୟଙ୍କୁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଜଣାଇବେ ବୋଲି କହିଥିଲେ। ଏହାବାଦ୍‌ ଆସନ୍ତା ୫ ବର୍ଷ ମଧ୍ୟରେ ଓଡ଼ିଶାରେ ଇରାଓ୍ଵାଡ଼ିି ଡଲଫିନ୍‌ମାନଙ୍କ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ୨୫ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ। ଲୋକସଭାରେ ଆଜି ଓଖି ବାତ୍ୟା ପ୍ରସଙ୍ଗ ଆଲୋଚନା ବେଳେ ଭର୍ତ୍ତୃହରି ଓଡ଼ିଶାରେ ବାତ୍ୟା ଓ ବନ୍ୟାଜନିତ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟରେ ବାରମ୍ବାର ଅଦିନିଆ ବର୍ଷା ଯୋଗୁଁ ଡାଲି ଓ ପରିବା ଚାଷର ବ୍ୟାପକ କ୍ଷତି ହେଉଥିବା ସେ କହିଥିଲେ। କେନ୍ଦ୍ର ସରକାର ଓ ବ୍ୟାଙ୍କ୍‌ ଏଥିପାଇଁ ଚାଷୀଋଣ ଅବଧିକୁ ବଢ଼ାଇବାପାଇଁ ମହତାବ ପ୍ରସ୍ତାବ ରଖିଥିଳେ।

ସମ୍ବନ୍ଧିତ ଖବର