ସୁପ୍ରିମକୋର୍ଟର ହସ୍ତକ୍ଷେପ ଲୋଡିବେ ସରକାର

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ମାମଲାରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପୁଣି ମଧ୍ୟବର୍ତୀକାଳୀନ ଆବେଦନ(ଇଣ୍ଟରଲୋକ୍ୟୁଟୋରୀ ଆପ୍ଲିକେସନ) ଦାଖଲ କରିବେ। ମହାନଦୀ ଟ୍ରବ୍ୟୁନାଲ ଗଠନ ପ୍ରକ୍ରିୟାରେ ଅଧ୍ୟକ୍ଷ ଓ ଦୁଇ ସଦସ୍ୟ ନିଯୁକ୍ତି ସତ୍ତ୍ୱେ ଟ୍ରିବ୍ୟୁନାଲରେ ଶୁଣାଣି ଆରମ୍ଭ ହୋଇ ପାରିନାହିଁ। ନିୟମିତ ଭାବରେ କେବେ ଶୁଣାଣି ଆରମ୍ଭ ହେବ ସେ ନେଇ ମଧ୍ୟ ନିର୍ଦ୍ଦିଷ୍ଟ ସୂଚନା ନାହିଁ। ଏଣୁ ମଧ୍ୟବର୍ତୀକାଳୀନ ଆବେଦନ ଦାଖଲ କରି ମାମଲାର ତ୍ୱରିତ ଶୁଣାଣି ପାଇଁ ପ୍ରୟାସ କରିବା ଲକ୍ଷ୍ୟରେ ଏଭଳି ଚିନ୍ତା କରାଯାଇଥିବା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଜଣେ ବରିଷ୍ଠ ଆଇନଜୀବୀ ସୂଚନା ଦେଇଛନ୍ତି।

ମିିଳିଥିବା ସୂଚନା ଅନୁସାରେ, ଏଥିପାଇଁ ଆସନ୍ତାକାଲି ରାଜ୍ୟ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟଯନ୍ତ୍ରୀ ଦିଲ୍ଲୀରେ ଆଇନ ବିଶକାରଦଙ୍କ ସହ ଏ ନେଇ ବିସ୍ତାର ଭାବେ ଆଲୋଚନା କରିବେ। ଆବେଦନର ରୂପରେଖ କିଭଳି ହେବ ସେ ନେଇ ନିଷ୍ପତ୍ତି ନିଆଯିବ। ଛତିଶଗଡ଼ ସରକାରଙ୍କ ଦ୍ୱାରା ମହାନଦୀର କ୍ୟାଚ୍‌ମେଣ୍ଟ ଏରିଆରେ ଭବିଷ୍ୟତରେ ଯେଭଳି ନୂତନ ପ୍ରକଳ୍ପ ନିର୍ମାଣ ହୋଇ ପାରିବ ନାହିଁ ସେ ନେଇ ୭ରୁ ୧୦ ଦିନ ଭିତରେ ଦାବି କରାଯିବ ବୋଲି ଜଣାପଡ଼ିଛି।

ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ୭ଟି ପ୍ରକଳ୍ପ ନିର୍ମାଣ କରୁଥିବା ବେଳେ ୧୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଯୋଜନା ରଖିଛି। ଏଭଳି ଏକତରଫା ଭାବରେ ଛତିଶଗଡ଼ ସରକାର ନଦୀର ଗତିପଥ ଅବରୋଧ କରୁଥିବାରୁ ଓଡ଼ିଶା ରାଜ୍ୟ ସାମାଜିକ, ଅର୍ଥନୈତିକସ୍ତରରେ ପ୍ରଭାବିତ ହେବା ସହ ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି କରୁଛି। ଏଣୁ ମଧ୍ୟବର୍ତୀକାଳୀନ ଆବେଦନରେ ଏହି ସବୁ ନିର୍ମାଣ ଉପରେ ରୋକ୍‌ ଲଗାଇବା ପାଇଁ ସ୍ୱତନ୍ତ୍ର ଆଦେଶନାମା ଜାରି କରିବାକୁ ପ୍ରାର୍ଥନା ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଛତିଶଗଡ଼ର ଏଭଳି ନିର୍ମାଣ ବନ୍ଦ କରିବାକୁ ରାଜ୍ୟ ସରକାର ପୂର୍ବରୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କୋର୍ଟ ଟ୍ରିବ୍ୟୁନାଲ ଗଠନ କରିବା ଲାଗି ନିର୍ଦେଶ ଦେଇଥିଲେ ହେଁ ଛତିଶଗଡ଼ର ଏହି ବେଆଇନ ନିର୍ମାଣ ଉପରେ କୌଣସି ରୋକ୍‌ ଲଗାଇନଥିଲେ। ଏହାର ବିଚାର ନୂତନ ଭାବେ ଗଠିତ ହେବାକୁ ଥିବା ଟ୍ରିବ୍ୟୁନାଲ କରିବ ବୋଲି ନିର୍ଦ୍ଦେଶ ହୋଇଥିଲା। ଏବେ ଛତିଶଗଡ଼ ଉପରେ ରୋକ୍‌ ଲଗାଇବା ପାଇଁ ଏହି ଆବେଦନ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର