ମହାନଦୀ ଜଳବିବାଦ ମାମଲା : ମିଳିତ ଚିଠା ପ୍ରସଙ୍ଗ ଚୂଡ଼ାନ୍ତ ପାଇଁ ଦୁଇ ରାଜ୍ୟ ଆଇନଜୀବୀଙ୍କ ବୈଠକ

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲାରେ ମିଳିତ ଚିଠା ପ୍ରସଙ୍ଗକୁ ଚୂଡ଼ାନ୍ତ କରିବା ପାଇଁ ଦୁଇ ରାଜ୍ୟର ଆଇନଜୀବୀଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଖୁବ୍ ଶୀଘ୍ର ହେବ ବୋଲି ସୂତ୍ରରୁ ଜଣାପଡ଼ିଛି। ଏନେଇ ଦୁଇ ରାଜ୍ୟର ଓକିଲମାନଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇସାରିଛି। ସମ୍ଭବତଃ ଏହି ବୈଠକ ମାର୍ଚ୍ଚ ପ୍ରଥମ ସପ୍ତାହରେ ଦିଲ୍ଲୀରେ ହେବ। ଚଳିତ ମାସ ୧ରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଓ ଛତିଶଗଡ଼ ଦ୍ବାରା ଚିଠା ପ୍ରସଙ୍ଗ ଗୁଡ଼ିକ ଦାଖଲ କରାଯାଇଥିଲା। ଓଡ଼ିଶା ଦ୍ବାରା ୨୬ଟି ପ୍ରସଙ୍ଗକୁ ବିଚାର କରିବା ପାଇଁ ଟ୍ରିବ୍ୟୁନାଲଙ୍କ ନିକଟରେ ନିବେଦନ କରାଯାଇଥିବା ବେଳେ ଛତିଶଗଡ଼ ପକ୍ଷରୁ ୧୩ଟି ଚିଠା ପ୍ରସଙ୍ଗର ତାଲିକା ଟ୍ରିବ୍ୟୁନାଲଙ୍କୁ ପ୍ରଦାନ କରାଯାଇଥିଲା। ଟ୍ରିବ୍ୟୁନାଲଙ୍କ ଦ୍ବାରା ଦୁଇ ରାଜ୍ୟକୁ ଆପୋଷ ଆଲୋଚନା କରି ମିଳିତ ଚିଠା ପ୍ରସଙ୍ଗ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା, ଯାହାକୁ ଅନୁଧ୍ୟାନ କରି ଟ୍ରିବ୍ୟୁନାଲ ଶୁଣାଣି ପାଇଁ ଇସ୍ୟୁ ଫ୍ରେମ୍ କରିବେ ବୋଲି କହିଥିଲେ। ତଦନୁଯାୟୀ ଦୁଇ ରାଜ୍ୟର ଓକିଲମାନେ ଖୁବ୍ ଶୀଘ୍ର ମିଳିତ ଚିଠା ପ୍ରସଙ୍ଗକୁ ଚୂଡ଼ାନ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୮ରେ ଧାର୍ଯ୍ୟ କରାଯାଇଥିବାରୁ ଦୁଇ ରାଜ୍ୟମାନଙ୍କ ଦ୍ବାରା ମିଳିତ ଚିଠା ପ୍ରସଙ୍ଗକୁ ଚୂଡ଼ାନ୍ତ କରିବା ସହିତ ଆଡମିସନ ଓ ଡିନାଏଲ ଭଳି ଆଇନଗତ ପ୍ରକ୍ରିୟାକୁ ମଧ୍ୟ ଶେଷ କରାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ଗତ ବର୍ଷ ମାର୍ଚ୍ଚରୁ ଓଡିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଶେଷ କରି ଟ୍ରିବ୍ୟୁନାଲ ରାୟକୁ ସଂରକ୍ଷିତ ରଖିଥିବା ବେଳେ ଉଭୟ ରାଜ୍ୟମାନଙ୍କ ଦ୍ବାରା ଟ୍ରିବ୍ୟୁନାଲଙ୍କ ପରାମର୍ଶ ଅନୁଯାୟୀ ଆପୋଷ ବୁଝାମଣା ଅନ୍ତର୍ଗତ ବିଚାର ବିମର୍ଷ ଜାରି ରଖିବା ସହିତ ମହାନଦୀ ପ୍ରକଳ୍ପ ଅଞ୍ଚଳର ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କାର୍ଯ୍ୟ ଶେଷ କରିସାରିଛନ୍ତି। ଆବଶ୍ୟକ ହେଲେ ପୁଣି ଥରେ ଉଭୟ ରାଜ୍ୟ ପରସ୍ପର ରାଜ୍ୟରେ ଥିବା ମହାନଦୀ ପ୍ରକଳ୍ପ ଗୁଡ଼ିକର ପୁଣି ଥରେ ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଉଭୟ ରାଜ୍ୟ ଆପୋଷ ବୁଝାମଣା ଅନ୍ତର୍ଗତ ଦୁଇଟି ପର୍ଯ୍ୟାୟରେ ହୋଇଥିବା ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ମୌଖିକ ଭାବେ ଅବଗତ କରାଇଥିଲେ ସୁଦ୍ଧା ଏନେଇ କୌଣସି ରିପୋର୍ଟ ଦାଖଲ କରିନହାନ୍ତି।

ସମ୍ବନ୍ଧିତ ଖବର