ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ : ଓଡ଼ିଶାର ପାଞ୍ଚଜଣିଆ ଆଇନଜୀବୀ ଟିମ୍‌ ଗଠନ, ୨୯ରେ ଶୁଣାଣି

ନୂଆଦିଲ୍ଲୀ : ଆସନ୍ତାମାସ ୨୯ ତାରିଖରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପାଇଁ ରାଜ୍ୟ ସରକାର ନିଜ ପକ୍ଷକୁ ଦୃଢ଼ ଭାବେ ଉପସ୍ଥାପନ କରିବାପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ୫ ଜଣିଆ ଆଇନଜୀବୀଙ୍କର ଏକ ଟିମ୍‌ ଗଠନ କରିଛନ୍ତି। ଦେଶର ପ୍ରତିଟି ଜଳବିବାଦ ମାମଲାରେ ଅଭିଜ୍ଞତା ହାସଲ କରିଥିବା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ମୋହନ ବି କଟାର୍କି, ଅନ୍ୟତମ ବରିଷ୍ଠ ଓକିଲ ମହେଶ ଅଗ୍ରଓ୍ଵାଲ୍‌, ବଂଶଧାରା ଓ ପୋଲାଭରମ ମାମଲା ପରିଚାଳନା କରୁଥିବା ସୁପ୍ରିମକୋର୍ଟର ଓକିଲ ରାଧେଶ୍ୟାମ ଜେନା, ସୁପ୍ରିମକୋର୍ଟର ଆଇନଜୀବୀ ଡକ୍ଟର ଅନିନ୍ଦିତା ପୂଜାରୀ ଓ ରଣବୀର ସିଂହଙ୍କୁ ନେଇ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ପରିଚାଳନା ପାଇଁ ଏହି କମିଟି ଗଠନ ହୋଇଥିବା ସୁତ୍ରରୁ ଜଣାପଡ଼ିଛି। ତେବେ ମାମଲାର ପରିଚାଳନା ପାଇଁ କେବଳ ଓକିଲମାନଙ୍କର କମିଟି ନୁହେଁ, ବିଶେଷଜ୍ଞମାନଙ୍କ ସହାୟତା ନେବାପାଇଁ ମଧ୍ୟ ପ୍ରୟାସ ଆରମ୍ଭ ହୋଇଛି। ‘ସମ୍ବାଦ’ ସହ କଥାବାର୍ତ୍ତାରେ ଟ୍ରିବ୍ୟୁନାଲ୍‌ର ଜଣେ ଓକିଲ କହିଛନ୍ତି ଯେ ମହାନଦୀ ଜଳବିବାଦ ମାମଲାକୁ ଟ୍ରିବ୍ୟୁନାଲ୍‌ରେ କେବଳ ଏକ ଔପଚାରିକତା ରୂପେ ରାଜ୍ୟ ସରକାର ପରିଚାଳନା କରିବା ପାଇଁ ଚାହୁ ନାହାନ୍ତି। ମାମଲା ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି।

ସୂନଚାନୁଯାୟୀ ଗତ ତିନି ମାସ ମଧ୍ୟରେ ମହାନଦୀ ଜଳବିବାଦ ସମ୍ପର୍କିତ ସମସ୍ତ ନଥିପତ୍ର, ଦସ୍ତାବିଜ୍‌କୁ ସବିଶେଷ ତର୍ଜମା ଓ ଅନୁଧ୍ୟାନ କରାଯାଇଛି ଏବଂ ଶୁଣାଣି ସମୟରେ ରାଜ୍ୟ ସରକାର କିଭଳି ନିଜକୁ ଉପସ୍ଥାପନ କରିବେ ସେନେଇ ବି ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇ ସାରିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାମଲା ତଥା ବିବାଦ ସମ୍ପର୍କିତ ସଦ୍ୟତମ ଡକ୍ୟୁମେଣ୍ଟ୍‌ ସଂଗ୍ରହ କରାଯାଉଛି। ଏଥିରେ ଦେଶର ଜଣାଶୁଣା ଜଳ ବିଶେଷଜ୍ଞମାନଙ୍କର ମତାମତ ନିଆଯାଉଛିି। ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ର ଜଳ ଆୟୋଗରେ ସେବାନିବୃତ୍ତ ହୋଇଥିବା ବରିଷ୍ଠ ବିଶେଷଜ୍ଞ, ଦେଶର ବିଭିନ୍ନ ଆଇଆଇଟିମାନଙ୍କରେ ନିୟୋଜିତ ହୋଇଥିବା ଜଳ ବିଶେଷଜ୍ଞ ତଥା ରୁର୍‌କି ସ୍ଥିତ ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହାଇଡ୍ରୋଲୋଜିର ପୂର୍ବତନ ଜଳ ବିଶେଷଜ୍ଞଙ୍କ ମତ ସଂଗ୍ରହ କରାଯାଉଛି। କେବଳ ଏତିତି ନୁହେଁ ଆନ୍ତର୍ଜାତୀୟ ସ୍ତରର ଜଳ ବିଶେଷଜ୍ଞମାନଙ୍କର ମତ ଓ ପରାମର୍ଶ ନେବାପାଇଁ ବିଚାରବିମର୍ଶ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଆସନ୍ତାମାସ ସେପ୍ଟେମ୍ବର ୨୯ରେ ମହାନଦୀ ଜଳବିବାଦ ମାମଲାର ଶୁଣାଣି ଆରମ୍ଭ ହେବା ପୂର୍ବରୁ ପାଖାପାଖି ୫୦୦ ପୃଷ୍ଠା ସମ୍ବଳିତ ମଧ୍ୟବର୍ତ୍ତୀକାଳୀନ ଆବେଦନ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରିବ୍ୟୁନାଲ୍‌ରେ ଦାଖଲ କରାଯିବ। ଅପରପକ୍ଷେ ଛତିଶଗଡ଼ ରାଜ୍ୟ ପକ୍ଷରୁ ଟ୍ରିବ୍ୟୁନାଲ୍‌ରେ କେତେ ଜଣିଆ ଓକିଲ ମାମଲା ପରିଚାଳନା କରିବେ ଏବଂ ମକଦ୍ଦମା ପରିଚାଳନାରେ ସେମାନଙ୍କ ରଣନୀତି କ’ଣ ରହିବ ସେନେଇ ବର୍ତ୍ତମାନ ସୁଦ୍ଧା ଆଲୋଚନା ଜାରି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର